ସୌମେନ୍ଦ୍ର ନାମକ ଜଣେ ପଣ୍ଡିତ ଗୋଟିଏ ନଦୀକୂଳରେ ନିଜର ଏକ ଗୁରୁକୁଳ ଖୋଲିଥାନ୍ତି । ସେଠାକାର ବାତାବରଣ ଅତି ଚମତ୍କାର ଥାଏ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସେଠାରେ ରହିବାକୁ ସୁନ୍ଦର କୁଟୀର ସବୁ ଥାଏ । ତେଣୁ ସେଠାରେ ରହି ଶିକ୍ଷାପ୍ରାପ୍ତ କରିବାକୁ ବହୁତ ଛାତ୍ର ଲାଳାୟିତ ଥା’ନ୍ତି । ସେ ଗୁରୁକୂଳରେ ତ ଅନେକ ଛାତ୍ର ଥା’ନ୍ତି । ତନ୍ମଧ୍ୟରେ ରାଧାନାଥ ନାମକ ଏକ ଛାତ୍ର ଥାଏ । ତା’ ପ୍ରତି ଗୁରୁଙ୍କର ବିଶେଷ ସ୍ନେହ ଥାଏ । ରାଧାନାଥର ବୁଦ୍ଧି ଓ କଳ୍ପନାଶକ୍ତି ଅସାଧାରଣ ଥିଲା । ସେ ସ୍ୱଭାବତଃ ମେଳାପୀ ଥିଲା ଓ ସର୍ବଦା ମଧୁର ବଚନ କହି ସମସ୍ତିଙ୍କୁ ଖୁସି କରି ଦେଉଥିଲା । ତା’ର ସ୍ମରଣ ଶକ୍ତି ମଧ୍ୟ ଅନନ୍ୟ ଥିଲା । ସେ ତା’ର ସହପାଠୀଙ୍କ ସହିତ କେବେ ମଧ୍ୟ ବାଦବିବାଦ କରୁ ନଥାଏ । ଗୁରୁଙ୍କ ଉପଦେଶ ସେ ଅତ୍ୟନ୍ତ ଧ୍ୟାନ ଦେଇ ଶୁଣୁଥାଏ । ସଂଧ୍ୟା ପୂର୍ବରୁ ସେ ନଦୀ କୂଳକୁ ଯାଇ ଏକାନ୍ତରେ ପୁସ୍ତକପଠନରେ ସମୟ କଟାଉଥିଲା । ଗୁରୁଙ୍କର ରାଧାନାଥ ପ୍ରତି ଅଧିକ ସ୍ନେହ ଥିବା ଯୋଗୁଁ ନିରଞ୍ଜନ ଓ ଘନଶ୍ୟାମ ଦୁହେଁ ରାଧାନାଥକୁ ମନେ ମନେ ଭାରି ଈର୍ଷା କରୁଥା’ନ୍ତି, କାରଣ ସେ ଦୁଇଜଣ ମଧ୍ୟ ଖୁବ୍ ଭଲ ଛାତ୍ର ଥିଲେ ।
ଦିନେ ଗୁରୁ ସୌମେନ୍ଦ୍ର ତାଙ୍କ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ପରେ ଗୋଟିଏ ଗଛତଳେ ବସି ବିଶ୍ରାମ କରୁଥା’ନ୍ତି । ଠିକ୍ ଏଇ ସମୟରେ ନିରଞ୍ଜନ ଓ ଘନଶ୍ୟାମ ଆସି ସେଠାରେ ପହଁଚିଲେ । ସେମାନେ ଭାବିଲେ, ଆଜି ଗୁରୁଙ୍କ ସହିତ ଏକାନ୍ତରେ ଏ ବିଷୟରେ ନିଜର ମନ ଖୋଲି କଥା ହେବେ । ଏହା ଏକ ସୁବର୍ଣ୍ଣସୁଯୋଗ । ତା’ପରେ ସେମାନେ ଗୁରୁଙ୍କ ପାଖରେ ପହଁଚିଲେ । କହିଲେ “ଗୁରୁଦେବ, ଆମେ ଜାଣୁ ଯେ ଆମମାନଙ୍କ ମଧ୍ୟରେ ଯିଏ ବୁଦ୍ଧିମାନ, ସତ୍ସ୍ୱଭାବ ଓ ଗୁରୁଆଜ୍ଞା କାର୍ଯ୍ୟକାରୀ କରିବାରେ ଅଧିକ ଯୋଗ୍ୟ ତା’ ପ୍ରତି ଆପଣଙ୍କର ବିଶେଷ ସ୍ନେହ ରହିଥାଏ । ଆମମାନଙ୍କ ମଧ୍ୟରେ ରାଧାନାଥ ପ୍ରତି ଆପଣ ବିଶେଷ ସ୍ନେହ ଦେଖାନ୍ତି । କିନ୍ତୁ ଆମେ କେଉଁ ଗୁଣରେ ତା’ଠାରୁ କମ୍ କି? ଆମର ମଧ୍ୟ ସବୁ ଗୁଣ ଯଥେଷ୍ଟ ଅଛି ଯାହା କି ତା’ ପାଖରେ ଅଛି । ଏକଥା ଆମକୁ ସ୍ପଷ୍ଟ ନକରି ଦେଲେ ଆମ ମନ ବିଶେଷ ଭାବରେ ଆନ୍ଦୋଳିତ ହେଉଛି ।”
ସବୁକଥା ଶୁଣି ସେ ଗୁରୁ ଅଳ୍ପ ହସି କହିଲେ, “ଗୁରୁକୂଳର ସମସ୍ତ ବିଦ୍ୟାର୍ଥୀଙ୍କ ପ୍ରତି ମୋର ସ୍ନେହ ଅଛି । କିନ୍ତୁ ସମସ୍ତ ଶାସ୍ତ୍ରଜ୍ଞାନରେ ଯେ ରାଧାନାଥର ଅଧିକ ପ୍ରବେଶ ଅଛି ସେଥିରେ ମୋର ତିଳେ ମାତ୍ର ମଧ୍ୟ ସନ୍ଦେହ ନାହିଁ । ତା ଛଡା ତା’ର ମୌଳିକ ବୁଦ୍ଧି ଅଛି ଓ ତାର୍କିକ ଦୃଷ୍ଟି ଯାହା ଅନ୍ୟମାନଙ୍କର ଏତେ ନାହିଁ ।
ଏହା ଶୁଣି ସେ ଦୁହେଁ ସମସ୍ୱରରେ କହିଲେ “କ୍ଷମା କରନ୍ତୁ ଗୁରୁଦେବ । କିନ୍ତୁ ଏ ସବୁର ପ୍ରମାଣ କ’ଣ?”