ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ ।
ଯଦୁ ସବୁବେଳେ ମଧୁକୁ କହୁଥାଏ, “ହଇରେ, ଗୁରୁଙ୍କ କଥା ତୁ କେବେ ମନେ ରଖିବୁ? ତାକୁ ମୋ ଭଳି ଖାତାରେ ଟିପି ରଖିଲେ ସିନା ଦରକାର ବେଳେ କାମରେ ଆସିବ ।
ଦିନକର ଘଟଣା । ଶିଷ୍ୟ ଦୁହିଁଙ୍କୁ ଆଶ୍ରମ ଦାୟିତ୍ୱ ଦେଇ ଗୁରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ବାହାରିଲେ । ରାତିରେ ଶୋଇଥିବା ବେଳେ ହଠାତ୍ ଶିଷ୍ୟ ଦୁହେଁ ଶୁଣିଲେ ବାହାରୁ କ’ଣ ଗୋଟିଏ ଶବ୍ଦ ଶୁଣାଯାଉଛି । ଦୁହେଁ ଝରକା ଖୋଲି ଦେଖିଲେ, ଦୁଇଜଣ ଦୁର୍ଦ୍ଧାନ୍ତ ବାହାରପଟୁ କବାଟ ଠକ୍ ଠକ୍ କରୁଛନ୍ତି । ସେମାନେ ବଝିଗଲେ ଯେ, ଏ ଦୁଇ ଜଣ ହେଉଛନ୍ତି ଡକାୟତ ।
ଏବେ ମଧୁ ଯଦୁକୁ କହିଲା, “ଭାଇ! ମହାସମସ୍ୟା ଆସି ଉପସ୍ଥିତ । ଚାଲ ଆଶ୍ରମ ପଛ ପାଖ କୋଠରିରେ ଲୁଚିଯିବା ।”
ତହୁଁ ଯଦୁ କହିଲା, “ନା, ନା, ଗୁରୁପରା ଗତକାଲି ଆମକୁ କହିଥିଲେ ସମସ୍ୟାକୁ ଡରି ପଳାଅ ନାହିଁ, ତାର ସମ୍ମୁଖୀନ ହୁଅ । କାରଣ ଏହାକୁ ଡରିଲେ ସେ ତୁମର ପିଛା ଛାଡିବ ନାହିଁ । ଏକଥା କ’ଣ ତୋର ମନେ ନାହିଁ କି? ମୁଁ ପରା ଏହାକୁ ଖାତାରେ ଲେଖି ରଖିଛି, ଦେଖୁନୁ ।” ଏହା କହି ସେ ମଧୁକୁ ତା’ର ଟିପାଖାତାଟି ବଢାଇଦେଲା ।