ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଙ୍କଡ ଏବଂ ଘଂଟି

ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ ଖୁସିରେ ନେଇଗଲା ।

         ପର୍ବତଠାରୁ କିଛି ଦୂରରେ ସହରଟିଏ ଥିଲା । ଘଂଟକର୍ଣ୍ଣ ସବୁ ସମୟରେ ଏହି ସହର ବାସିନ୍ଦା ମାନଙ୍କୁ ହଇରାଣ କରେ । ଯେତେବେଳେ ମନ ହେଲା ସହର ମଧ୍ୟରେ ପଶି ଜଣେ ଦୁଇଜଣଙ୍କୁ ମାରି ଖାଇଦିଏ । ସହର ବାସିନ୍ଦାମାନେ ଦିନେ ଏହି ଘଂଟି ଧ୍ୱନି ଶୁଣିବାକୁ ପାଇଲେ । ସେମାନେ ଭାବିଲେ, ବୋଧହୁଏ ଘଂଟକର୍ଣ୍ଣ ଖାଇବାକୁ ନପାଇ ରାଗିଯାଇଛି । ସେ ବୋଧହୁଏ ବର୍ତ୍ତମାନ ନଗର ମଧ୍ୟରେ ପ୍ରବେଶ କରି ଗୋଟେ ମୁହୂର୍ତ୍ତରେ ସମସ୍ତଙ୍କୁ ମାରିଖାଇଦେବ । ଏହା ଭାବି ନଗରବାସୀମାନେ ଭୟରେ ନଗର ଛାଡି ଚାଲିଯିବାକୁ ବାହାରିଲେ ।

         ନଗରବାସୀମାନଙ୍କ ମଧ୍ୟରେ ଜଣେ ଖୁବ୍ ଚତୁର ଥିଲା । ସେ ପ୍ରଥମେ ଘଟଣାର ସତ୍ୟାସତ୍ୟ ସଂପର୍କରେ ଅନୁସନ୍ଧାନ କରିବାକୁ ଚାହିଁଲା । ସେ କିନ୍ତୁ ଜାଣିପାରୁଥାଏ ଏହି କାର୍ଯ୍ୟ ମାଙ୍କଡମାନେ ହିଁ କରୁଛନ୍ତି । କିନ୍ତୁ ସେ ରାଜାଙ୍କ ନିକଟକୁ ଗଲା । ବେଳେ ବେଳେ ଏପରି ଏକ ଘଂଟି ଧ୍ୱନି ଶୁଭୁଛି ବୋଲି କହିଲା । ଏବଂ ଏହା ଘଂଟକର୍ଣ୍ଣ କରୁଛି ବୋଲି କହିଲା । ଶେଷରେ ବ୍ୟକ୍ତିଟି ରାଜାଙ୍କୁ କହିଲା, “ମହାରାଜ ! ଆପଣ ମୋତେ କିଛି ଅର୍ଥଦାନ କରନ୍ତୁ । ଘଂଟକର୍ଣ୍ଣକୁ କିପରି ହାତମୁଠାରେ ରଖାଯାଇପାରିବ ସେ ଦାୟିତ୍ୱ ମୋ ଉପରେ ଛାଡି ଦିଅନ୍ତୁ ।” ବ୍ୟକ୍ତିଟିର କଥାରେ ରାଜିହୋଇ ରାଜା ସଂଗେ ସଂଗେ କିଛି ଅର୍ଥ ପ୍ରଦାନ କଲେ । ବ୍ୟକ୍ତି ଜଣକ ମାଟିର ମୂର୍ତ୍ତିଙ୍କୁ ଉପାସନା କରନ୍ତି । ମାଟିର ମୂର୍ତ୍ତିଙ୍କୁ ପୂଜା କରିସାରିବାପରେ  ବ୍ୟକ୍ତିଟି ଜଙ୍ଗଲକୁ ଯିବାକୁ ବାହାରି ପଡିଲେ । ମାଙ୍କଡ ମାନଙ୍କୁ ଆକର୍ଷିତ କରିବା ପାଇଁ ସାଙ୍ଗରେ କିଛି ଫଳ ନେଇଥାଆନ୍ତି । ସେହି ଫଳଗୁଡିକୁ ନେଇ ମାଙ୍କଡମାନେ ରହୁଥିବା ସ୍ଥାନରେ ବିଛାଇ ଦେଲେ । ଫଳଗୁଡିକୁ ଦେଖି ମାଙ୍କଡମାନଙ୍କର ମନରେ ଲୋଭ ହେଲା । ଘଂଟିଟିକୁ ଫୋପାଡି ଦେଇ ସେମାନେ ଫଳ ଖାଇବାକୁ ଧାଇଁଲେ । ସୁଯୋଗ ଦେଖି ଚତୁର ବ୍ୟକ୍ତିଟି ଘଂଟିଟିକୁ ନେଇ ପଳାଇଲା । ସେହି ଦିନଠାରୁ ପର୍ବତ ପାଦଦେଶରେ ଆଉ ଘଂଟିଧ୍ୱନି ଶୁଣାଗଲା ନାହିଁ । ନିଜର ଚତୁର ବୁଦ୍ଧି ବଳରେ ବ୍ୟକ୍ତିଟି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଲା । ନଗର ପରିତ୍ୟାଗକରି ଚାଲିଯାଇଥିବା ଲୋକମାନେ ପୁଣି ନିଜ ନିଜ ଘରକୁ ଫେରିଆସିଲେ ।

         ତେଣୁ କୌଣସି ଏକ ଶବ୍ଦ ଶୁଣି ଭୟଭୀତ ହୋଇ ନିଜ ଗୃହ ତ୍ୟାଗ କରିବା ଉଚିତ୍ ନୁହେଁ । କେଉଁ ଆଡୁ ଶବ୍ଦ ଆସୁଛି, କିଏ ଏପରି ଶବ୍ଦ କରୁଛି ତାହା ପ୍ରଥମେ ଅନୁସନ୍ଧାନ କରିବା ଆବଶ୍ୟକ । ବୁଝି ବିଚାରୀ କାମକଲେ ସମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇପାରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ