ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଖର୍ଚ୍ଚ କରୁନଥିଲା ।
ଧନୀ ଲୋକଟିର ସବୁବେଳେ ଧନ ବଢେଇବାର ଚିନ୍ତାଥାଏ । ଦିନେ ସେ ରାତିରେ ଶୋଇଲା ବେଳେ ଭାବିଲା, ଏତେ ଧନ ଥିଲେ କ’ଣ ହେଲା, ଆମ ଦେଶର ରାଜାଙ୍କଠାରୁ ତ କମ୍ ।
ଠିକ୍ ଏତିକିବେଳେ ଧନୀ ଲୋକଟି ଦିନେ ରାତିରେ ସ୍ୱପ୍ନରେ ଦେଖିଲା କିଏ ଜଣେ ଆସି ତା’ କାନ ପାଖରେ କହିଗଲେ, ତୋ’ଘର ଆଗରେ ଏକ ଅଖାମୁଣିରେ ସୁନାମୋହର ଅଛି । ସେଥିରୁ ଯେତେ ମୋହର ବାହାର କରିବୁ ସେଥିରେ ସେତିକି ଭର୍ତ୍ତି ହୋଇଯାଉଥିବ । ମୁଣିଟି କେବେହେଲେ ଖାଲି ହେବ ନାହିଁ । ଆଉ ମନେରଖ, ତୋର ଯେତିକି ମୋହର ଦରକାର ବାହାର କରିସାରିଲା ପରେ ତୁ ସେଇ ମୁଣିଟିକୁ ନଈରେ ଭସାଇ ଦେବୁ । ତାପରେ ଯାଇ ସେଥିରୁ ବାହାର କରିଥିବା ସୁନାମୋହର ତୋର କାମରେ ଲଗେଇ ପାରିବୁ । ଅଖା ମୁଣି ନଈରେ ନ ଭସେଇଲା ଯାଏଁ ସୁନାମୋହର ତୋର କୌଣସି କାମରେ ଆସିବ ନାହିଁ । ସେସବୁ ପଥର ପାଲଟି ଯିବ ।”