ଗଙ୍ଗାପୁରର ଟୋକା ଦୁର୍ଯ୍ୟୋଧନ ଭାରି ଗପୁଡି, କିନ୍ତୁ କାମଦାମ ମୋଟେ ସେ କରେ ନାହିଁ । ଗାଁରେ ଯାହାର ଯେଉଁଦିନ ବିଶ୍ରାମ ଲୋଡାଥାଏ କିମ୍ବା ଯିଏ ଅସୁସ୍ଥ ଥାଏ, ତା’ ପାଖରେ ଦୁର୍ଯ୍ୟୋଧନ ବସି ଦୁନିଆଯାକର ଅଜବ କଥା ସବୁ ଗପେ । ସେମାନେ କିଛି ହେଲେ ବି ମନେ କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର କାମଦାମ ଅଛି, ସେମାନଙ୍କ ପାଖରେ ବସି ଗପସପ କରି ସେମାନଙ୍କ ସମୟ ନଷ୍ଟ କଲେ ସେମାନେ ବା ସେଥିରେ କିପରି ଖୁସି ହେବେ? ଅସୁବିଧା ହେଲା, ଦୁର୍ଯ୍ୟୋଧନ ସେମାନଙ୍କ ବିରକ୍ତି କଥା ମୋଟେ ବୁଝିପାରେ ନାହିଁ ।
ଗାଁର ଟୋକାମାନେ ତା’ କଥା ଯେତିକି ଉପଭୋଗ କରନ୍ତି, ନିଜ ନିଜ ଭିତରେ ତାକୁ ସେତିକି ମାତ୍ରାରେ ଥଟ୍ଟା ବି କରନ୍ତି । ଦିନେ ସେମାନଙ୍କ ଭିତରୁ ଜଣେ ପଚାରିଲା, “ଆରେ ଭାଇ ଦୁର୍ଯ୍ୟୋଧନ, ଗପିବା ଛଡା ତୁ ଆଉ କ’ଣ କରିପାରୁ କହିଲୁ ଭଲା ।”
ତହୁଁ ଦୁର୍ଯ୍ୟୋଧନ ଉତ୍ତର ଦେଲା, “କାହିଁକି, ତମ ସମସ୍ତଙ୍କଠାରୁ ମୁଁ ବେଶି ଖାଇ ପାରେ!”
ତା’ସାଙ୍ଗମାନେ ପ୍ରଶ୍ନ କଲେ, “ଆଚ୍ଛା ତୁ କେତେ ଖାଇ ପାରିବୁ?” ସେଉଠୁ ସ୍ଥିର ହେଲା କି ସେମାନଙ୍କ ଭିତରେ ପିଜୁଳି ଖାଇବାରେ ପ୍ରତିଯୋଗିତା ହେବ । ତାଙ୍କ ଗାଁରେ ତ ପିଜୁଳି ଅଭାବ ନଥିଲା । ତୋଳା ହୋଇ ଆସିଲା । ଅନ୍ୟମାନେ ଚାରି ପାଞ୍ଚଟା ଲେଖାଏଁ ଖାଇ ଅଟକିଗଲେ । କିନ୍ତୁ ଦୁର୍ଯ୍ୟୋଧନ ସାରା ପାଛିଆକଯାକ ଖାଇ ଶେଷ କରିଦେଲା ।