ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

ସୁବର୍ଚ୍ଚଳାଦେବୀଙ୍କଠାରୁ ଚନ୍ଦ୍ରସେନା ଶୁଣିଲେ ଯେ ମହୀରାବଣ ବଧ ହୋଇ ସାରିଛି ଏବଂ ବର୍ତ୍ତମାନ ସେଠାକାର ରାଜା ହେଉଛନ୍ତି ମକରଧ୍ୱଜ । ଏ ଖବର ପାଇ ସେ ଅତ୍ୟନ୍ତ ଆନନ୍ଦିତ ହେଲେ; ମନ ମଧ୍ୟରେ ତାଙ୍କର କେତେ ଆଶା ଜାଗି ଉଠିଲା । ବନ୍ଦୀ ଶାଳାରୁ ମୁକ୍ତ ହେବା ପାଇଁ ମଧ୍ୟ ତାଙ୍କ ମନରେ ଆଶା ଜାଗିଲା ।

                ସୁବର୍ଚ୍ଚଳା ଦେବୀ ତାଙ୍କୁ କହିଲେ, “ହେ ଚନ୍ଦ୍ରସେନା, ତମେ ଧନ୍ୟ । ମହୀରାବଣର ସଂହାର ପରେ ପରେ ଶ୍ରୀରାମ ଏବେ ତୁମରି କକ୍ଷକୁହିଁ ଆସୁଛନ୍ତି ।”ଏତିକି କହି ସେଠାରୁ ସେ ଚାଲିଗଲେ ।

                ତା’ପରେ ଚନ୍ଦ୍ରସେନା ଭାବିଲେ ଯେ, ସ୍ୱୟଂ ଶ୍ରୀରାମ ଯେତେବେଳେ ତାଙ୍କୁ ଦର୍ଶନ ଦେବାକୁ ଆସୁଛନ୍ତି, ସେତେବେଳେ ସେ ତାଙ୍କୁ ଖୁବ୍ ଭଲ ଭାବରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେବେ । ମହୀରାବଣର ମୃତ୍ୟୁ ସମ୍ବାଦ ଚନ୍ଦ୍ରସେନାଙ୍କ ପାଇଁ ଯେତିକି ଆନନ୍ଦ ଦାୟକ, ତା’ଠାରୁ ଶ୍ରୀରାମଙ୍କ ଦର୍ଶନ ଲାଭ କରିବା ଅତ୍ୟଧିକ ଆନନ୍ଦ ଦାୟକ । ସେ ନିଜ କକ୍ଷଟିକୁ ବଡ ଯତ୍ନରେ ନାନା ପ୍ରକାର ଫୁଲ ପତ୍ରରେ ସଜାଇ ଦେଲେ କକ୍ଷରେ ନାନା ପ୍ରକାରର ସୁଗନ୍ଧି ସିଂଚିଲେ ଓ ଦ୍ୱାରବନ୍ଧରେ ଶ୍ରୀରାମଙ୍କ ଆଗମନକୁ ଅପେକ୍ଷା କରି ଠିଆ ହୋଇ ରହିଲେ ।

                ଅଳ୍ପସମୟ ପ୍ରତୀକ୍ଷା କରିବା ପରେ ସେ ଖୁବ୍ ବ୍ୟସ୍ତ ହୋଇ ପଡିଲେ । କିନ୍ତୁ ସେ ଯେତେ ଯେତେ ଶ୍ରୀରାମଙ୍କ କଥା ଭାବୁଥା’ନ୍ତି ତାଙ୍କ ମନ ଓ ଶରୀର ସେତେସେତେ ପୁଲକିତ ହେଉଥାଏ । ତାଙ୍କ ଚେତନାରେ ବିମୁଗ୍ଧଭାବ । ସେ ଆଜି ଭଗବାନଙ୍କୁ ଦର୍ଶନ କରିବେ; ଏତେ ଦିନର ଆଶା ଆଜି ପୁଣି ତାଙ୍କର ସଫଳ ହେବ । କିଛି ସମୟ ପରେ ହନୁମାନଙ୍କ ସହ ଶ୍ରୀରାମ ଓ ଲକ୍ଷ୍ମଣ ସେଠାକୁ ଆସିଲେ । ସେମାନଙ୍କୁ ଦେଖି ଚନ୍ଦ୍ରସେନା ନିଜକୁ ଧନ୍ୟ ମନେ କଲେ ଓ କୃତ୍ୟ କୃତ୍ୟ ହୋଇଗଲେ ।

                ହନୁମାନ ସେଠାରେ ପହଁଚି ଚନ୍ଦ୍ରସେନାଙ୍କୁ କହିଲେ, “ମା, ମୁଁ ଦେଇଥିବା କଥା ପୁରଣ କଲି । ମୁଁ ଶ୍ରୀରାମଙ୍କୁ ଆପଣଙ୍କ ପାଖକୁ ନେଇ ଆସିଲି ।”

                ଚନ୍ଦ୍ରସେନା ଗଦ୍ ଗଦ୍ ହୋଇ ଆଖି ବୁଜି ଥିଲେ । ମାତ୍ର ହନୁମାନଙ୍କ ସ୍ୱର ଶୁଣି ସେ ତାଙ୍କ ଆଖି ଖୋଲିଲେ । ଶ୍ରୀରାମଙ୍କୁ ସମ୍ମୁଖରେ ଦେଖି ତାଙ୍କର ମନେ ହେଲା ଯେପରି ଏ ଜୀବନ ପାଇଁ ତାଙ୍କର ସର୍ବାର୍ଥ ସିଦ୍ଧି ହୋଇଛି । ସେ କିପରି ତାଙ୍କୁ ସ୍ୱାଗତ କରିବେ ତାହାସବୁ କୁଆଡେ ଅଧା ଭୂଲିଗଲେ । ସେ ଶ୍ରୀରାମଙ୍କୁ ଘର ଭିତରକୁ ନେଇଗଲେ । ହନୁମାନ ଓ ଲକ୍ଷ୍ମଣ ବାହାରେ ରହିଥିଲେ । ସେଠାରେ ସେ ପୁଷ୍ପ, ଅର୍ଘ୍ୟ ପାଦ୍ୟ ଦେଇ ତାଙ୍କର ପୂଜା କଲେ । ତାଙ୍କୁ ନେଇ ସୁସଜ୍ଜିତ ପଲଙ୍କ ଉପରେ ବସାଇବାକୁ ଯାଉଛନ୍ତି ପଲଙ୍କଟି ମଡମଡ ଶବ୍ଦ କରି ଭାଙ୍ଗି ପଡିଲା । ଶ୍ରୀରାମ ଆଉ ପଲଙ୍କରେ ବସିବେ କ’ଣ ଅଚାନକ ଏ ପରିସ୍ଥିତି ଦେଖି ସେମିତି ଠିଆ ହୋଇ ରହିଲେ । ତା’ପରେ ଫୁଲହାରଟିଏ ଚନ୍ଦ୍ରସେନା ନେଇ ଶ୍ରୀରାମଙ୍କ ଗଳାରେ ପକାଇବାକୁ ଯାଉଛନ୍ତି; ସେତେବେଳେ ତାଙ୍କ ହାତରୁ ସେ ମାଳାଟି ହଠାତ୍ ଶୂନ୍ୟରେ ଉଡିଯାଇ ଶ୍ରୀରାମଙ୍କ ପାଦରେ ପଡିଲା । ଏଭଳି ପରିସ୍ଥିତିରେ ଚନ୍ଦ୍ରସେନା ଆଶ୍ଚର୍ଯ୍ୟ ହୋଇ ତୀକ୍ଷ୍ନ ଦୃଷ୍ଟିରେ ପଲଙ୍କକୁ ଚାହିଁଲେ । ପ୍ରକୃତରେ ପଲଙ୍କ ଭାଙ୍ଗିଯିବାର କାରଣ ହନୁମାନ । ସେ ତାଙ୍କ ସୂକ୍ଷ୍ମ ରୂପ ଧରି ପଲଙ୍କ ତଳେ ରହିଥିଲେ । ତେଣୁ ଠିକ୍ ସମୟରେ ସେ ତାକୁ ଭାଙ୍ଗି ପକାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ