ମହେନ୍ଦ୍ର ନାଗପୁରର ରାଜା ଥିଲେ, ସେ ବଡ ଅତ୍ୟାଚାରୀ ଥିଲେ । ମୃତ୍ୟୁ ଶଯ୍ୟାରେ ଥାଇ ସେ ନିଜ କାମ ପାଇଁ ଅନୁତପ୍ତ ହୋଇ ପୁଅ ସୁଶୀଲ୍ଙ୍କୁ ଡାକି କହିଲେ, “ପୁତ୍ର, ମୋ ଶାସନ କାଳରେ ପ୍ରଜାମାନଙ୍କୁ ମୁଁ ବହୁତ କଷ୍ଟ ଦେଇଛି, ରାଜା ଭାବରେ ମୋର କର୍ତୃତ୍ୱ ବିଷୟରେ ସେତେବେଳେ ମୁଁ ଅନ୍ଧ ଥିଲି । ତେଣୁ ପ୍ରଜାଙ୍କର ଭଲ ମନ୍ଦ ନ ଦେଖି କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ ପ୍ରଜାଙ୍କୁ ମୁଁ କେତେ ଯେ କଷ୍ଟ ଦେଇଛି, ତାହା ଏବେ ମୁଁ ଠିକ୍ ଉପଲବ୍ଧି କରୁଛି । କେବଳ ସେଇଥିପାଇଁ ସେମାନେ ମୋତେ କେବେବି କ୍ଷମା କରିବେ ନାହିଁ । କିନ୍ତୁ ତୁମେ ମୋ ପାଇଁ ଏପରି କିଛି କାର୍ଯ୍ୟ କରିବ, ଯେଉଁଥିରେକି ସେମାନେ ମୋର ପ୍ରଶଂସା କରିବେ । ନହେଲେ ମୋର ଆତ୍ମା କଦାପି ବି ଶାନ୍ତି ପାଇବ ନାହିଁ ।” ଏତିକି କହି ସେ ମରିଗଲେ ।
ସୁଶୀଲ୍ ସ୍ୱଭାବରେ ତାଙ୍କ ପିତାଙ୍କର ଠିକ୍ ବିପରୀତ ଥିଲେ । ସେ ଅତ୍ୟନ୍ତ ଦୟାଳୁ ଥିଲେ । ବହୁତ ଚିନ୍ତାକରି ସେ ତାଙ୍କ ପିତାଙ୍କ ନାମରେ ଗୋଟିଏ ବିଦ୍ୟାଳୟ ଓ ଗୋଟିଏ ଭୋଜନାଳୟ ଖୋଲିଲେ । ଲୋକମାନେ ସେଠାରେ ବହୁତ କମ୍ ପଇସାରେ ଖାଇଲେ ଓ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟ ପଢାଇଲେ । କିଛି ଦିନ ପରେ ଦିନେ ରାଜା ସୁଶୀଲ୍ ଛଦ୍ମବେଶରେ ପ୍ରଥମେ ଭୋଜନାଳୟକୁ ଗଲେ । ସେ ଦେଖିଲେ ସେଠାରେ ହଜାରହଜାର ଲୋକ ଖାଉଛନ୍ତି । କିନ୍ତୁ କାହାରି ମୁହଁରେ ଟିକେ ଉତ୍ସାହ ଭାବ ନାହିଁ । ରାଜା କୌଣସି ବ୍ୟକ୍ତିକୁ ଏହାର କାରଣ ପଚାରିବାରୁ ସେ କହିଲା, “ଏଥିରେ ଏତେ ବିସ୍ମିତ ହେବାର କ’ଣ ଅଛି? ଭୋଜନ ପାଇଁ ଏତେ ସୁନ୍ଦର ବ୍ୟବସ୍ଥା ସବୁ ହୋଇଥିଲେ ମଧ୍ୟ ଲୋକଙ୍କ ଶତୃ ନାମରେ ଏହା ନାମିତ କରାଯାଇଛି । ତେଣୁ ଖାଇବାରେ କାହାର ଆନନ୍ଦ ନାହିଁ ।
ରାଜା ଏମିତି କଥା ଶୁଣି ଖୁବ୍ ଦୁଃଖିତ ହେଲେ । ବିଦ୍ୟାଳୟକୁ ଯାଇ ସେ ଦେଖିଲେ ସେଠାରେ କେବଳ ଶିକ୍ଷକମାନେହିଁ ଅଛନ୍ତି । କାଁଭାଁ କେତୋଟି ମାତ୍ର ପିଲା ଅଛନ୍ତି । ରାଜା ଚକିତ ହୋଇ ଏସବୁ ଘଟଣାର କାରଣ ଜିଜ୍ଞାସା କରନ୍ତେ, ଶିକ୍ଷକମାନେ କହିଲେ, “ମହାଶୟ, ପିଲାଙ୍କ ବାପମା’ମାନେ କହିଲେ, ଯେ ଯେଉଁ ଲୋକ ନାମରେ ବିଦ୍ୟାଳୟ ହୋଇଛି, ସେହି ନାମର ପ୍ରଭାବ ପିଲାଙ୍କ ଉପରେ କାଳେ ପଡିବ । ତେଣୁ ସେଠାକୁ ପିଲା ଯିବେ ନାହିଁ ।”
ଏସବୁ କଥା ଶୁଣି ରାଜା ଅଧିକ ଚିନ୍ତିତ ଓ ଦୁଃଖିତ ହେଲେ । ସେହି ଦିନହିଁ ଭୋଜନାଳୟ ଓ ବିଦ୍ୟାଳୟ ବନ୍ଦ କରିଦେବାକୁ ସେ ଆଦେଶ ଦେଲେ । ତା’ପରେ ସେ ଶାସନକାର୍ଯ୍ୟରେ ଏତେ ବ୍ୟସ୍ତ ଥିଲେ ଯେ ପିତାଙ୍କର ଅନ୍ତିମ ଇଚ୍ଛା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ।
ଦିନେ ରାତ୍ରିରେ ସେ ସ୍ୱପ୍ନ ଦେଖିଲେ ଯେ ତାଙ୍କ ପିତା ଠିଆ ହୋଇ କାନ୍ଦୁଛନ୍ତି । ସେ ମନ୍ତ୍ରୀଙ୍କୁ ଏହାର ଅର୍ଥ ପଚାରିଲେ; ତହୁଁ ତାଙ୍କ ମନ୍ତ୍ରୀ କହିଲେ, “ଆପଣଙ୍କ ପିତା, ତାଙ୍କର ଅନ୍ତିମ ଇଚ୍ଛା ପୂର୍ଣ୍ଣ କରିବାକୁ ଚାହାଁନ୍ତି ।” ସେହି ଦିନଠାରୁ ସେ ରାଜା ଅନେକ ଲୋକହିତକର କାର୍ଯ୍ୟ କଲେ । କର କମ୍ କରିଦେଲେ । ବିଦ୍ୟାଳୟ, ଚିକିତ୍ସାଳୟ, ଓ ଭୋଜନାଳୟମାନ କଲେ । ଗ୍ରାମୀଣ ଲୋକଙ୍କ ଉନ୍ନତି ପାଇଁ ସେ ନାନା ପ୍ରକାର ଯୋଜନା କାର୍ଯ୍ୟ କାରୀ କରାଇଲେ ।
ରାଜାଙ୍କର ଏପରି ଲୋକହିତକର କାର୍ଯ୍ୟ ଦେଖି ସେ ରାଜାଙ୍କୁ ସମସ୍ତେ ଖୁବ୍ ପ୍ରଶଂସା କଲେ । ଚାରିଆଡେ ଖାଲି ତାଙ୍କର ଜୟ ଜୟକାର ଶୁଭିଲା । ଏହି ସୁଯୋଗରେ ମନ୍ତ୍ରୀ ଓ ରାଜା ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ମହେନ୍ଦ୍ରଙ୍କର ମୂର୍ତ୍ତିମାନ ପ୍ରତିଷ୍ଠା କରାଇଲେ । ତା’ପରେ ସେ ରାଜା ଓ ତାଙ୍କ ମନ୍ତ୍ରୀ ଛଦ୍ମବେଶରେ ବୁଲିବୁଲି ଲୋକଙ୍କ ମତ ସଂଗ୍ରହ କଲେ । ସେମାନେ ଦେଖିଲେ ପଡୋଶୀ ରାଜ୍ୟର ଜଣେ ବ୍ୟକ୍ତି ଏଠାକାର ଜଣକୁ ପଚାରୁଛନ୍ତି, “ଏ ମୂର୍ତ୍ତି କାହାର?”
ସେ ଉତ୍ତର ଦେଲା, “ଏହା ଆମର ଦୟାଳୁ ରାଜାଙ୍କ ପିତାଙ୍କ ମୂର୍ତ୍ତି । ତାଙ୍କରି ଆଶିର୍ବାଦରୁ ଓ ଶୁଭେଚ୍ଛାରୁ ଆମେ ଆଜି ଏତେ ଉତ୍ତମ ରାଜା ପାଇ, ନିଜକୁ ଅତ୍ୟନ୍ତ ଭାଗ୍ୟବାନ୍ ବୋଲି ମନେ କରୁଛୁ ।”
ଏକଥା ଶୁଣି ରାଜା ଓ ମନ୍ତ୍ରୀ ଖୁସି ହେଲେ ରାଜା ସୁଶୀଲ୍ ସନ୍ତୁଷ୍ଟ ହୋଇ କହିଲେ, “ଓହୋ, ଏତେଦିନ ପରେ ଯାଇ ମୁଁ ମୋ ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରି ପାରିଲି ।”