ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ ।
ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି କିଆବୁଦା ଉପରେ ପାଦ ପକାଇ ଗଲାବେଳେ ଅନେକ ଠେକୁଆ ମୃତାହତ ହେଲେ । ହାତୀମାନଙ୍କର ଏହା ନିତିଦିନିଆ ଅଭ୍ୟାସ ପାଲଟିଗଲା । ସୁତରାଂ ଅନ୍ୟ ଠେକୁଆମାନେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ ସିନା ଶାନ୍ତିରେ ରହିପାରିଲେ ନାହିଁ ।
ଦିନେ ଠେକୁଆମାନଙ୍କର ଦଳପତି ଏକ ସଭା ଡକାଇଲେ । ସଭାରେ ସବୁ ଠେକୁଆଙ୍କୁ ସମ୍ବୋଧନ କରି କହିଲେ, “ହେ ମୋର ପ୍ରିୟ ସାଥୀମାନେ, ମୁଁ ଦୁଃଖିତ ଯେ ତୁମ୍ଭମାନଙ୍କର ଦଳପତି ହୋଇ ମଧ୍ୟ କିଛି ସୁରକ୍ଷା ଦେଇପାରିଲି ନାହିଁ । ଏଡେ ବଡବଡ ଜୀବ ସେମାନଙ୍କର ପାଦରେ ଦଳି ଆମ୍ଭମାନଙ୍କର ବସାକୁ ଖିନ୍ ଭିନ୍ କରିଦେଲେ ମଧ୍ୟ ଆମେ କିଛି କରିପାରିଲେ ନାହିଁ ବରଂ ଭୟରେ ଲୁଚି ରହିଛେ । ହେଲେ ଆମେ ଆଉ ଭୟଭୀତ ହୋଇ ରହିଲେ ଚଳିବ ନାହିଁ । ଏହି ବଡ ଜୀବମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ଉପାୟ ଚିନ୍ତା କରିଛି । ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ହେବ ।”