ଅଗ୍ନିଦ୍ୱୀପରୁ ଉଗ୍ରଦତ ନିଜର ପାଳକ ପିତା ରାକ୍ଷସ ଉଗ୍ରାକ୍ଷ ପାଖକୁ ଖବର ପଠାଇଲେ କି ସେ ତୁରନ୍ତ ତାଙ୍କ ସହାୟତା କରିବା ନିମନ୍ତେ ଆସିବା ଆବଶ୍ୟକ । ଫଳରେ ଉଗ୍ରାକ୍ଷ ସଙ୍ଗେ ସଙ୍ଗେ ତା’ ଅନୁଚରମାନଙ୍କୁ ଧରି ନୌକାରେ ଅଗ୍ନିଦ୍ୱୀପ ଅଭିମୁଖେ ବାହାରି ପଡିଲା । ସେମାନେ ଦ୍ୱୀପର ନିକଟବର୍ତ୍ତୀ ହେବା ବେଳକୁ ଗୋଟାଏ ଭୟଙ୍କର ପକ୍ଷୀ ସେମାନଙ୍କ ଉପରେ ଉଡିବାର ଦେଖାଗଲା । ତା’ପରେ…
ଭୟଙ୍କର ପକ୍ଷୀ ନୌକା ଆଡେ ଉଡି ଆସିବାର ଦେଖି ରାକ୍ଷସମାନେ ଅତ୍ୟନ୍ତ ଭୟଭୀତ ହେଲେ । ଉଗ୍ରାକ୍ଷ ଗର୍ଜନ କରି କହିଲା, “ସଙ୍ଗେ ସଙ୍ଗେ ମଶାଲ୍ ମାନ ଜାଳ!”
ସଙ୍ଗେ ସଙ୍ଗେ ରାକ୍ଷସମାନଙ୍କ ହାତରେ କେତୋଟି ମଶାଲ୍ ଜଳି ଉଠିଲା । ଭୟଙ୍କର ପକ୍ଷୀ ଉପରେ ସବାର ହୋଇଥିବା ବ୍ୟାଘ୍ରଚର୍ମଧାରୀମାନେ ନୌକା ଉପରକୁ ପଥର ବର୍ଷା କଲେ । ଫଳରେ କିଛି ସମୟ ପାଇଁ ଅବସ୍ଥା ଭାରି ଗୁରୁତର ହେଲା । ରାକ୍ଷସମାନେ ମଶାଲମାନ ଟେକି ପକ୍ଷୀକୁ ଡରାଇଲେ । ପକ୍ଷୀଟି ବାରମ୍ବାର ତଳକୁ କ୍ଷେପି ଆସି ସତେ ଅବା ନୌକା ଉପରେ ବସି ପଡିବ, ଏହିପରି ଭାବ ଦେଖାଇ ତା’ପରେ ଉଡି ଉଡି ଦ୍ୱୀପ ଆଡକୁ ସେ ଚାଲିଗଲା ।
ସେମାନଙ୍କୁ ପଥ ନିର୍ଦ୍ଧେଶ କରୁଥିବା ଶମ୍ବୁକ କହିଲା “କିନ୍ତୁ ଏଠାରେ ସ୍ଥଳଭାଗକୁ ଉଠିବା ଆଦୌ ସମ୍ଭବ ନୁହେଁ । ଦୁଇ ଅଗ୍ନି ପର୍ବତ ମଧ୍ୟରେ ଥିବା ଜଳରାଶି ଉପର ଦେଇ ଆମକୁ ଅନ୍ୟ ଏକ ଅଂଚଳରେ ଯାଇ ପହଁଚିବାକୁ ହେବ । ସେଠାରୁ ଦ୍ୱୀପର ମଧ୍ୟ ଭାଗକୁ ଯିବାକୁ ହେବ ।”
ଦୁଇ ଅଗ୍ନି ପର୍ବତ ମଧ୍ୟରେ ସେମାନେ ଗୋଟିଏ ଘାଟି ଦେଖି ପାରିଲେ । ତେବେ ସେମାନେ ଯେ ଆଶା କରିଥିଲେ ସେ ଘାଟି ନିର୍ଜନ ହୋଇଥିବ ଏବଂ ସେମାନେ ସହଜରେ ସେଠାରେ ପହଁଚି ଗନ୍ତବ୍ୟ ସ୍ଥାନକୁ ଯିବେ, ତାହା ସମ୍ଭବ ହେଲା ନାହିଁ । ସେତେବେଳକୁ ସେ ଘାଟି ଅକ୍ତିଆର୍ କରିବା ନିମନ୍ତେ ବ୍ୟାଘ୍ରଚର୍ମଧାରୀ ଓ ଭଲ୍ଲୁକଚର୍ମଧାରୀଙ୍କ ଭିତରେ ସଂଘର୍ଷ ଉପୁଜିଥାଏ । ଭୟଙ୍କର ପକ୍ଷୀରେ ସବାର୍ ହୋଇ ବ୍ୟାଘ୍ରଚର୍ମଧାରୀମାନେ ଅନ୍ୟ ପକ୍ଷ ଉପରେ ଆକ୍ରମଣ କରୁଥାନ୍ତି ।
ରାକ୍ଷସମାନେ ନୌକାରୁ ଅବତରଣ କଲେ । ସେଥିରେ ଭଲ୍ଲୁକଚର୍ମଧାରୀମାନଙ୍କ ଭିତରେ ଆନନ୍ଦ ଖେଳିଗଲା । ହଠାତ୍ ଅବସ୍ଥା ବଦଳିଯିବାର ଦେଖି ବ୍ୟାଘ୍ରଚର୍ମଧାରୀମାନେ ଶଙ୍କି ଯାଇ ଦ୍ୱୀପ ଭିତରକୁ ପଳାଇବାକୁ ଲାଗିଲେ ।
ଭଲ୍ଲୁକଚର୍ମଧାରୀମାନଙ୍କ ସାହସ ଓ ଉତ୍ସାହ କ୍ରମେ ବଢିଗଲା । ସେମାନେ ବ୍ୟାଘ୍ରଚର୍ମଧାରୀଙ୍କୁ ତଡି ନେଇଗଲେ । ତାଙ୍କ ଭିତରୁ ଦଳେ ରାକ୍ଷସମାନଙ୍କୁ ସ୍ୱାଗତ କରିବାକୁ ଆଗେଇ ଆସିଲେ । ସେମାନଙ୍କ ଆଗରେ ଉଗ୍ରଦତ ଥିଲେ । ସେ ବି ଭଲ୍ଲୁକଚର୍ମ ଧାରଣ କରିଥିଲେ । ତାହା ଦେଖି ରାକ୍ଷସରାଜ ଉଗ୍ରାକ୍ଷ ବିସ୍ମିତ ହୋଇ କହିଲା, “ଆରେ ପୁଅ! ତୁ ଇଏ କି ପୋଷାକ ପିନ୍ଧିଛୁ?” ତା’ପରେ ତାଙ୍କୁ ନିଜ କାନ୍ଧରେ ବସାଇ ସେ ନାଚିଗଲା ।
ଉଗ୍ରଦତ ତା’ପରେ ରାକ୍ଷସ କାନ୍ଧରୁ ଓହ୍ଲାଇ ଭଲ୍ଲୁକଚର୍ମଧାରୀଙ୍କ ନେତା କନ୍ଧ ସହ ଉଗ୍ରାକ୍ଷର ପରିଚୟ କରିଦେଲେ ଓ କହିଲେ, “ଏହାଙ୍କ ଯୋଗୁଁ ମୋର ପ୍ରାଣରକ୍ଷା ହେଲା ।”
କନ୍ଧ ଉଗ୍ରାକ୍ଷଙ୍କୁ ନମସ୍କାର କରି କହିଲା, “ଆପଣ ଓ ଆପଣଙ୍କ ରାକ୍ଷସ ସେନାଙ୍କୁ ଦେଖି ଆମେ ସତେ ଅବା ଅନ୍ଧାର ଭିତରେ ଆଲୋକ ଦେଖିଲୁ । ଆମ ଶତ୍ରୁପକ୍ଷର ସର୍ଦ୍ଦାର ଏକପାଦ ଭଳି ନିର୍ମମ ମଣିଷ ଅତୀତରେ କେବେ ନଥିଲେ କି ଭବିଷ୍ୟତରେ ବି କେବେ ସମ୍ଭବ ହେବେ ନାହିଁ । ଏକପାଦ ତଥା ତା’ର ମିତ୍ର କରବୀର ଓ ନାଗବର୍ମା ରାଜ୍ୟ ପରେ ରାଜ୍ୟ ଦଖଲ କରି ଲୋକଙ୍କୁ କ୍ରୀତଦାସ ବନାଉଛନ୍ତି । ସେମାନଙ୍କ ଅତ୍ୟାଚାର ବିଷୟ ଗପିଲେ ମୋଟେ ଶେଷ ହେବ ନାହିଁ । ସେମାନଙ୍କୁ ନିଧନ କରିପାରିଲେ ଯାଇ କପିଳପୁର ତଥା ବହ୍ନିଦ୍ୱୀପର କଲ୍ୟାଣ ହେବ ।”