ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ ବାହାରିଗଲେ । ଶିଷ୍ୟମାନେ ସେ ତିନିଜଣଙ୍କୁ ବହୁତ ଆଦର ଅଭ୍ୟର୍ଥନା ଜଣାଇଲେ ଏବଂ ସେମାନଙ୍କୁ ପ୍ରଚୁର ଗୋଧନ ଏବଂ ଅନ୍ୟାନ୍ୟ ଉପହାର ଦେଲେ । ସେସବୁ ସମ୍ପଦ ଧରି ତିନି ଋଷିପୁତ୍ର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଟିଏ ଶୁଭମୁହୂର୍ତ୍ତ ଆସୁଥିଲା ବୋଲି ସେମାନେ ତ ଜାଣିଥିଲେ । ସେତେବେଳେ ଯଜ୍ଞ କଲେ ଅନେକ ପ୍ରକାର ସିଦ୍ଧି ମିଳିବ । ତେଣୁ ସେମାନେ ଯଜ୍ଞ କରିବାକୁ ନିର୍ଣ୍ଣୟ କରି ଉପଯୁକ୍ତ ସ୍ଥାନ ଖୋଜୁଥିଲେ ।
ଦୁଇ ବଡଭାଇ ତ୍ରିତକୁ ବହୁତ ଇର୍ଷା କରୁଥିଲେ । ବାଟରେ ଦୁହେଁ ତ୍ରିତକୁ ସେମାନେ ପାଇଥିବା ଧନସମ୍ପଦରୁ ବଂଚିତ କରିବାକୁ ସ୍ଥିର କଲେ । ତ୍ରିତ ଅନ୍ୟମନସ୍କ ଭାବରେ ବାଟ ଚାଲୁଥାଏ । ସେ ଦୁହିଁଙ୍କ ଷଡଯନ୍ତ୍ର ବିଷୟରେ ତ ତାକୁ ଆଦୌ କିଛି ବି ଜଣା ନଥାଏ । ଏକ ବୁଦା ମୂଳରେ ଗୋଟାଏ ହେଟା ବସି ଏ ତିନିଜଣଙ୍କୁ ଲକ୍ଷ୍ୟ କରୁଥାଏ । ଏକକ ଏବଂ ଦ୍ୱିତ ସେ ହେଟାକୁ ଦୂରରୁ ଦେଖି ପକାଇ ସଙ୍ଗେ ସଙ୍ଗେ ଗୋଟାଏ ଗଛ ଚଢିଗଲେ । କିନ୍ତୁ ତ୍ରିତ ଆପଣା ଚିନ୍ତାରେ ମଗ୍ନ ଥାଇ ସେ ହେଟା ବିଷୟରେ କିଛି ମଧ୍ୟ ଜାଣିପାରି ନଥାଏ । ହଠାତ୍ ହେଟା ତା’ ଆଗକୁ ବାହାରି ପଡିଲା । ତ୍ରିତ ଚମକିପଡି ହେଟା କବଳରୁ ଖସି ଯିବାକୁ ଚେଷ୍ଟା କଲା । କିନ୍ତୁ ହେଟା ଆଗରେ ସେ ବା ଆଉ କେତେ କ୍ଷୀପ୍ରଗତିରେ ଦୌଡି ପାରନ୍ତା? ଶେଷରେ ସ ଗୋଟାଏ ଖାତ ଭିତରକୁ ଖସି ପଡିଲା । ହେଟା କିଛି ସମୟ ସେ ଖାତ ମୁହଁ ଚାରିକଡେ ଚକ୍କର ଦେଇ ତା’ପରେ ସେଠାରୁ ପଳାଇଗଲା । ତ୍ରିତ ସେ ଖାତ ଭିତରୁ ତାକୁ ଉଦ୍ଧାର କରିବା ନିମନ୍ତେ ଭାଇମାନଙ୍କୁ ଡାକ ପକାଇଲା ।