ଶ୍ରୀପତି ପ୍ରଧାନଙ୍କ ଘର ସୁଜନଗଡ ଗାଁରେ । ତାଙ୍କ ପୁଅ ଭୂପତି ଯୁବକ ହେଲେ ବି ସେ କିଛି କାମଦାମରେ ମୋଟେ ଆଗ୍ରହ ଦେଖାଉ ନଥାଏ । ଅର୍ଥାତ୍ ତା’ ବାପାଙ୍କ ଉପରେ ସେ ପୁରା ନିର୍ଭର କରି ରହିଥାଏ । ତା’ ବାପା ତ ବେଶ୍ ଥିଲାବାଲା ଲୋକ । ଜମି ଅନେକ । ତେଣୁ ଚିନ୍ତା ଆଉ କ’ଣ?
କିନ୍ତୁ ହଠାତ୍ ଶ୍ରୀପତି ଅସୁସ୍ଥ ହୋଇ ପଡିଲେ । ସେ ବୁଝିପାରିଲେ ଯେ ଏଥର ତାଙ୍କ ମୃତ୍ୟୁ ସନ୍ନିକଟ । ତେଣୁ ସେ ତାଙ୍କ ପୁଅ ଭୂପତି ଓ ଭୂପତିର ମାମୁଁ ଜୟକୁ ଡାକି ଗୋଟାଏ ବ୍ୟବସ୍ଥା କଲେ । ଜୟ ଭୂପତିକୁ ସବୁ ବିଷୟରେ ପରାମର୍ଶ ଦେବ । ଭୂପତି ଜମିଜମା ଚାଷ କରିବ, କିନ୍ତୁ ସେସବୁକୁ ସେ କଦାପି ମଧ୍ୟ ବିକ୍ରି କରିପାରିବ ନାହିଁ ।
ଏହା ପରେ ଶ୍ରୀପତି ପ୍ରଧାନଙ୍କ ମୃତ୍ୟୁ ହେଲା । ଭୂପତି ଜମିଜମା ବୁଝାବୁଝି କରିବାକୁ ଆରମ୍ଭ କଲା । କିନ୍ତୁ ସେଥିରେ ତା’ର ମନରେ ଆଦୌ ସନ୍ତୋଷ ଆସିଲା ନାହିଁ । କୋଉ ବର୍ଷ ତୋଫାନ୍ରେ ଫସଲ ନଷ୍ଟ ହୁଏତ ତା’ ପରବର୍ଷ ମରୁଡି ହୁଏ । ଏଭଳି ପରିସ୍ଥିତିରେ ଜମିରୁ କ’ଣ ବା ଲାଭ ମିଳିବ? ଦିନେ ସେ ଭୂପତି ତା’ମାମୁଁଙ୍କୁ ସବୁ କହିଲା । ସବୁକଥା ଶୁଣି ମାମୁଁ କହିଲେ, “ତୁ ତ ପାଠସାଠ ପଢିଥିବା ଯୁବକ । ତୋତେ ଏ ଚାଷରୁ ପୁଣି କାହୁଁ ଆନନ୍ଦ ମିଳିବ? ତେଣୁ ତୁ ଯାଇ ବ୍ୟବସାୟ କର ।”
ଏକଥା ଶୁଣି ଭୂପତି କହିଲା “ମାମୁଁ! ହେଲେ ବ୍ୟବସାୟ ପାଇଁ ମୂଳଧନ କାହିଁ? ଜମି ବିକ୍ରି କଲେ ହୁଅନ୍ତା ଯେ, କିନ୍ତୁ ବାପାଙ୍କ ଦଲିଲ୍ ଅନୁସାରେ ମୁଁ ତ ଆଉ ଜମି ବିକିପାରିବି ନାହିଁ ।”
ଭଣଜାର ଏପରି କଥା ଶୁଣି ମାମୁଁ ହସିଲେ ଓ କହିଲେ, “ଆରେ ଭୂପତି, ଜମି ବିକ୍ରି ନହେଲେ କ’ଣ ତୋତେ ମୂଳଧନ ମିଳିବ ନାହିଁ? ଯେତେ ଲୋକ ବେପାର କରନ୍ତି, ସେମାନେ ସମସ୍ତେ କ’ଣ ଜମି ବିକ୍ରି କରନ୍ତି?”
ଭୂପତି ଚିନ୍ତିତ ହୋଇ କହିଲା “ମୁଁ ତ ତମ କଥା କାହିଁ କିଛି ବି ବୁଝି ପାରୁନାହିଁ । ଏଭଳି ପରିସ୍ଥିତିରେ ମୋତେ ପୁଣି ଟଙ୍କା ଦେବ କିଏ?”
ଜୟବାବୁ କହିଲେ “ଆରେ ଭଣଜା, ଟଙ୍କା ଦେବା କାହାର କାମ? ସାହୁକାରର । ସେ ହିଁ ଦେବ!”
ଭୂପତି ପଚାରିଲା “କିନ୍ତୁ ଯଦି ବେପାରରେ ଲାଭ ନ ହେଲା, ତେବେ ତା’ ଟଙ୍କା ମୁଁ କିପରି ପରିଶୋଧ କରିବି?”
ମାମୁଁ ଉତ୍ସାହ ଦେଇ ତାଙ୍କ ଭଣଜାକୁ କହିଲେ “ପରିଶୋଧ କରିବୁ ନାହିଁ । ବାସ୍! ସିଏ ତୋର କ’ଣ କରିବ ଆମେ ଦେଖିବା? ଜମି ବିକ୍ରି କରିବା ତ ତୋ ଅଧିକାରର ବହିର୍ଭୁତ । ତେଣୁ ସିଏ ଆଉ କ’ଣ ବା କରିବ? ପରିଶେଷରେ ସେ ଚୁପ୍ଚାପ୍ ହୋଇ ରହିବ ।”