ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍ ଏତେ ବଡ ବୋଝ ଆଉ କିଏ ବୋହି ପାରିବ ଦେଖି କହିଲ”
ଶରଭର ଏପରି କଥା ଶୁଣି ତାକୁ ତାର ପତ୍ନୀ ଦୁର୍ଗା କହେ, “ଭୀମ ଆଉ ତୁମେ? ଭୀମକୁ ସାମ୍ନାରେ ଦେଖିଲେ ଠିଆହୋଇ ପାରିବ ତ? ମୁଁ ମନା କରୁନାହିଁ ଯେ, ତୁମେ ବଳଶାଳୀ ନୁହଁ, କିନ୍ତୁ ତୁମେ ମହାବଳୀ କଦାପି ହୋଇପାରିବ ନାହିଁ ।”
ପତ୍ନୀର ଏପରି କଥା ଶରଭର ମନରେ ଭୀଷଣ ଆଘାତ ଦିଏ । ତେଣୁ ସେ କହେ, “କଥାରେ ବା କଣ ଅଛି । ମୋ ଠାରୁ ଅଧିକ ବଳଶାଳୀ ଲୋକ ସହିତ ମୋର ଭେଟ କରାଇପାରିଲେ, ମୁଁ ତୁମ କଥା ନିଶ୍ଚୟ ମାନିବି ।”
ଥରେ ଦୁର୍ଗା ଏକ ବଡ ଗାଗରା ଧରି ଜଙ୍ଗଲ ଭିତରେ ଥିବା ଏକ କୂଅକୁ ଜଳ ଆଣିବା ପାଇଁ ଗଲା । କୂଅରେ ଗାଗରା ପକେଇ, ଜଳ ଭର୍ତ୍ତି କରିସାରିବା ପରେ, ଭରା ଗାଗରା ଆଉ ଉପରକୁ ସେ ଟାଣିପାରିଲା ନାହିଁ । କାରଣ ତାହା ଖୁବ୍ ଓଜନ ଥିଲା । ଗାଗରା ଟାଣି ଝାଳନାଳ ହୋଇଗଲେ ମଧ୍ୟ ତାହା ଦୁର୍ଗାର ଶକ୍ତି ବାହାରେ ଥିଲା । ତେଣୁ ସେ ବାହାରେ ଦଉଡିଟି ଝୁଲାଇ, ଗାଗରା କୂଅ ମଧ୍ୟରେ ଛାଡିଦେଇ ଆସିଲା । ସେ ଠିକ୍ ଫେରି ଆସିବାବେଳକୁ, ଅରଣ୍ୟର ସେହି ମାର୍ଗରେ, ଅନ୍ୟ ଜଣେ ସ୍ତ୍ରୀଲୋକ ଆସୁଥିଲା । ତାର କାଖରେ ଗୋଟିଏ ଶିଶୁ ଥାଏ । ହାତରେ ତାର ମଧ୍ୟ ଗୋଟିଏ ଗାଗରା ଥାଏ ।