ଶିବପୁରୀର କନକଦାସଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଥିଲେ । ସେ ଦୁଇପୁତ୍ର ହେଲେ ମୋହନ ଦାସ୍, କୃଷ୍ଣ ଦାସ ଓ ଝିଅଟିର ନାମ ରାଧା ଥିଲା । ସେମାନଙ୍କର ଉପଯୁକ୍ତ ବୟସ ହେବାରୁ କନକ ଦାସ ସମସ୍ତିଙ୍କର ବିବାହ କରାଇଲେ । ତାଙ୍କ ପତ୍ନୀ ସୁଗୁଣା ବୋହୁମାନଙ୍କୁ ନିଜ ଝିଅ ପରି ଭଲ ପାଉଥା’ନ୍ତି । ଝିଅ ରାଧା ମଧ୍ୟ ସେହି ଗାଁରେ ବିବାହ କରି ରହିଥାଏ । ତା’ ସ୍ୱାମୀ ଗାଁରେ ଛୋଟ ଦୋକାନଟିଏ ଦେଇ ଭଲରେ ଚଳୁଥାଏ ।
ହଠାତ୍ କନକ ଦାସଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପରେ ପୁଅମାନେ ସମ୍ପତ୍ତିକୁ ଦୁଇଭାଗ କରି ଅଲଗା ଅଲଗା ଘର କରି ରହିଲେ । ସୁଗୁଣା ତା’ର ଦୁଇ ପୁଅଙ୍କ ପାଖରେ ପାଳି କରି ରହୁଥା’ନ୍ତି । ବୋହୁମାନେ ଶାଶୁଙ୍କର ଖୁବ୍ ଯତ୍ନ ନେଉଥା’ନ୍ତି । କିନ୍ତୁ ପରେ ଦେଖାଗଲା ଯେ ଶାଶୁଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା କ୍ରମେ କମିଗଲା । କାରଣ ଶାଶୁଙ୍କର ତ ନିଜର ବୋଲି କୌଣସି ଧନସମ୍ପତ୍ତି ବା ଅଳଙ୍କାର ନଥିଲା । ପୁଅମାନେ ମଧ୍ୟ ବୋହୁମାନଙ୍କ କଥାରୁ ଆଉ ବାହାରି ଯାଇ ପାରିଲେ ନାହିଁ । ଶରୀର ଅସୁସ୍ଥ ହେଲେ ପଇସା ଖର୍ଚ୍ଚ କରି ସେମାନେ ଚିକିତ୍ସା ସୁଦ୍ଧା ବି କରାନ୍ତି ନାହିଁ । ଅଳ୍ପ ଟିକିଏ ତୁଟୁକା ମୁଟୁକା ଦେଇ ଦିଅନ୍ତି । ସୁଗୁଣା ତ ତାଙ୍କ ପୁଅମାନଙ୍କ ସହିତ ଦୁଃଖକଷ୍ଟରେ ଥା’ନ୍ତି । ସେଥିପାଇଁ ତାଙ୍କୁ ରାତିରେ ଭଲ ନିଦ ମଧ୍ୟ ହେଉ ନଥାଏ ।
ବେଶି କଷ୍ଟ ହେବାରୁ ଦିନେ ସେ ଠିକ୍ କଲେ କି ରାଧା ଘରେ ଯାଇ କିଛିଦିନ ସେ ରହି ଆସିବେ ।
ରାଧା ମଧ୍ୟ କିଛିଦିନ ପାଇଁ ମା’ଙ୍କୁ ଭଲରେ ଚଳାଇଲା କିନ୍ତୁ ପରେ ସୁବିଧା ଦେଖି କହିଦିଏ, “ଜମି ସମ୍ପତ୍ତି ସବୁ ତ ଦୁଇପୁଅ ବାଂଟି ନେଲେ, ଆଉ ଏବେ ରଖିବା କଥା ପ୍ରଶ୍ନ ଉଠିବା ବେଳକୁ ଝିଅ । ଇଏ କେଉଁଠିକାର କଥା ।” ଏଭଳି କଥା ଶୁଣି ସୁଗୁଣାଙ୍କ ମନରେ ଗଭୀର ଦୁଃଖ ହୁଏ କିନ୍ତୁ ସେ ଏବେ କ’ଣ ବା କରିବେ?
ସୁଗୁଣା ଭାବିଲେ ତାଙ୍କ ଝିଅ ଯାହା କିଛି ବି କହୁଛି ତାହା ସତ । ଦିନେ ସେ ଗ୍ରାମ ମୁଖିଆଙ୍କ ପାଖକୁ ଗଲେ । ସେ ସମସ୍ତିଙ୍କ ପ୍ରତି ଆଦର ସମ୍ମାନ କରନ୍ତି ଓ ଯାହା ସମାଧାନ କରନ୍ତି ସେକଥା ସମସ୍ତେ ଖୁସିରେ ମାନି ବି ନିଅନ୍ତି ।