ଦେବଦତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶିଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱରବିଶ୍ୱାସୀ ଥିଲେ ।
ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ ହାଲିଆ ହୋଇ ବେଳେବେଳେ ବ୍ରାହ୍ମଣ ଏହି ଗଛ ଛାଇରେ ବସିଯାଆନ୍ତି ।
ଦିନକର କଥା । ଦେବଦତ ଗଛ ଛାଇରେ ବିଶ୍ରାମ ନେବାକୁ ଗଲାବେଳେ ଦେଖିଲେ, ହୁଙ୍କା ନିକଟରେ ଏକ ନାଗସାପ ଫଣାଟେକି ରହିଛି । ଏହାଦେଖି ବ୍ରାହ୍ମଣ ଭାବିଲେ ବୋଧହୁଏ ବାବା ଭୋଳାନାଥଙ୍କର ଅପାର କରୁଣା ହେଲା । ଏହାଙ୍କୁ ପୂଜାର୍ଚ୍ଚନା କଲେ ମୋତେ ସୁଫଳ ମିଳିବ ।
ଏହା ଭାବି ବ୍ରାହ୍ମଣ ନିଜଘରୁ କ୍ଷୀର ଗିନାଏ ନେଇ ହୁଙ୍କା ପାଖରେ ରଖି ଦେଲେ ଓ ପୂଜା ପାଠ କରିବାକୁ ଲାଗିଲେ । ସଂଧ୍ୟାବେଳକୁ ବ୍ରାହ୍ମଣ ଘରକୁ ଫେରି ଆସିଲେ । ଗିନାର କ୍ଷୀର ସେମିତି ସେଇ ହୁଙ୍କାନିକଟରେ ଥାଏ ।
ସେଦିନ ରାତିରେ ଦେବଦତଙ୍କୁ ନିଦ ନଥାଏ । ତା’ପର ଦିନ ବିଲକୁ ଯାଇ ଦେଖନ୍ତି ତ ଗିନା ଖାଲି ପଡିଛି, ସେଥିରେ କ୍ଷୀର ନାହିଁ । ମାତ୍ର ତା’ ବଦଳରେ ଏକ ସୁନାମୋହର ରହିଛି । ତହୁଁ ବ୍ରାହ୍ମଣର ଈଶ୍ୱରଭକ୍ତି ଆହୁରି ବଢିଗଲା । ଏଣିକି କେଉଁଦିନ ନାଗସାପକୁ କ୍ଷୀରଦେବା ବନ୍ଦ ହେଲାନି କି ସୁନାମୋହର ପାଇବା ଅଟକି ଗଲାନାହିଁ ।
ଦିନକର କଥା । ବ୍ରାହ୍ମଣ ଦେବଦତଙ୍କର ଦୁଇଚାରିଦିନ ପାଇଁ କୌଣସି ଏକ ଦୂରସ୍ଥାନକୁ ଯିବାକୁ ପଡିଲା । ସୁତରାଂ ତାଙ୍କର ଏକମାତ୍ର ପୁତ୍ରକୁ ଡାକି ସବୁ କଥା କହିଲେ । ପ୍ରତିଦିନ ପୂଜାପାଠ କି କ୍ଷୀର ଦେବାରେ ହେଳା ନକରିବା ପାଇଁ କହିବା ସହିତ ମିଳୁଥିବା ସୁନାମୋହରକୁ ଅତି ଯତ୍ନରେ ରଖିବା ପାଇଁ ତାଗିଦ୍ କରି ବ୍ରାହ୍ୱଣ ଚାଲିଗଲେ ।