ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଳୁଆ କିଏ, ଡରୁଆ କିଏ?

ଅଗନା ଅଗନି ବନସ୍ତ ଭିତରେ ଗୋଟିଏ ବିରାଟ ପାହାଡ ଥିଲା । ସେ ପାହାଡଟା ଏତେବଡ ଥିଲାଯେ ତା’ର ଅଗ୍ର ଭାଗକୁ ଚାହିଁଲେ ତା’ର ଅଗ୍ରଭାଗ ଦିଶେନି । ଦିନେ ବଣର ରାଜା ସିଂହ ବନସାରା ଘୋଷଣା କରିଦେଲାଯେ- କୀଟ, ପତଙ୍ଗ, ପଶୁ, ପକ୍ଷୀ ଯିଏ ହଉନା କାହିଁକି ଯିଏ ପାହାଡର ଅଗ୍ରଭାଗରେ ଯାଇ ପହଁଚି ପାରିବ ସିଏ ତା’ର ମନ୍ତ୍ରୀ ହେବ । ସେଥିପାଇଁ ପଶୁ, ପକ୍ଷୀ ଓ କୀଟ ପତଙ୍ଗଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।

        ପକ୍ଷୀମାନେ ତ ବହୁତ ଦୂରକୁ ଉଡିପାରନ୍ତି । ତେଣୁ ସେମାନେ ଅକ୍ଳେଶରେ ପାହାଡର ଅଗ୍ରଭାଗକୁ ଉଡିଯାଇ ପାହାଡର ଶୀର୍ଷରେ ବସି ପୁଣି ଫେରି ଆସିଲେ । ଏକଥା କିନ୍ତୁ ସିଂହ ରାଜା ମୋଟେ ବିଶ୍ୱାସ କରିପାରିଲେ ନାହିଁ । ମନ୍ତ୍ରୀପଦ ପାଇଁ ଲାଳାୟିତ ଥିବା ଚତୁର ବିଲୁଆ ନିଜର ସାଙ୍ଗସାଥୀମାନଙ୍କୁ ଧରି ବାହାରି ପଡିଲା । ପାହାଡିଆ ରାସ୍ତାରେ ଯାଉ ଯାଉ ବହୁ ବିଲୁଆ ଆହତ ହେଲେ । ଶେଷରେ ଗୋଟିଏ ବିଲୁଆ ବହୁତ କଷ୍ଟରେ ପାହାଡର ଶୀର୍ଷ ଦେଶରେ ପହଁଚିଗଲା । ସେ ସିନା ପାହାଡର ଶୀର୍ଷ ଦେଶରେ ପହଁଚିଗଲା କିନ୍ତୁ ପ୍ରମାଣ କେମିତି ଦେବ? ସେଦିନ ଥାଏ ପୁନେଇଁ ରାତି । ଜହ୍ନ କିରଣରେ ପାହାଡର ଶୀର୍ଷ ଦେଶ ଚିକ୍ ଚିକ୍ କରୁଥାଏ । ବିଲୁଆ ସେଇ ପାହାଡର ଶୀର୍ଷ ଦେଶରେ ପହଁଚିବା କଥା ପ୍ରମାଣ କରାଇବା ପାଇଁ ସେଠାରେ ଠିଆ ହୋଇ ଖୁବ୍ ବଡ ପାଟିରେ ହୁକେ ହୋ… ହୁକେହୋ… ବୋଲି ଚିତ୍କାର କରିବାକୁ ଲାଗିଲା । ବଣର ସବୁ ପଶୁପକ୍ଷୀମାନେ ବିଲୁଆର ରଡି ଶୁଣି ବିଲୁଆର କରାମତି ଜାଣି ପାରିଲେ ।

        ସିଂହ ରାଜା ସାମାନ୍ୟ ବିଲୁଆର ସାହସ ଦେଖି ନିଜକୁ ସମ୍ଭାଳି ପାରିଲା ନାହିଁ । ପାହାଡ ଉପରକୁ ଯିବାକୁ ମନେ ମନେ ସ୍ଥିର କରି ସିଂହ ରାଜା ପାହାଡ ଚଢି ଶେଷରେ ବିଲୁଆ ପାଖରେ ପହଁଚି ଗଲେ । ବିଲୁଆ ସିଂହ ରାଜାଙ୍କୁ ଦେଖି ଜୁହାର କଲା । ପାହାଡର ଶୀର୍ଷ ଦେଶରେ ଠିଆ ହୋଇ ସିଂହ ରାଜା ଜୋର୍ରେ ଗର୍ଜନ କରି ନିଜର ପରାକ୍ରମ ଦେଖାଇଲେ । ସେ ପାହାଡର ଶୀର୍ଷ ଦେଶରେ ଥାଇ ବଣର ଶୋଭା ଦେଖି ବିମୋହିତ ହୋଇ ଗଲେ କିନ୍ତୁ ପାହାଡର ତଳଦେଶକୁ ଚାହିଁଲା ବେଳକୁ ତାଙ୍କ ମୁଣ୍ଡ ବୁଲାଇ ଦେଲା ଓ ଭୟରେ ଗୋଡ ହାତ ଥରିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ