ଇରାନ୍ରେ ଇବ୍ରାହିମ୍ ଓ ଇସ୍ମାଇଲ୍ ନାମକ ଦୁଇଟି କାଠୁରିଆ ଥିଲେ । ସେମାନେ ପ୍ରତିଦିନ ବଣକୁ ଯାଇ କାଠ କାଟନ୍ତି ଓ ତାକୁ ବିଡାବାନ୍ଧି ବଜାରରେ ନେଇ ବିକ୍ରି କରନ୍ତି । ସେଥିରେ ସେମାନଙ୍କୁ ଯାହା କିଛିବି ପଇସା ମିଳେ ତାହା ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ । କିନ୍ତୁ ସେମାନେ ପ୍ରତିଦିନ ଧନୀ ହେବାର ସ୍ୱପ୍ନରେ ବୁଡି ରହନ୍ତି ।
ଦୁଇପ୍ରକାରର ଭକ୍ତି ଭାବ ଇବ୍ରାହିମ ଭିତରେ ଥିଲା । ଏକରେ ଭଗବାନଙ୍କ ପ୍ରତି ଓ ଦୁଇରେ ଦେଶର ସମ୍ରାଟଙ୍କ ପ୍ରତି । ତେଣୁ ସେ ତା’ ମନେ ମନେ ସଦା ସର୍ବଦା ଏହି କାମନା କରୁଥାଏ ଯେ ଯଦି ସେ କେବେ ଧନୀ ହେବ ତେବେ ତାହା ଆଲ୍ଲା ଓ ବାଦଶାହଙ୍କ ଯୋଗୁଁ ହିଁ ହେବ ।
କିନ୍ତୁ ଇସ୍ମାଇଲ୍ ମନରେ ଏପରି କିଛି ଭାବନା ନଥିଲା । ତା’ର ମତ ହେଉଛି ତା’ର ଦରିଦ୍ରତା ନା କୋଉ ଆଲ୍ଲା ଦୂର କରିପାରିବେ ନା ବାଦଶାହ । ସେ କେବଳ ଧନୀ ହେବାକୁ ଚାହୁଁଥିଲା ।
ଦିନେ ଜଙ୍ଗଲରେ ସେ ଦୁହେଁ ଦୂରରେ ଥାଇ କାଠ କାଟୁଥିଲେ । ହଠାତ୍ ଇସ୍ମାଇଲ୍ ମନକୁ କିଛି ଆସିଲା ସେ ତତ୍କ୍ଷଣାତ୍ ଇବ୍ରାହିମ୍ ପାଖକୁ ଦୌଡି ଯାଇ ତାକୁ ପଚାରିଲା, “ଇବ୍ରାହିମ୍ ଭାଇ, ଲୋକେ କୁହନ୍ତି ଯେ ଜଙ୍ଗଲ ଭିତରେ ବେଳେ ବେଳେ ପୋତାଧନ ମିଳିଯାଏ । ଯଦି ଆମକୁ ସେପରି କିଛି ମିଳି ଯା’ନ୍ତା ତ କେତେ ଭଲ ନ ହୁଅନ୍ତା ।”
ଏକଥା ଶୁଣି ଇବ୍ରାହିମ୍ କହିଲା “ସେପରି ଧନ ମିଳିଗଲେ ଆମର କ’ଣଟା ଲାଭ ହେବ । ଏସବୁ ଧନ ସମଗ୍ର ଦେଶବାସୀଙ୍କର ବୋଲି ମାନିବାକୁ ହେବ । ତେଣୁ ଆମେ ବାଧ୍ୟ ହୋଇ ବାଦଶାହ୍ଙ୍କୁ ହିଁ ସେସବୁ ସମର୍ପି ଦେବା ।”
“ତୁମେ ଉଚିତ୍ ଅନୁଚିତ୍ କଥା କହୁଛ । ସେ ସବୁର ମାନେ କ’ଣ କିଛି ହୁଏ?” ଇସ୍ମାଇଲ୍ ଏତିକି କହି ରାଗି କରି ସେଠୁ ପଳାଇଲା ।