ସୂର୍ଯ୍ୟବର୍ମାଙ୍କ ନିଧନ ସମ୍ବାଦ ତାଙ୍କ ପୁଅକୁ ଦେବା ନିମନ୍ତେ ସୁବାହୁ ନାମକ ସେବକ ଘୋଡା ଚଢି ପାର୍ବତ୍ୟ ପଥରେ ଯାଉଁ ଯାଉଁ ଘୋଡାଟି ମୃତ୍ୟୁ ମୁଖରେ ପଡିଲା । ସୁବାହୁ ଦଳେ ଲୋକଙ୍କୁ ଦେଖି ସେମାନଙ୍କଠିଁ ପହଁଚିଲା, କିନ୍ତୁ ସେଠି ତାକୁ ସନ୍ଦେହ କରି ଅନ୍ୟମାନେ ଘେରିଗଲେ । ତା’ପରେ–
ସୁବାହୁ ମୁହୂର୍ତ୍ତକ ନିମନ୍ତେ ନିଶ୍ଚେଷ୍ଟ ହୋଇଗଲେ । ମୃତ୍ୟୁ ନିକଟ ହୋଇଗଲାଣି ଭାବି ସେ ଭୟଭୀତ ହୋଇ ରହିଲେ । ସୂର୍ଯ୍ୟବର୍ମାଙ୍କ ମୃତ୍ୟୁ ସମ୍ବାଦ ତାଙ୍କ ପୁଅକୁ ଦେବା ପରେ ନିଜ ମୃତ୍ୟୁକୁ ସେ ଖାତର୍ କରନ୍ତେ ନାହିଁ । କିନ୍ତୁ ବର୍ତ୍ତମାନ ନିଜର ମୃତ୍ୟୁ ସାରା ବୀରପୁର ରାଜ୍ୟ ପାଇଁ ହାନିକର ହେବ । ଇଶ୍ୱରଙ୍କ କୃପାରୁ ଯଦି ସେ କୌଣସି ମତେ ଏମାନଙ୍କ କବଳରୁ ଖସିଯାଇ ପାରନ୍ତି ତେବେ କେଡେ ଭଲ ନ ହେବ ।
“ତମେ କିଏ? ଜବାବ୍ ଦିଅ!” କ୍ରୁର କଣ୍ଠରେ ଏହା କହି ସେ ଘୋଡସବାର ତାଙ୍କ ପାଖକୁ ଆସି ତାଙ୍କୁ ଝିଙ୍କିଦେଲା ।
ଜଣେ ଗ୍ରାମବାସୀ ସହାନୁଭୂତିପୂର୍ଣ୍ଣ କଣ୍ଠରେ କହିଲା, “ଆରେ ବାବୁ, ଭିଖାରୀଟାକୁ ହିନସ୍ତା କରି କ’ଣ ବା ପାଇବ? ଭୋକ ଶୋଷ ଯୋଗୁଁ ବିଚରାର କଣ୍ଠ ରୁଦ୍ଧ ହେଲାପରି ମନେହୁଏ ।”
ସେ କଥା ଶୁଣି ସୁବାହୁ ଟିକିଏ ଆଶ୍ୱସ୍ତ ଅନୁଭବ କଲେ । ଭିଖାରୀ ରୂପେ ଅଭିନୟ କରି ବର୍ତ୍ତୀଯିବା ଅସମ୍ଭବ ନୁହେଁ ବୋଲି ସେ ବୁଝିଲେ ।
ମୁହଁରେ କାକୁସ୍ତ ଭାବ ଫୁଟାଇ ସୁବାହୁ କହିଲେ “ବାବୁ, ମୋତେ ଖଣ୍ଡିଏ ରୋଟି ମିଳିଯାଉ…!” ଓ ତା’ପରେ ସେ ଘୋଡସବାର୍ର ଲଗାମକୁ ଧରି ପକାଇଲେ ।
“ଭାଗ, ଭାଗ! ତୋତେ ରୋଟି ନ ଯୋଗାଇବା ଛଡା ଆମର ଯେପରି ଆଉ କିଛି କାମ ନାହିଁ! ଲୋକଟା କାଳେ ଗୁପ୍ତଚର ହୋଇଥିବ ଭାବି ମୁଁ ସିନା ଶଙ୍କି ଯାଇଥିଲି!” ଏହା କହି ଘୋଡସବାର୍ ତା’ ହାତରୁ ଲଗାମ୍ ଛଡାଇ ନେଲା ।
ଦ୍ୱିତୀୟ ଘୋଡସବାର ପଚାରିଲା “ଫୁଙ୍କି ଦେଲେ ଉଡିଯିବ, କିନ୍ତୁ ହାତରେ କେମିତି ମୋଟା ଲାଠି ଧରିଛି ଦେଖ! କିରେ, ଲାଠି ଧରିଛୁ କାହିଁକି? ବାଟଘାଟରେ କାହାକୁ ଏକୁଟିଆ ଦେଖି ପିଟିଦେଉ କିରେ?”
ସୁବାହୁ କୈଫିୟତ୍ ଦେବାକୁ ଯାଇ କହିଲେ “ହଜୁର! କେତେବେଳେ ବାଘ ଭାଲୁ ବାହାରି ପଡିବେ, ସେଥିପାଇଁ ଏ ଲାଠି ଖଣ୍ଡିକ ମୁଁ ହାତରେ ଧରିଥାଏ!”