ରାଜା ଇନ୍ଦ୍ରଦ୍ୟୁମ୍ନ ବିଶାଳ ମନ୍ଦିର ନିର୍ମାଣ କରି ଚତୁର୍ଦ୍ଦିଗକୁ ଦିଅଁ ସନ୍ଧାନ କରିବା ନିମନ୍ତେ ଚାରିଜଣ ସନ୍ଧାନୀ ଯୁବକଙ୍କୁ ପ୍ରେରଣ କଲେ । ବିଦ୍ୟାପତି ଯାଇ ବଣ ମୂଲକରେ ଶବର-ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ଭେଟିଲେ ଓ ତାଙ୍କୁ ସେ ବିଭା କଲେ । ପ୍ରତିଦିନ ପ୍ରତ୍ୟୁଷରେ ବିଶ୍ୱାବସୁ କୌଣସି ରହସ୍ୟମୟ ଦିଅଁକୁ ପୂଜିବାକୁ ଯାଉଥିବାର ଜାଣି ବିଦ୍ୟାପତି ମଧ୍ୟ ସେ ଦିଅଁ ଦର୍ଶନ କରିବାକୁ ଜିଗର କଲେ ।
ରାତିରେ ଲଳିତା ତାଙ୍କ ପିତାଙ୍କୁ ବିଦ୍ୟାପତିଙ୍କ ଆଗ୍ରହ ବିଷୟରେ ଜଣାଇଲେ । ସବୁକଥା ଶୁଣି ବିଶ୍ୱାବସୁ ଥରେ ତାଙ୍କ କନ୍ୟା ଆଡେ ତୀବ୍ର ଦୃଷ୍ଟିପାତ କରି ଶେଷରେ ସେ ନୀରବ ରହିଲେ ।
କିନ୍ତୁ ସେ ଲଳିତା ତ ଆଉ ଏତେ ସହଜରେ ଛାଡିବା ଝିଅ ନୁହଁନ୍ତି । ଲଳିତା ପ୍ରଶ୍ନ କଲେ “ବାପା, ମୁଁ ତ ତୁମର ଏକମାତ୍ର ସନ୍ତାନ । ତୁମେ ଯେବେ ଅଥର୍ବ ବା ଅସୁସ୍ଥ ହେବ, ସେତେବେଳକୁ ପୁଣି ଦିଅଁ କିଏ ପୂଜିବେ? ବିଦ୍ୟାପତି ତ? ତେବେ ଆଜିଠାରୁ ତାଙ୍କୁ ସବୁ ଦେଖାଇଦେଲେ କ’ଣ ବା କ୍ଷତି?”
ବିଶ୍ୱାବସୁ ପ୍ରଶ୍ନ କଲେ “ଝିଅ, ତୁ ଭାବୁଛୁ ତୋ ସ୍ୱାମୀ କ’ଣ ସବୁଦିନ ଆମ ପାଖରେ ଏହି ବଣରେ ରହିବେ?”
ତା’ପରେ ଲଳିତା ଉତ୍ତର ଦେଲେ “ବାପା! ତୁମଠୁଁ ସେ ପିତାର ସ୍ନେହ ପାଇଲେ ଓ ତୁମେ ବି ତାଙ୍କୁ ପୁରା ବିଶ୍ୱାସ କରୁଛ ବୋଲି ଜାଣିଲେ ସେ ଏଠି ନ ରହିବେ କିଆଁ ?”
ବିଶ୍ୱାବସୁ ଟିକିଏ ଚିନ୍ତା କରି କହିଲେ, “ତୁ ଯାହା କହ ନା କାହିଁକି, ସେ ଭିନ୍ନ ସଂସ୍କୃତି ଓ ବାତାବରଣର ଲୋକ । ସେ ଯାହାହେଉ ପଛକେ, ତୋ ମୁହଁକୁ ଚାହିଁ ମୁଁ କିନ୍ତୁ ତାଙ୍କ ଇଚ୍ଛା ଅବଶ୍ୟ ପୂରଣ କରିବି – ।”
କିନ୍ତୁ ଯେ ପର୍ଯ୍ୟନ୍ତ ଜଣେ ଆନୁଷ୍ଠାନିକ ଭାବରେ ପୂଜାର ଦାୟିତ୍ୱ ନ ନେଇଛି, ସେଯାଏଁ ସେ ଗୋପନ ଗୁମ୍ଫାର ସନ୍ଧାନ ସେ ଜାଣିବା କଥା ନୁହେଁ । ବିଶ୍ୱାବସୁ ଏ ନିୟମ ଭଙ୍ଗ କରିବାକୁ ପ୍ରସ୍ତୁତ ନଥିଲେ । ତେଣୁ ବିଦ୍ୟାପତିଙ୍କ ଆଖିରେ କନା ବାନ୍ଧି ତାଙ୍କୁ ସେଠାକୁ ନେବାର ପ୍ରସ୍ତାବ ହେଲା । ବିଦ୍ୟାପତି ସେଥିରେ ସମ୍ମତ ହେଲେ ।
ତା’ପରଦିନ ପ୍ରତ୍ୟୁଷରେ ବିଦ୍ୟାପତି ସେହି ରହସ୍ୟମୟ ଦିଅଁଙ୍କ ସନ୍ଧାନରେ ଯିବା ନିମନ୍ତେ ପ୍ରସ୍ତୁତ ହେଲେ । ତାଙ୍କ ଆଖିରେ ପଟି ବାନ୍ଧି ଦିଆଗଲା । ବିଶ୍ୱାବସୁ ତାଙ୍କ ହାତ ଧରି ବାଟ କଢାଇ ନେଇଗଲେ । ବିଶ୍ୱାବସୁ ତଥା ଲଳିତାଙ୍କ ଅଜ୍ଞାତସାରରେ ବିଦ୍ୟାପତି ମୁଠିଏ ସୋରିଷ ଧରି ଯାଇଥାନ୍ତି । ବାଟ ଚାଲିଲା ବେଳେ ସେ ସେଥିରୁ ଅଳ୍ପ ଅଳ୍ପ ବୁଣି ଚାଲିଥାନ୍ତି ।