ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ ନାମରେ ବିଦିତ । (ଲିଙ୍ଗର ଅର୍ଥ ପ୍ରତୀକ) । ଏହା ପରମେଶ୍ୱରଙ୍କ ପ୍ରତୀକ ।
ଏହି ପ୍ରତୀକର ମଧ୍ୟଭାଗରୁ ପରମେଶ୍ୱରୀ ବା ମହାଶକ୍ତିଙ୍କର ବିକାଶ ଘଟିଲା । ଏହି ମହାଶକ୍ତି ଚରାଚର ସୃଷ୍ଟିପାଇଁ ଦାୟୀ । ଏହାଙ୍କ ଅନ୍ୟ ନାମ ପ୍ରକୃତି ବା ମୟାମାୟା ।
ଏହି ଦିବ୍ୟଶକ୍ତି ପୁଣି ଅନ୍ୟ ଏକ ରୂପରେ ଦେଖାଦେଲେ । ମହାବିଷ୍ଣୁ ନାମରେ ସେ ଶକ୍ତି ବିଦିତ । ସୃଷ୍ଟି ଆହୁରି ବ୍ୟାପ୍ତ ହେବା ଆବଶ୍ୟକ ବୋଲି ମହାବିଷ୍ଣୁଙ୍କ ନାଭିଦେଶରୁ ଏକ ପଦ୍ମ ନିର୍ଗତ ହେଲା । ବହୁ ଯୋଜନ ବ୍ୟାପ୍ତ ଏହି ଅଦ୍ଭୁତ ପୁଷ୍ପ ଭିତରୁ ବ୍ରହ୍ମା ତଥା ସରସ୍ୱତୀ ଉଦ୍ଭବ ହେଲେ ।
ବ୍ରହ୍ମା ବିସ୍ମୟ ବିସ୍ଫାରିତ ନେତ୍ରରେ ଚତୁର୍ଦ୍ଦିଗକୁ ବୃଷ୍ଟିପାତ କଲେ । ସେ କେଉଁଠାରୁ ଆସିଲେ? ଏ ପଦ୍ମର ଉତ୍ସ କେଉଁଠାରେ? ଏହା ନିରୂପଣ କରିବା ନିମନ୍ତେ ସେ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ ।
ସେତିକିବେଳେ ତାଙ୍କ ଆଗରେ ବିଷ୍ଣୁ ଆବିର୍ଭୁତ ହେଲେ । ବ୍ରହ୍ମା ଆଶ୍ମର୍ଯ୍ୟ ହୋଇ ତାଙ୍କୁ ପଚାରିଲେ, “ତୁମେ କିଏ?”
ବିଷ୍ଣୁ କହିଲେ “ମୁ ବିଷ୍ଣୁ । ତୁମେ ବ୍ରହ୍ମା । ତୁମ ଦ୍ୱାରା ସୃଷ୍ଟିକାର୍ଯ୍ୟ ହେବ । ତେଣୁ ତୁମେ ମୋ ନାଭିପଦ୍ମରୁ ସୃଷ୍ଟି ହୋଇଛ । ବର୍ତ୍ତମାନ ସୃଷ୍ଟି କାର୍ଯ୍ୟ ଆରମ୍ଭ କର ।”
କିନ୍ତୁ ବ୍ରହ୍ମା କହିଲେ, “ମୁଁ ସୃଷ୍ଟି କରିବାକୁ କେତେ ଦୂର ସକ୍ଷମ? ମୋର ବଳ ବା କେତେ? ଆସ, ତୁମ ସହ ଲଢି ମୁଁ ତାହା ପରୀକ୍ଷା କରିବି ।”
ବ୍ରହ୍ମା ନିଜର ଶକ୍ତି ପରୀକ୍ଷା କରିବା ନିମନ୍ତେ ବିଷ୍ଣୁଙ୍କ ସହ ଯୁଦ୍ଧ କରିବା ଛଡା ଅନ୍ୟ କୌଣସି ଉପାୟ ଦେଖୁ ନଥିଲେ । ସେତେବେଳେ ତାଙ୍କ ନିଜ ଶକ୍ତି ସମ୍ପର୍କରେ ତାଙ୍କର ନିଜର କୌଣସି ଧାରଣା ହିଁ ନଥିଲା ।
କିନ୍ତୁ ବିଷ୍ଣୁ ହସିଲେ । ଯୁଦ୍ଧ ପାଇଁ ତାଙ୍କର ପ୍ରବୃତି ନଥିଲା । ସେ ବ୍ରହ୍ମାଙ୍କୁ ଆତ୍ମବିଶ୍ୱାସ ଦେବା ନିମନ୍ତେ ଅନ୍ୟ ଉପାୟ ଚିନ୍ତା କଲେ ।
ବିଷ୍ଣୁ ଓ ବ୍ରହ୍ମାଙ୍କ ମଝିରେ ଜ୍ୟୋତିର୍ଲିଙ୍ଗ ପ୍ରତ୍ୟକ୍ଷ ହେଲେ । ବିଷ୍ଣୁ କହିଲେ, “ଆସ, ଏହି ଜ୍ୟୋତିର୍ଲିଙ୍ଗର ବ୍ୟାପ୍ତି ନିରୂପଣ କରିବାକୁ ଚେଷ୍ଟା କରିବା । ସେଇଥିରୁ ହିଁ ଆମର ବଳ ଜଣା ପଡିଯିବ ।”