ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା, କିନ୍ତୁ ଜଣେ ରହସ୍ୟମୟ ବ୍ୟକ୍ତି ପହଁଚିଯାଇ ମନ୍ତ୍ରୀଙ୍କୁ ରକ୍ଷା କଲେ । ତା’ପରେ…
କଟୁଆଳ ଅଣନିଃଶ୍ୱାସୀ ହୋଇ ବୀରସିଂହ ଆଗରେ ପହଁଚି କହିଲା “ମହାରାଜ! ଗୋଟାଏ ଅଦ୍ଭୁତ ଘଟଣା ଘଟିଗଲା ।”
ସେତେବେଳେ ତ ପ୍ରଭାତ । ସତ ରାଜା ଶାନ୍ତିଦେବଙ୍କ ଠାଣି ଅନୁକରଣ କରି ବୀରସିଂହ ରାଜପ୍ରସାଦ-ସଂଲଗ୍ନ ଉଦ୍ୟାନରେ ପଦଚାରଣ କରୁଥାଏ । ଅବଶ୍ୟ ସେ ଯେ ଶାନ୍ତିଦେବଙ୍କ ଭଳି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା, ସେକଥା କହି ହେବନାହିଁ । କାରଣ ଶାନ୍ତିଦେବଙ୍କ ମନ ତ ସର୍ବଦା ନିର୍ମଳ ଥାଏ । ତେଣୁ ସେ ପ୍ରାକୃତିକ ଦୃଶ୍ୟ ଦେଖି ମୁଗ୍ଧ ହେଉଥାନ୍ତି । ମାତ୍ର ବୀରସିଂହ ମନରେ ସଦା ସର୍ବଦା ଭୟ ଭରି ରହିଥାଏ । ପ୍ରକୃତିକୁ ଟିକେ ଭଲ ପାଇବା ତ ଦୂରର କଥା, ନିଜ ସ୍ୱାର୍ଥ ଛଡା ସେ ଆଉ କେବେବି କୌଣସି କଥାକୁ ଭଲ ପାଉ ନଥିଲା । ତେଣେ ଅନେକ ପ୍ରଶ୍ନ ତାକୁ ସଦା ସର୍ବଦା ବିଚଳିତ କରୁଥାଏ । ଯଥା ରାଜା ଶାନ୍ତିଦେବ ମରିଛନ୍ତି ନା ତା’ କବଳରୁ ଖସିଯାଇ ଏଯାଏଁ ବଂଚି ରହିଛନ୍ତି? ରାଜ୍ୟର କେତେ ଲୋକ ତା’ର ଶତ୍ରୁ? ସେମାନେ ସମସ୍ତେ ତା’ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି କି? ଏସବୁ ପ୍ରଶ୍ନର ଉତ୍ତର ତାକୁ ଜଣା ନଥିଲା ।
କିଛି ଗୁରୁତର ସମସ୍ୟା ନ ଉପୁଜିଲେ ଏତେ ସକାଳେ ତ କେହି ଆସି ତା ଶାନ୍ତିରେ ବ୍ୟାଘାତ ଘଟାଇବା କଥା ନୁହେଁ । ତେଣୁ କଟୁଆଳକୁ ଦେଖି ଓ ତା’ ଭୂମିକା ଶୁଣି ସେ ଆତଙ୍କ ଅନୁଭବ କଲା ।
ତା’ପରେ ସେ ନିର୍ଦ୍ଧେଶ ଦେଲା “କ’ଣ ହୋଇଛି ଶୀଘ୍ର କହିପକାଅ!” ସେ ଏତିକି କହି ପଦଚାରଣ ବନ୍ଦ କରି କଟମଟ ଭାବରେ କଟୁଆଳ ଆଡେ ଅନାଇ ରହିଲା ।
ରାଜାଙ୍କୁ କିଛି କହିବା ପୂର୍ବରୁ ସେ କଟୁଆଳ ଥରେ ଚାରିଆଡୁ ନିଜ ଆଖି ବୁଲାଇ ଆଣିଲା । ଦେଖିଲା ନା, ତା’ କଥା ଶୁଣିବା ନିମନ୍ତେ ବୀରସିଂହ ଛଡା ସେ ଆଖପାଖରେ ଆଉ କେହି ବି ନଥିଲେ । ଏହାପରେ ସେ ଥରେ ଲମ୍ବା ନିଃଶ୍ୱାସ ନେଇ କହିଲା, “ମଣିମା! ସେ ମନ୍ତ୍ରୀଙ୍କୁ ବଧ କରିବା ନିମନ୍ତେ ଆମେ ତିନିଜଣ ଓସ୍ତାଦ୍ ଘାତକ ନିଯୁକ୍ତ କରିଥିଲୁ । କିନ୍ତୁ ସେ ମନ୍ତ୍ରୀ ହଠାତ୍ କେଉଁଆଡେ ପଳାଇଗଲେ!”