ତୁଳସୀପୁରରେ ବ୍ୟୋମକେଶ ନାମକ ଜଣେ ବୈଦ୍ୟ ରହୁଥିଲେ । ଦିନେ ରାତିରେ ତାଙ୍କ ପାଖ ଗାଁରୁ କେତେକ ଲୋକ ରୋଗୀ ଦେଖିବା ପାଇଁ ତାଙ୍କୁ ଡାକିନେଲେ । ସେ ତରବରରେ ଔଷଧ ଥଳୀଟି ଧରି ବାହାରିଗଲେ ଓ ସେଠାରେ ରୋଗୀର ସାଂଘାତିକ ଅବସ୍ଥା ଦେଖି କିଛି ନ ଭାବି ନ ଚିନ୍ତି ତାକୁ ଔଷଧ ଦେଲେ । ଫଳରେ ସେ ରୋଗୀଟି ମରିଗଲା । ରୋଗୀର ଆତ୍ମୀୟମାନେ ଏପରି ଘଟଣାରେ ଭୀଷଣ ରାଗିଯାଇ ସେ ବୈଦ୍ୟଙ୍କୁ ରାଗରେ ନେଇ ଏକ ନଈ ଭିତରକୁ ଠେଲି ଦେଲେ । ବିଚାରା ସେ ବୈଦ୍ୟ ଜଣକ ପ୍ରାଣ ବିକଳରେ ସନ୍ତରଣ କରି କରି ଶେଷରେ ବହୁ କଷ୍ଟରେ କୂଳକୁ ଆସିଲେ ।
ଅଧରାତିରେ ଘରେ ଆସି ପହଁଚି ସେ ଦେଖିଲେ ତାଙ୍କ ପୁଅ ଆୟୁର୍ବେଦ ବହି ସବୁ ପଢୁଛି । ବ୍ୟୋମକେଶ ତାଙ୍କ ପୁଅ ପାଖକୁ ଯାଇ କହିଲେ, “ପୁଅ, ଯେପରି ତୋର ଖାଲି ଏଇ ବହି ଭିତରେ ଜ୍ଞାନ ସୀମିତ ନ ରହେ । ମୋ ପରି ବଡ ବୈଦ୍ୟ ହେବାକୁ ହେଲେ ତୁମକୁ ପ୍ରଥମେ ସନ୍ତରଣ କରି ଶିଖିବା ଦରକାର ।”