ମଣିପୁର ଗ୍ରାମର ଦୁଇଜଣ ଭଦ୍ରଲୋକ ମନ୍ଦିର ତିଆରି କରିବା ପାଇଁ ଚାନ୍ଦା ସଂଗ୍ରହ କରୁଥା’ନ୍ତି । ସେହି ଗ୍ରାମର ଧନୀ ଲୋକ ଭୂଷଣସିଂହ ବହୁତ କଞ୍ଜୁସ୍ ଥିବାରୁ ଚାନ୍ଦାଦାତାଙ୍କ ନାମ ତାଲିକାରେ ତାଙ୍କ ନାମ ଆଦୌ ନଥିଲା । ଏକଥା ଶୁଣି ସେ ମନେ ମନେ ବହୁତ ଅପମାନିତ ବୋଧ କଲେ ।
ଦିନେ ସେ ସହରରୁ ଗ୍ରାମକୁ ଫେରିବା ବେଳେ ଚାନ୍ଦା ସଂଗ୍ରହକାରୀଙ୍କ ସହିତ ତାଙ୍କର ଦେଖାହେଲା । ସେ ଦୁହିଁଙ୍କୁ ଡାକି ଭୂଷଣସିଂହ କହିଲେ, “ଆପଣମାନଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ତେଣୁ କାଲି ମୋ ଘରକୁ ଆସି ଚାନ୍ଦା ନେଇଯିବେ ।” ଏହା ଶୁଣି ସେ ଦୁହେଁ ଉତ୍ସାହର ସହିତ କହିଲେ, “ହଁ ହଁ ଆମେ ନିଶ୍ଚୟ ଆସିବୁ ।” ତା’ ପରଦିନ ସେ ଦୁହେଁ ଭୂଷଣଙ୍କ ଘରେ ଯାଇ ପହଁଚିଲେ । କିଛି ସମୟ ସେମାନେ ମନ୍ଦିର ବିଷୟରେ କଥା ହେବା ପରେ ଭୂଷଣ କହିଲେ, “ଦେଖନ୍ତୁ ଶିବରାଜ, ଆପଣ ତ ଜଣେ ପଶୁ ଚିକିତ୍ସକ । ମୋ ଗାଈର କାନରୁ ପୂଜ ବାହାରୁଛି ତେବେ କ’ଣ କରିବା କହିଲେ?”
ଏହା ଶୁଣି ଶିବରାଜ ଗାଈକୁ ଦେଖି କୌଣସି ପତ୍ରର ରସ ତା’ର କାନରେ ପକାଇ କହିଲେ, “ଏଇ ରସ ଆଉ ଦୁଇ ଚାରି ପାନ ଦେଲେ ଆପଣଙ୍କ ଗାଈଟି ସଂପୂର୍ଣ୍ଣ ସୁସ୍ଥ ହୋଇଯିବ ।”
ତା’ପରେ ଦ୍ୱିତୀୟ ଲୋକକୁ ଚାହିଁ ସେ ଭୂଷଣସିଂହ କହିଲେ, “ଆପଣ ତ ଗୃହନିର୍ମାଣ ବିଦ୍ୟା ଜାଣନ୍ତି । ତେବେ କୁହନ୍ତୁ ତ ମୁଁ ମଇଁଷୀମାନଙ୍କ ପାଇଁ ଗୁହାଳଟିଏ କେଉଁଠି କଲେ ଭଲ ହେବ?”
ତହୁଁ ଦ୍ୱିତୀୟ ଭଦ୍ରଲୋକ ଭୂଷଣସିଂହଙ୍କ ବଗିଚାରେ ବୁଲି ବୁଲି ଗୁହାଳ ନିର୍ମାଣ ପାଇଁ ଏକ ସ୍ଥାନ ବାଛି ଦେଲେ ।
ସେଦିନ ସଂଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ହେଉଥିବା ସଭାରେ ଶିବରାଜ କହିଲେ, “ଶୁଣନ୍ତୁ, ଭୂଷଣସିଂହଙ୍କ ପରି କଞ୍ଜୁସ ଆମକୁ ତାଙ୍କ ଘରକୁ ଡାକି ପଚାଶ ଟଙ୍କା ଚାନ୍ଦା ଦେଇଛନ୍ତି ।”
ତାଙ୍କର ଏଭଳି କଥା ଶୁଣି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଜଣେ ବୃଦ୍ଧ ସେମାନଙ୍କୁ ପଚାରିଲେ, “ଗୋରୁ ଚିକିତ୍ସା ପାଇଁ ଆପଣ କେତେ ନିଅନ୍ତି?” “ନିହାତି କମ୍ରେ ତ କୋଡିଏ ଟଙ୍କା ତ ନେଉଥିବେ ।”
“ଆଉ ଆପଣ ଗୃହନିର୍ମାଣର ସ୍ଥାନ ବାଛିବାରେ କେତେ ନିଅନ୍ତି?”
ତହୁଁ ସେ ଦ୍ୱିତୀୟ ଭଦ୍ରଲୋକ ତଥା ଲକ୍ଷ୍ମଣ ସିଂହ କହିଲେ “ନିହାତି କମ୍ରେ ତ ଶହେ କୋଡିଏ ଟଙ୍କା ।”
ସବୁ ଶୁଣି ସେ ବୃଦ୍ଧ ଅଳ୍ପ ହସି କହିଲେ, “ଓହୋ ତେବେ ତ ଭୂଷଣସିଂହ ପଚାଶ ଟଙ୍କା ଚାନ୍ଦା ଦେଇ ନିଜର ସ୍ୱାର୍ଥ ଓ ପରାର୍ଥ ଉଭୟ କାର୍ଯ୍ୟ ସଂପନ୍ନ କରିଛନ୍ତି ।”