(ଧୀରମତି ଘରକୁ ଫେରି ତାର ମା’ ପଦ୍ମମୁଖୀଙ୍କୁ ଯାତ୍ରାସମ୍ବନ୍ଧୀୟ ସମସ୍ତ କଥା ଜଣେଇଲେ । ମାତ୍ର ନିଜର ପିତାଙ୍କ ସମ୍ପର୍କରେ ସମସ୍ତ ବିଷୟ ସେ ଗୋପନ ରଖିଲେ । ପୈଲାସ୍ରୁ ତାଙ୍କ ସହିତ ଆସିଥିବା ଜଣେ ଗୁଣୀ ବ୍ୟକ୍ତି ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ସେହି ଅତିଥିଙ୍କର ଭୋଜନ ସମାପନ ହେବା ପରେ, ଘରେ ବସି ରହି ଖାଇଥିବା ଦୁଷ୍ଟମାନେ ଏକ ବିଶାଳ କକ୍ଷରେ ଭୋଜନ କରିବାକୁ ଲାଗିଲେ । ସେହି ସମୟରେ ସେଠାରେ, ଜଣେ ବୁଢା ଭିଖାରୀ ବେଶରେ ରୂପଧର ଆସି ପହଁଚିଲେ । ସେ ଧୀରମତି ଦେଇଥିବା ଦୁଇଟି ରୁଟି ଖାଇବାପରେ ଅନ୍ୟମାନଙ୍କୁ ଭିକ୍ଷା ମାଗିବାକୁ ଆରମ୍ଭ କଲେ । ଏଣିକି ଆଗକୁ ପଢନ୍ତୁ ।)
ରୂପଧରଙ୍କ ଘରେ ଆସନ ଜମାଇ ରହୁଥିବା ଦୁଷ୍ଟମାନଙ୍କର ଏଇ ଭିକାରୀଟି ପ୍ରତି ଦୟା ଆସିଲା । ସେମାନେ ନିଜ ନିଜ ଇଚ୍ଛାମୁତାବକ ଅଳ୍ପ – ବହୁତ ଦାନ ଦେଲେ । କିଛି ଦୁଷ୍ଟ ଆଶ୍ଚର୍ଯ୍ୟଭରା ସ୍ୱରରେ ପଚାରିଲେ, “କିଏ ଏହି ବୁଢାଟି? କାହିଁକି ଇଏ ଏଠିକୁ ଆସିଛି?”
ସେଠି ବସିଥିବା ଜଣେ ବ୍ୟକ୍ତି କହିଲା, “ମାଲିକମାନେ, ମୁଁ ଏ ବୁଢାକୁ ଆଗରୁ କେଉଁଠି ଦେଖିଛି । ଏହାକୁ ଆମ ଗୋଶାଳା ରଖୁଆଳ ନିଜ ସାଙ୍ଗରେ ଆଣିଛି ।”
ତା’ର କଥା, ଶୁଣି ଦୁର୍ବୁଦ୍ଧି ରଖୁଆଳକୁ କହିଲା, “କ’ଣ ତମର ଖରାପ ଦିନ ଆସି ଗଲାଣି କି? ନଚେତ୍ ତାକୁ କ’ଣ ପାଇଁ ସାଙ୍ଗରେ ଆଣିଛ? କ’ଣ ଏହି ନଗରରେ ଭିକାରୀ ଓ କାଙ୍ଗାଳମାନଙ୍କର ଅଭାବ ପଡିଗଲା ଯେ ତମେ ଏ ନିକମାକୁ ଆଣି ଏଠାକୁ ଆସିଛ? ତମ ମାଲିକଙ୍କର ଅନ୍ନଧ୍ୱଂସ କରିବା ପାଇଁ ଭିକାରୀଙ୍କ ସଂଖ୍ୟା କମ୍ ପଡି ଯାଇଛି?”
ରଖୁଆଳ କହିଲା, “ଦେଖନ୍ତୁ, ଆପଣ ମୋ ଠାରୁ ମହାନ୍ ନିଶ୍ଚିତ, କିନ୍ତୁ ଆମ ଚାକର ବାକରଙ୍କୁ ଏପରି କ’ଣ ସବୁ କହିଯାଉଛନ୍ତି । କିଏ କ’ଣ ଜାଣିଶୁଣି ଭିକାରୀକୁ ସାଙ୍ଗରେ ଧରିଆସେ! ଆପଣଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ । ମୋପାଇଁ ମୋର ମାଲିକାଣୀ, ଛୋଟ ମାଲିକ ସବୁ କିଛି । ସେମାନଙ୍କର ସୁଖରେ ମୋର ଆନନ୍ଦ ।”
ଧୀରମତି ରଖୁଆଳକୁ କହିଲେ, “ନୀରବରୁହ । ଏପରି ଅଯଥା ଯୁକ୍ତିତର୍କରେ ବା ଲାଭ କ’ଣ? ପୁଣି ଦୁର୍ବୁଦ୍ଧିକୁ ସେ କହିଲେ, ଯେହେତୁ ତୁମେ ଶକ୍ତିଶାଳୀ ତୁମେ ଚାହୁଁଛ ବୃଦ୍ଧଙ୍କୁ ଘରୁ ବାହାର କରି ଫୋପାଡି ଦେବ । ଏୟାତ ହିଁ ତୁମର ଉଦ୍ଧେଶ୍ୟ? ଏପରି କଦାଚିତ୍ ହେବ ନାହିଁ । ଯଦି ପାରୁଛ କିଛି ଦାନ ଦିଅ, ନଚେତ୍ ଚୁପ୍ ରହ । ହଁ, ମୁଁ ଠିକ୍ ରୂପେ ଜାଣେ ଯେ, ତୁମର ଆଗ୍ରହ କେବଳ ଖାଇବାରେ । ମାତ୍ର ଦେବାରେ ନୁହେଁ । କୃପଣତାର ପୁଣି ବି ତ ଗୋଟେ ସୀମା ଅଛି ।”