ଅନେକ ଦିନ ତଳର କଥା । ମହାନଦୀ କୂଳରେ ହରିହର ନାମରେ ଜଣେ ବ୍ୟକ୍ତି ଗୋଟାଏ ଗାଁରେ ରହୁଥାଏ । ନଦୀ ପାରି ହୋଇ କେହି କେହି ତୀର୍ଥ କରିବାକୁ ଯାଉଥାନ୍ତି ତ ଆଉ କେହି କେହି ବେପାର କରିବାକୁ ବି ଯାଉଥାନ୍ତି । ହରିହର ସେମାନଙ୍କ ମାଲପତ୍ର ନେଇ ଅଳ୍ପ ଦୂରରେ ଥିବା ହାଟ ଉପରେ ସେମାନଙ୍କୁ ପହଁଚାଇ ଦେଉଥାଏ, ସେଠାରୁ ତୀର୍ଥକୁ ଓ ସହରକୁ ଯିବା ନିମନ୍ତେ ଶଗଡ ଏବଂ ଘୋଡାଗାଡି ମିଳୁଥାଏ ।
ସେ ହରିହରର ନିଜର ଖଣ୍ଡିଏ ଘର ଥିଲା । ତା’ ଘରେ ତା’ର ସ୍ତ୍ରୀ ଓ ଗୋଟିଏ ବୋଲି ପିଲା ଥିଲେ । ସେ ଯେତିକି ବି ଉପାର୍ଜନ କରୁଥିଲା, ସେଥିରେ ସେମାନଙ୍କୁ ଚଲାଇ ମଧ୍ୟ ବେଶ୍ କିଛି ପଇସା ବଳୁଥିଲା, ସେ ତାହା ସଂଚୟ କରି ରଖୁଥିଲା ।
ଦିନେ ତା’ ସହ ଗୋଟାଏ ଅଧାପାଗଳିଆ ଲୋକର ଦେଖା ହେଲା । ସେ ଲୋକଟି ଅନେକ ସମୟରେ ବଣରେ ବୁଲୁଥାଏ । ଲୋକଟି ହରିହରକୁ କହିଲା, “ବଣ ଭିତରେ ଭଙ୍ଗା ଦେଉଳ ପାଖରେ ଯେଉଁ ବରଗଛ ଗୁଡାକ ରହିଛନ୍ତି, ସେଥିରେ ଅନେକ ଭୂତ ଥା’ନ୍ତି । ସେମାନେ ପୋତାଧନର ସନ୍ଧାନ ଜାଣନ୍ତି । ମୋତେ ବି ସେମାନେ କେତେଥର ସେ ଧନ ଦେଇଛନ୍ତି । କିନ୍ତୁ…”
ତାଙ୍କର ଏଭଳି କଥା ଶୁଣି ହରିହର ପଚାରିଲା “କିନ୍ତୁ କ’ଣ?”