ମହେନ୍ଦ୍ର ସିଂହ ଶଙ୍ଖେଶ୍ୱରର ଜଣେ ବଡ ଜମିଦାର ଥିଲେ । ତାଙ୍କ ପୈତୃକ ଜମିଦାରି ଶଙ୍ଖେଶ୍ୱରଠୁଁ କିଛି ଦୂରରେ ସେ ଆଉ ଖଣ୍ଡିଏ ଜମିଦାରି କିଣିଥିଲେ । ସେଠାକାର ପ୍ରଜାମାନେ ଠିକ୍ ସମୟରେ ଆସି କଚେରୀରେ କର ଦାଖଲ୍ ନ କରିବାରୁ ଜମିଦାରଙ୍କୁ ତାଙ୍କ ଗୁମାସ୍ତା କହିଲେ, “ସେମାନଙ୍କୁ ତାଗ୍ଦା ନ ଦେଲେ ସେମାନେ କର କଦାପି ବି ଦେବେ ନାହିଁ ।”
ଏକଥା ଶୁଣି ଜମିଦାର ପଚାରିଲେ “ତେବେ କ’ଣ କରାଯିବ?”
ତହୁଁ ସେ ଗୁମାସ୍ତା କହିଲେ, “ମୁଁ ନିଜେ ଲୋକ ନେଇ ଯାଏଁ । ଟଙ୍କା ଅସୁଲ୍ କରି ଆଣିବି ।”
ଜମିଦାର ଗୁମାସ୍ତାଙ୍କ ଏ ପରାମର୍ଶ ଠିକ୍ ବୋଲି ବୁଝିଲେ । ତେଣୁ ଗୁମାସ୍ତା ଚାରିଜଣ ବିଶ୍ୱସ୍ତ ଲୋକଙ୍କୁ ଧରି ସେଠାରୁ ବାହାରି ଗଲେ ।
ଦୂରବର୍ତ୍ତୀ ଜମିଦାରିରେ ସେମାନେ ତିନିଦିନ ରହି ସବୁ ଖଜଣା ଅସୁଲ କଲେ । ଚତୁର୍ଥ ଦିନ ସେମାନେ ଶଙ୍ଖେଶ୍ୱର ଅଭିମୁଖେ ବାହାରିଲେ । ଗୁମାସ୍ତା ଆଗେ ଆଗେ ଧୀରେ ଧୀରେ ଘୋଡାରେ ଚାଲିଥାନ୍ତି । ଚାରି ଚାକର ଟଙ୍କା ଥଳିମାନ ପିଠିରେ ପକାଇ ତାଙ୍କୁ ଅନୁସରଣ କରୁଥାନ୍ତି ।
କିନ୍ତୁ ହଠାତ୍ ବାଟରେ ଭୀଷଣ ଝଡ ବର୍ଷା ହେଲା । ତା’ପରେ ସେମାନେ ଗୋଟାଏ ଦୋକାନ ପିଣ୍ଡାରେ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେଲେ । ବର୍ଷା ଛାଡିଯିବା ପରେ ସେମାନେ ସେଠାରୁ ପୁଣି ବାହାରି ପଡିଲେ ।
ସଂନ୍ଧ୍ୟା ହେବା ବେଳକୁ ସେମାନେ ଭଲ ବାଟକୁ ଆସି ଯାଇଥାନ୍ତି, କିନ୍ତୁ ଶଙ୍ଖେଶ୍ୱରରେ ମଝିରାତି ପୂର୍ବରୁ ପହଁଚିବାର ଆଶା ସେମାନଙ୍କର ଆଦୌ ନଥାଏ । ତେଣୁ ଚାକରମାନେ ଗୋଟିଏ ବରଗଛ ମୂଳରେ ବସି ପଡିଲେ ଓ ଗୁମାସ୍ତାଙ୍କୁ କହିଲେ, “ବାବୁ, ଆଜି ପାଇଁ ବାଟ ଚାଲିବା ଆମ ପକ୍ଷରେ ଆଉ ସମ୍ଭବ ନୁହେଁ । ଏଣୁ ଆମେ ଏଇଠି ହିଁ ରୋଷେଇବାସ କରି ଖାଇବୁଁ ଓ ଶୋଇଯିବୁ ମଧ୍ୟ । ଏଥର ଆପଣ ଯା’ନ୍ତୁ ।”
ସେମାନଙ୍କ କଥା ଶୁଣି ଗୁମାସ୍ତା କହିଲେ, “ତାହେଲେ ଠିକ୍ ଅଛି । କିନ୍ତୁ ଟିକେ ସତର୍କ ରହିବ । ଯେମିତିକି ତିନିଜଣ ଶୋଇଲେ ଆଉ ଜଣେ ଚେଇଁଥିବ ।” ଏହା କହି ସେ ଗୁମାସ୍ତା ସେଠାରୁ ଚାଲିଗଲେ ।