ପବିତ୍ର ନାମରେ ପିଲାଟିଏ । ତା’ର ହୃଦୟ ଯେଭଳି ପବିତ୍ର, ଠିକ୍ ସେହିପରି ତା’ର କାର୍ଯ୍ୟ, କଥାବାର୍ତ୍ତା ଆଚରଣ ମଧ୍ୟ । ମାତ୍ର ପିଲାଟି ଦିନରୁ ସେ ଅତ୍ୟନ୍ତ ଦୁଃଖୀ । ବାପଛେଉଣ୍ଡ ପବିତ୍ରର ସମ୍ପତ୍ତିବାଡି ବୋଲି ଝୁମ୍ପୁଡି ଘର ଖଣ୍ଡିକ, ସେଇଠି ସେ ମାଆ ସହିତ ରହେ । ମାଆ ତା’ର ସାଇପଡିସା ଘରେ ବାସି ପାଇଟି କରି ଗୁଜୁରାଣ ମେଂଟାଇ ଦିଏ ।
ପ୍ରଥମେ ପ୍ରଥମେ ପବିତ୍ର ଗାଁ ସ୍କୁଲକୁ ପାଠପଢିବାକୁ ଯାଉଥିଲା । ମାତ୍ର ତା’ର ବାପା ମଲାଦିନଠୁ ତା’ପାଠରେ ଡୋରି ବନ୍ଧା ହୋଇଯାଇଛି । ବାଧ୍ୟ ହୋଇ ପବିତ୍ର ଗାଁ ଲୋକଙ୍କ ଗାଈ ଜଗିବା କାମରେ ଏବେ ଲାଗିଯାଇଛି । ପ୍ରତ୍ୟହ ଗାଈଗୋଠନେଇ ଜଙ୍ଗଲକୁ ଚାଲିଯାଏ ସକାଳୁ, ଫେରି ଆସେ ସଂଜରେ ।
ଦିନକର କଥା, ପବିତ୍ର ଗାଈଗୋଠ ଲେଉଟାଇ ଗାଁକୁ ଫେରୁଛି । ହଠାତ୍ ତା’ର ନଜର ପଡିଗଲା ଗାଈସାଥୀରେ ତା’ର କଅଁଳ ବାଛୁରୀଟି ନାହିଁ । କୁଆଡେ ବଣୁଆ ରାସ୍ତାରେ ପଥହରା ହୋଇ କେଉଁଠି ଅଟକି ଯାଇଛି ବୋଲି ଭାବିଲା ।
ତହୁଁ ପବିତ୍ର ଗାଁରେ ଗାଈପଲକୁ ଛାଡିଦେଇ ଲେଉଟିଲା ପୁଣି ବଣଆଡେ । ମନରେ ଆଶଙ୍କା, କେଉଁଠିଥିବ, କ’ଣ କରୁଥିବ ସେ? ଏମିତି ନାନା ଆଶଙ୍କାରେ ଆଗକୁ ମାଡି ଚାଲୁଚାଲୁ ଦେଖିଲା ବାଛୁରୀଟି କଅଁଳିଆ ଘାସ ଖାଉଛି । ପବିତ୍ରଖୁସିରେ ବାଛୁରୀକୁ ନେଇ ଫେରିଲା ଗାଁକୁ । ଅନ୍ଧାର ମାଡି ଆସିଲାଣି ।