ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ ହଁ ରାଣୀଙ୍କର ବୟସ ଖୁବ୍ କମ୍ ହେବ କଂଚା ବୟସର ଝିଅ । କଅଁଳ ଗୌରବର୍ଣ୍ଣର ଚମ । ଯାହା ହେଉ ଝିଅର ଭାଗ୍ୟ ଭଲ । ତା’ ଭାଗ୍ୟରେ କେତେ ବଡ ଘାଗର ମିଳିଛି ।
ଦିନେ ଅନଙ୍ଗ ଉଦୟ ସୌଦାଗର ବଣିଜ ବେପାର କରିବା ନିମନ୍ତେ ବିଦେଶକୁ ବାହାରି ଗଲେ । ସ୍ୱାମୀ ଯେତେ ବେଳେ ବେପାର ବଣିଜ କରିବା ନିମନ୍ତେ ବାହାର ବିଦେଶ ଯାଉଛନ୍ତି ସ୍ତ୍ରୀ ହିସାବରେ କେଶରୀ ନିଜ ପୁରରେ ରହିବାକୁ ବାଧ୍ୟ ହେଲେ ।
ସ୍ୱାମୀ ସୌଦାଗର ଅନଙ୍ଗ ଉଦୟଙ୍କୁ ଛାଡି ଦେଲେ କେଶରୀଙ୍କର ସେ ଘରେ ଆଉ ଆପଣାର ବୋଲି କେହି ନଥିଲେ । ଶାଶୁ ନଥିଲେ କି ଶଶୁର ନଥିଲେ । ଦିଅର ନଥିଲେ କି ନଣନ୍ଦ ନଥିଲେ ।
ଘରକୁ ଏକା କେଶରୀ, ସୌଦାଗର କେଶରୀର ସୁବିଧା ନିମନ୍ତେ ଘରେ ଜଣେ ରୋଷେୟାକୁ ନିଯୁକ୍ତି କରି ଦେଇ ଗଲେ ।
ସେ ରୋଷେୟା ପୂଜାରୀର ନାମ ମଦନ ସୁନ୍ଦର, ମଦନ ସୁନ୍ଦରର ସେତେ ବେଳକୁ ଯୁବକ ବୟସ । ବଳିଲା ବଳିଲା ହାତ, ଗୋଡ, ଖୁବ୍ ସୁନ୍ଦର ମୁଖ ପୁଣି ଗୌରବର୍ଣ୍ଣ । ସେ ସିନା ଗରୀବ ଘରେ ଜନ୍ମ ହୋଇ ଥିବାରୁ ଏମିତି ତାକୁ ପର ଘରେ ମୁଣ୍ଡ ଗୁଂଜି ନିଜର ପେଟ ପୋଷିବାକୁ ପଡିଲା । ତାହା ନହେଲେ ମଦନ ସୁନ୍ଦରର ରୂପକୁ ଦେଖିଲେ ସ୍ୱର୍ଗର ଦେବ କନ୍ୟା ମାନେ ମଧ୍ୟ ମଦନ ସୁନ୍ଦର ରୂପରେ ମୋହିତ ହୋଇ ଯିବେ ।