ନିଶା ଗରଜୁଥାଏ, ତାସାଙ୍ଗକୁ ତୁହାକୁ ତୁହା ଶୀତଳ ପବନ ସହିତ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସେତେବେଳେ ସାଇଁ ସାଇଁ ପବନ ଭାସିଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ, କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ରାଜନ୍ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ହେ ରାଜନ୍, ଏହି ଭୟଙ୍କର ରାତ୍ରିରେ ଶ୍ମଶାନରେ ତମର ଏତେ କଷ୍ଟ ସହିବା ଦେଖି ମୁଁ ଭାବୁଛି ଆପଣ କୌଣସି ମହାନ୍ କାର୍ଯ୍ୟ କରିବାକୁ ଚେଷ୍ଟା କରିଛନ୍ତି । ଯଦି ସାରାଜୀବନ ଚେଷ୍ଟାକରି ମଧ୍ୟ କାମଟି ଆପଣ କରିପାରିବେ ନାହିଁ, ତେବେ କ’ଣ ହେବ? କାରଣ ବହୁତ ଲୋକ ନିଜ ବୃତ୍ତି ଓ ଶକ୍ତିରୁ ବାହାରକୁ ଯାଇ ଅନେକ କିଛି ବଡ ବଡ କାର୍ଯ୍ୟର ଆଶା ପୋଷଣ କରିଥା’ନ୍ତି । କିନ୍ତୁ ତାଙ୍କର ତର୍କଗତ ବୁଦ୍ଧି ଓ ମାନବ ସ୍ୱଭାବର ଗଭୀରତା ମାପିବାରେ ଯଥେଷ୍ଟ ବିଚକ୍ଷଣ ବୁଦ୍ଧି ନ ଥିବାରୁ ବିପଦରେ ପଡି ସେମାନେ ଶେଷରେ ସର୍ବସ୍ୱ ହରାଇ ଥା’ନ୍ତି । କେତେଥର ଏପରି ମଧ୍ୟ ହୋଇଛି ଯେ ସେମାନେ ନିଜେ ଯଦି ସଫଳତା ନ ପାରିଥା’ନ୍ତି ତେବେ ସେମାନଙ୍କ ଉତ୍ତରାଧିକାରୀ ମାନଙ୍କ ପାଇଁ ଆଶା କରି ବସିଥା’ନ୍ତି । କିନ୍ତୁ ସେମାନଙ୍କୁ ମଧ୍ୟ କାର୍ଯ୍ୟରେ ସାଫଲ୍ୟ ମିଳେନାହିଁ ।” ଏହି କଥାକୁ ଅଧିକ ସ୍ପଷ୍ଟ କରିବାକୁ ମୁଁ ଏକ ଗଳ୍ପଟିଏ କହୁଛି ମନଦେଇ ତାହା ଶୁଣନ୍ତୁ, ଶୁଣିଲେ ତମ ଶ୍ରମଭାର ଲାଘବ ହେବ । ଏତିକି କହି ବେତାଳ ଗପିଲା –
ପୁରୁଣାକାଳର କଥା । ଧନଗୁପ୍ତ ନାମକ ଜଣେ ବ୍ୟବସାୟୀ ଭାଗ୍ୟ ନଗରୀରେ ଥା’ନ୍ତି । ସେ ନିଜର ବ୍ୟବସାୟ ବଡ ଦକ୍ଷତାର ସହିତ କରୁଥା’ନ୍ତି । ସେ ଦୟାଳୁ, ସ୍ନେହୀ ଓ ସାହାଯ୍ୟକାରୀ ଥିଲେ । ତାଙ୍କର ଏହିସବୁ ଭଲଗୁଣ ଦେଖି ନାନା ପ୍ରକାର ଛଳନା କରି, ମିଛ କହି ବନ୍ଧୁ ବାନ୍ଧବ ମାନେ ତାଙ୍କଠୁ ବହୁତ ଲାଭ ଉଠାନ୍ତି । ସେ ଆକାତରରେ ଦାନ କରନ୍ତି । କିନ୍ତୁ ଯେତେବେଳେ ସେମାନଙ୍କ ଖରାପ ଉଦ୍ଧେଶ୍ୟ ସେ ଉପଲବ୍ଧି କଲେ, ସେତେବେଳେ ତାଙ୍କର ପ୍ରାୟ ବୃଦ୍ଧାବସ୍ଥା । ଧନଗୁପ୍ତଙ୍କର ତିନିପୁଅ ଥିଲେ, ସେମାନେ ହେଲେ ଆନନ୍ଦ, ବିନୋଦ ଓ ବିବେକ । ଦିନେ ସେ ତାଙ୍କ ତିନି ପୁଅଙ୍କୁ ଡାକି କହିଲେ, “ହେ ମୋର ପ୍ରିୟପୁତ୍ର ମାନେ ମୁଁ ତୁମମାନଙ୍କୁ କୌଣସି କାମ ବିଷୟରେ ବତାଇ ଦେବି । ଯେ କୌଣସି କାମ କଲେ ମଧ୍ୟ ସାମର୍ଥ୍ୟ ସହିତ ସ୍ୱାର୍ଥ ଥିବା ଆବଶ୍ୟକ । ମୋ ପରି ନିଃସ୍ୱାର୍ଥପର ହେଲେ ସମସ୍ତେ ଠକିବେ । ମୋର ଯେପରି ରୋଜଗାର ହେଉଥିଲା, ଏତେବେଳକୁ ମୁଁ କୋଟିପତି ହୋଇ ସାରନ୍ତିଣି । କିନ୍ତୁ ମୁଁ ଲକ୍ଷପତି ହୋଇ ହିଁ ରହିଗଲି । ମୋ ପରି ତୁମେ ଯଦି ସେପରି କରିବ, ତେବେ ଲକ୍ଷପତି ହେବା ମଧ୍ୟ ଅତି କଷ୍ଟକର ହୋଇପଡିବ । ଏବେ ତୁମମାନଙ୍କ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି । ମୋର କୌଣସି ଏକ ଇଚ୍ଛା ଅଛି ତୁମେମାନେ କ’ଣ ମୋର ସେ ଇଚ୍ଛା ପୂର୍ଣ୍ଣ କରିବ?”
ତିନିପୁଅଯାକ ବିନୀତ ସ୍ୱରରେ କହିଲେ, ଆମେ ମଧ୍ୟ ବ୍ୟବସାୟର ସତ୍ୟ କିଛି ଜାଣିଛୁ । ଆପଣ ଯେଉଁ ରାସ୍ତାରେ ଯାଉଥିଲେ, ତାହା ଆମର ପସନ୍ଦ ନଥିଲା । କିନ୍ତୁ ଆପଣଙ୍କ ପ୍ରତି ଆମର ଆଦର ଓ ସମ୍ମାନ ଯୋଗୁହିଁ ଆମେ ଆପଣଙ୍କ କଥା ମାନି ଚଳୁଥିଲୁ । ଆପଣଙ୍କ ସୁନାମରେ ଆଂଚ ଆସିବ ବୋଲି ଆମେ ଥରେ ହେଲେ ବି ଆପଣଙ୍କ କଥା ଉପରେ ଆଦୌ କିଛି କହିନାହୁଁ । ଆମେ ନିଜର କର୍ତ୍ତବ୍ୟ ଭଲ ଭାବରେ ଜାଣିଛୁ । ଆପଣ ଆଜ୍ଞା ଦିଅନ୍ତୁ ଆପଣଙ୍କ ଇଚ୍ଛା ଆମେ ନିଶ୍ଚୟ ପୂରଣ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବୁ ।”