ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ହେ ରାଜନ୍, ତମେ କ’ଣ କାହାର ଆଦେଶ ପାଳନ କରିବାକୁ ଯାଇ ଏତେ କଷ୍ଟ କରୁଛ? ଏପରି କାମ ଯିଏ ବି କରେ ତା’ର ଅସାଧାରଣ ପ୍ରଭୁଭକ୍ତି, ଅତୁଟ ଧୈର୍ଯ୍ୟ, ଅସୀମ ସାହସ ଓ ଉଚ୍ଚ ବିବେକ ବୋଧ ଥିବା ଦରକାର । କିନ୍ତୁ ସବୁ ଥାଇ ମଧ୍ୟ ବ୍ୟକ୍ତି ଅପମାନ ପାଏ ଓ ମାନସମ୍ମାନ, ପଦ, ଅଧିକାର ସବୁ ହରାଇ ପାରେ । ଏପରି ଏକ ଭାଗ୍ୟହୀନ ଗୁପ୍ତଚରର କାହାଣୀ କହୁଛି । ମନଦେଇ ଶୁଣ; ଶୁଣିଲେ ତୁମର ଶ୍ରମଭାର ଲାଘବ ହେବ ।”
ବେତାଳ କହିବାକୁ ଲାଗିଲା: “ଗିରିପୁରର ରାଜା ଧୂମକେତୁ ବଡ କ୍ରୁର ସ୍ୱଭାବର ଥିଲେ । ତାଙ୍କ ମନରେ ସର୍ବଦା ଏକ ଲିପ୍ସା ଥାଏ ସେ କିପରି ପଡୋଶୀ ରାଜ୍ୟ କାମ୍ବୋଜକୁ ନିଜ ଅକ୍ତିଆରକୁ ଆଣିବେ । କାରଣ ନିଜ ରାଜ୍ୟ ଅପେକ୍ଷା ଧନଧାନ୍ୟ ଓ ଐଶ୍ୱର୍ଯ୍ୟରେ ତାହା ଅଧିକ ସୁନ୍ଦର ଓ ଶକ୍ତିଶାଳୀ ଥିଲା । କିନ୍ତୁ ପରାକ୍ରମରେ ତାକୁ ଜିତିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା ।
ଥରେ କାମ୍ବୋଜର ରାଜକୁମାରୀ ତାଙ୍କ ସଖୀମାନଙ୍କ ସହିତ ବୁଲୁ ବୁଲୁ ଗିରିପୁରର ସୀମା ମଧ୍ୟରେ ଥିବା ଏକ ବଣକୁ ଚାଲିଗଲେ । ଧୂମକେତୁ କି ଏ ସୁଯୋଗ ଛାଡିବା ଲୋକ? ସେ ତୁରନ୍ତ ସୈନ୍ୟମାନଙ୍କୁ ପଠାଇ ଏମାନଙ୍କୁ ଧରି ଆଣି ବନ୍ଦୀ କରି ରଖିଲେ ।
ତା’ପରେ ଖୁସି ମନରେ ସେ କାମ୍ବୋଜ ରାଜାଙ୍କ ପାଖକୁ ଏକ ଚିଠି ଲେଖି ଜଣେ ଦୂତ ହାତରେ ତାହା ଦେଇ ପଠାଇଲେ । ସେଥିରେ ଲେଖାଥିଲା, “ହେ ରାଜା, ଆପଣଙ୍କ କନ୍ୟା ମଦାଳସା ଏବେ ମୋ ପାଖରେ ବନ୍ଦୀ । ଯଦି ଦଶଲକ୍ଷ ମୋହର ପଠାନ୍ତି ତେବେ ଯାଇ ମୁଁ ତାଙ୍କୁ ମୁକୁଳାଇ ଦେବି । କିନ୍ତୁ ଯଦି ଆପଣ ମୋ ରାଜ୍ୟ ଉପରେ ଆକ୍ରମଣ କରନ୍ତି ତେବେ ଆପଣଙ୍କ ଝିଅର କେବଳ ଶବମାତ୍ର ହିଁ ଆପଣ ପାଇ ପାରିବେ ।”
ଏ ଖବର ଦୂତଠାରୁ ମନ୍ତ୍ରୀ ପ୍ରଥମେ ପାଇଲେ । ତା’ପରେ ତାକୁ ରାଜାଙ୍କ ପାଖକୁ ନେଇଗଲେ । ତା’ପରେ ମନ୍ତ୍ରୀ କହିଲେ, “ଦୂତ, ତୁମେ ଯାଇ ତୁମର ରାଜାଙ୍କୁ କହିଦିଅ, ଆମେ ତାଙ୍କ ସର୍ତ୍ତରେ ରାଜି ଅଛୁ । ମୋହର ପରେ ପଠା ହେଉଛି ।”
ଦୂତ ଖବର ନେଇ ଫେରିଗଲା । କିନ୍ତୁ କାମ୍ବୋଜର ରାଜା ଖୁବ୍ ରାଗିଯାଇ ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀବର, ଆମେ ତା’ ଦାବୀ ମାନିଗଲେ ଯେ ସେ ଝିଅକୁ ମୁକ୍ତି ଦେବ ସେ ବିଷୟରେ କିପରି ନିଶ୍ଚିତ ହେବା?”
ମନ୍ତ୍ରୀ କହିଲେ, “ମହାରାଜ, ଆମେ ତ ତାଙ୍କୁ ଫଟା କଉଡିଟିଏ ବି ସୁଦ୍ଧା ଦେବାନାହିଁ ।”
ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ଅନାଇଲେ ।
ମନ୍ତ୍ରୀ ଗମ୍ଭୀର ହୋଇ କହିଲେ “ଆମେ ଜଣେ କୁଶଳୀ ଓ ବିଶ୍ୱାସୀ ଗୁପ୍ତଚରକୁ ପଠାଇ ରାଜକୁମାରୀକୁ ସେ ଚଣ୍ଡାଳ କେଉଁଠି ଲୁଚାଇ ରଖିଛି ସେ ଖବର ଆଗେ ନେବା । ତା’ପରେ ଯାହା ସବୁ ଠିକ୍ ହେବ ।”
ତା’ପରେ ରାଜା ଓ ମନ୍ତ୍ରୀ କିଛି ସମୟ ଆଲୋଚନା କରି ଠିକ୍ କଲେ ଯେ ଏ କାମ କେବଳ କେଶବବର୍ମା ହିଁ ତୁଲାଇ ପାରିବେ । ଏହାପରେ ମନ୍ତ୍ରୀ କେଶବବର୍ମାଙ୍କୁ ଡକାଇ ତାଙ୍କୁ ସବୁକଥା ବୁଝାଇ ଦେଲେ ।