ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ବୋଧ ନକରି ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ କାନ୍ଧରେ ପକାଇ ସେ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ତୁମେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ନିଜ ପ୍ରାଣକୁ ତୁଚ୍ଛକରି ଯେପରି କାର୍ଯ୍ୟରେ ହାତ ଦେଇଛ ନା, ତାହା ତ ସୂଚାଇ ଦେଉଛି ଯେ ତମେ ଜଣେ ଅସାଧାରଣ ମଣିଷ । ତୁମର ଏଭଳି ସାହସ ପଛରେ କାହାର ପ୍ରେରଣା ରହିଛି, ତା’ ତ ମୁଁ ଜାଣେନା । ହେଲେ ସେ ଜଣେ ଋଷି ହୋଇଥିବା କିଛିବି ଅସମ୍ଭବ ନୁହେଁ । କିନ୍ତୁ ଦେଖାଯାଏ ଯେ, ମୁନି ଋଷିଙ୍କ ଆଶୀର୍ବାଦ ପାଇ ମଧ୍ୟ ଥରେ ଥରେ ଜଣେ ନିଜ ନିଜ ପ୍ରସ୍ତାବିତ କାମରୁ ଓହରି ଆସନ୍ତି । ଏହି କଥାର ମର୍ମ ବୁଝାଇଦେବା ନିମନ୍ତେ ମୁଁ ଗୋଟିଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ମୋକଥା ଶୁଣିଲେ ତମ ଶ୍ରମଭାର ଅବଶ୍ୟ ଲାଘବ ମନେ ହେବ ।”
ଏତିକି କହିସାରି ସେ ବେତାଳ ଗପିଲା: ମୟୁରୀ ରାଜ୍ୟର ଏକ ଗ୍ରାମରେ ଧର୍ମଦାସ ନାମକ ଜଣେ କୃଷକ ବାସ କରୁଥିଲେ । ତାଙ୍କର ଏକମାତ୍ର ପୁତ୍ର ବିନୟର ସ୍ୱଭାବ ଅତି ଭଲ, କିନ୍ତୁ ପାଠ ପଢାରେ ତା’ର ମନ ମୋଟେ ଲାଗୁନଥାଏ । ଧର୍ମଦାସ ତାଙ୍କ ପୁଅକୁ ଧମକଚମକ ବା ଦଣ୍ଡଦେବା ସପକ୍ଷରେ ନଥାନ୍ତି । ସେ ଖାଲି ଧୈର୍ଯ୍ୟ ଧରି ଅପେକ୍ଷା କରିଥାନ୍ତି । ତେବେ ଯେତେବେଳେ ତାଙ୍କ ପୁଅକୁ ବାରବର୍ଷ ପୁରିଗଲା, ସେତେବେଳେ ସେ ତାକୁ କହିଲେ, “ପୁଅ, ମୁଁ ବୁଝୁଛି ଯେ ଏ ପାଠପଢା ତୋ ଭାଗ୍ୟରେ ନାହିଁ । ତାହେଲେ ଠିକ୍ ଅଛି । କିନ୍ତୁ ପାଠ ନ ପଢିଲେ କାମଦାମ କରି ସମୟର ଉପଯୋଗ କରିବା ଉଚିତ୍ । ନହେଲେ ତୁ ଅଳସୁଆ ହୋଇଯିବୁ । ଆଉ ଏ ଅଳସୁଆମି ଗୋଟାଏ ସାପ । ତେଣୁ ତୁ ଆଜି ଉପରଓଳି ଆମ ଗାଈଗୋରୁମାନଙ୍କୁ ଚରେଇବାକୁ ନେଇ ଯା ତ ।”
ବିନୟ ଉପରଓଳି ଗାଈଗୋରୁମାନଙ୍କୁ ଧରି ପଡିଆକୁ ଗଲା । ପଡିଆ ପାଖରେ ବଣ । ଗୋରୁମାନଙ୍କୁ ଚରିବାକୁ ଛାଡିଦେଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲା । ଏହାପରେ ତାକୁ ନିଦ ଲାଗିଗଲା ।
ତା’ ନିଦ ଭାଙ୍ଗିଲାବେଳକୁ ବେଳ ପ୍ରାୟ ବୁଡି ଗଲାଣି । ସେ ଦେଖିଲା ପଡିଆ ଭିତରେ ଗୋରୁଗାଈ ଆଉ ନାହାଁନ୍ତି । ତାହେଲେ ସେମାନେ ଏବେ ଗଲେ କୁଆଡେ? ସେମାନଙ୍କୁ ନ ନେଇ ସେ ଘରକୁ ଫେରି ବାପା ଆଗରେ ମୁହଁ କିପରି ଦେଖାଇବ?
ଗୋରୁଗାଈ କାଳେ ବଣ ଭିତରକୁ ଚାଲିଯାଇଥିବେ ବୋଲି ଭାବି ବିନୟ ବଣରେ ପଶିଲା । ବଣ ଭିତରେ ବୁଲିବା ପାଇଁ ତା’ର ବହୁତ ଆଗ୍ରହ ଥାଏ । କାରଣ ସେ ତା’ ମାଠୁଁ ଶୁଣିଥାଏ, ବଣ ଭିତରେ ମୁନି ଋଷି ଥାନ୍ତି । ସେମାନଙ୍କ ଦୟାରେ ମଣିଷର ବହୁତ ଉନ୍ନତି ଘଟିପାରେ ।