ଦୁର୍ଗାପୁରର ଜମିଦାର ଲକ୍ଷ୍ମୀକାନ୍ତଙ୍କ ମାଳୀ ଭୋଳା ବୁଢା ହୋଇଯିବାରୁ ତା’କାମରୁ ସେ ଏଥର ଅବସର ନେବାକୁ ଚାହିଁଲା । ତେଣୁ ଜମିଦାର ତା’ର ଦରମା ବ୍ୟତୀତ ତାକୁ ଆଉ ଅଧିକ କିଛି ଧନ ଦେଇ କାମରୁ ଛୁଟି ଦେଲେ । ମାତ୍ର ଯିବା ପୂର୍ବରୁ ଜମିଦାର ସେ ଭୋଳାକୁ କହିଲେ, “ଦେଖ, ଭୋଳା, ତୁ ଯିବା ପୂର୍ବରୁ ତୋ ସ୍ଥାନରେ ତୋ ପରି ଜଣେ ଭଲ ମଣିଷକୁ ରଖାଇଦେଇ ଯିବୁ ।”
ଏଣେ ଭୋଳାର ସ୍ଥାନ ଖାଲି ହେଉଛି ବୋଲି ଶୁଣି ତିନିଜଣ ବଳିଷ୍ଠ ଲୋକ ସେହି ସ୍ଥାନ ପାଇଁ ପ୍ରାର୍ଥୀ ଥା’ନ୍ତି । ଭୋଳା ଓ ଜମିଦାର ଫାଟକ ନିକଟରେ ଠିଆ ହୋଇ କଥା ହେଉଥା’ନ୍ତି; ଠିକ୍ ଏହି ସମୟରେ ସେ ତିନିଜଣଯାକ ଆସି ସେଠାରେ ପହଁଚିଲେ ।
ସେଠାରେ ପଡିଥିବା ଏକ ବଡ ପଥରକୁ ଦେଖାଇ ଭୋଳା କହିଲା “ଶୁଣ, ତୁମ ଭିତରୁ କେହି ଜଣେ ପ୍ରଥମେ ଏହି ବଡ ପଥରଟିକୁ ଏଠାରୁ ଅନ୍ୟ ସ୍ଥାନକୁ ନେଇ ଯାଅ ।”
ଏହା ଦେଖି ସେଥିରୁ ଦୁଇଜଣ ପ୍ରାୟ ଏକ ସ୍ୱରରେ କହି ଉଠିଲେ, “ଇରେ ବାବା, ଏଡେ ବଡ ପଥର ପୁଣି କିଏ ଠେଲି ଉଠାଇବ? ଆମେ ତ ବଗିଚା କାମ କରିବାକୁ ଆସିଛୁ । ଏ କାମ ଆମ ଦେଇ ତ ଆଦୌ ହେବ ନାହିଁ ।” ଏହି କଥା କହି ସେ ଦୁଇଜଣ ତୁରନ୍ତ ସେ ସ୍ଥାନ ଛାଡି ପଳାଇଲେ ।
ତୃତୀୟ ବ୍ୟକ୍ତିଟି କହିଲା, “ଆପଣ ଶାବଳଟିଏ ଦିଅନ୍ତୁ ମୁଁ ଏଇଟିକୁ ଏଠାରୁ ବାହାର କରି ଦେବି । କିନ୍ତୁ ଏହା ଏଠାକୁ ଆସିଲା କିପରି?” ଏକଥା କହି ସେ ପାଦ ଦେଇ ଠେଲି ଦେବା ମାତ୍ରେ ସେଇଟା ସଙ୍ଗେସଙ୍ଗେ ଗଡିଗଲା ।
ଶୁଖିଲା ପତ୍ରକୁ ଏକ ବଡ ବସ୍ତାରେ ପୁରାଇ ତା’ଉପରେ ରଙ୍ଗ ଦେଇ ନିଜେ ଭୋଳାହିଁ ଏକ ବଡ ପଥରର ଭ୍ରମ ସୃଷ୍ଟି କରିଥିଲା । ଭୋଳା ତୃତୀୟ ବ୍ୟକ୍ତି ଶଙ୍କରଙ୍କ ଲାଗି ସୁପାରିଶ କରି ଜମିଦାରଙ୍କୁ କହିଲା, “ପରିଶ୍ରମ କରି ଅର୍ଜ୍ଜନ କରିବାର ଇଚ୍ଛା କେବଳ ଏହି ବ୍ୟକ୍ତି ଭିତରେ ହିଁ ଅଛି । ତେଣୁ ଏହାକୁହିଁ ଆପଣ ମାଳୀ ଭାବରେ ରଖନ୍ତୁ ।” ଏହାପରେ ସେ ଜମିଦାର ଶଙ୍କରକୁ ମାଳୀ ରୂପରେ ନିଯୁକ୍ତ କଲେ ।