ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାଦୁ ମହଲ

(ମହେନ୍ଦ୍ରନାଥ ତାଙ୍କ ବନ୍ଧୁ ଦରବାନ୍ ଠାରୁ ଖବର ପାଇଲେ ଯେ ବିଦ୍ୟାବତୀଙ୍କୁ ସେଠାରୁ ସ୍ଥାନାନ୍ତରିତ କରିବାପାଇଁ ପାଲିଙ୍କି ସଜା ହୋଇଛି । ସେ ସେଦିନ ରାତିରେ ମହଲରେ ପ୍ରବେଶ କରି ଏ ଖବର ରାଜକୁମାରୀଙ୍କୁ କହିଲେ । ବିଦ୍ୟାବତୀ ମହେନ୍ଦ୍ରଙ୍କ ସହିତ ଚାଲିଯିବାକୁ ସ୍ଥିର କଲେ । ବହୁତ ସାବଧାନର ସହିତ ସେ ଦୁହେଁ ଠିକ୍ ଅଧରାତି ବେଳକୁ ମହଲରୁ ବାହାରି ଗଲେ । ଏଥର ଆଗକୁ ପଢନ୍ତୁ)

                କମଳା ପରି ଦେଖିବାକୁ ବୃଦ୍ଧା, ମାଲିକଙ୍କ ଠାରୁ ଆଜ୍ଞା ପାଇ ରାଜକୁମାରୀଙ୍କ ମହଲ ଆଡକୁ ସେ ଗଲା । କିନ୍ତୁ ସେ ବିଦ୍ୟାବତୀଙ୍କୁ କେଉଁଠି ହେଲେ ବି ଦେଖିଲା ନାହିଁ । ଝରକା ମାନଙ୍କୁ ଖୋଲି ବାହାରକୁ ଚାହିଁ ସେ ଦେଖିଲା, କିନ୍ତୁ କେଉଁଠି ସେ କିଛିବି ପାଇଲା ନାହିଁ । ଉଦ୍ୟାନରୁ ତଳକୁ ସେ ଓହ୍ଲାଇଲା । ଦେଖିଲା ବାହାରକୁ ଯିବାର ଫାଟକ ମଧ୍ୟ ବନ୍ଦ । କିନ୍ତୁ ଦ୍ୱାର ପାଳ ଗଲା କୁଆଡେ?

                ଏହାପରେ ସେ ପରିଚାରିକାଟି ଲମ୍ବ ଲମ୍ବ ପାହୁଲ ପକାଇ ସବୁ ଘର ପୁଣି ଥରେ ଖୋଜିଗଲା । ମାଲିକଙ୍କ ପାଖକୁ ଯିବା ପୂର୍ବରୁ ଆଉ ଜଣେ ଝିଅ ଖବର ନେଇ ଆସିଲା ଯେ ମାଲିକ କହିଛନ୍ତି ଶିଘ୍ର ରାଜକୁମାରୀଙ୍କୁ ପାଲିଙ୍କିରେ ବସାଇ ସେ ନିଜେ ପାଲିଙ୍କି ସହିତ ଚାଲିବ । ଏବେ କ’ଣ କରାଯାଏ । ବିଦ୍ୟାବତୀ ତ କାହିଁ କେଉଁଠି ହେଲେବି ମିଳୁ ନାହାଁନ୍ତି । ତା’ମନ ଭିତରେ ବହୁତ ଭୟ ଆସିଲେ ବି ଚିନ୍ତା କରି କରି ସେ ଏକ ଉପାୟ ପାଇଲା । ସେ ସଙ୍ଗେସଙ୍ଗେ ବିଦ୍ୟାବତୀଙ୍କ ପରିଚାରିକା ମାଳିନୀର କକ୍ଷକୁ ଗଲା । ଏତେ ବେଳ ଯାଏଁ ମାଳିନୀ ଆରାମରେ ଶୋଇଥାଏ । ବୁଢୀ ଯାଇ ତାକୁ ଉଠାଇ କହିଲା ଯେ ଅଳ୍ପସମୟ ମଧ୍ୟରେ ସେ ଯେପରି ଭଲ ଲୁଗା ଓ ଅଳଙ୍କାର ପିନ୍ଧି ପକାଏ । କାରଣ ପାଲିଙ୍କି ଅପେକ୍ଷା କରିଛି; ବାହାରକୁ ଯିବାକୁ ହେବ ।

                ମାଳିନୀ ତତ୍କ୍ଷଣାତ୍ ସେ ବୃଦ୍ଧାର ଆଦେଶ ପାଳନ କଲା । ବୃଦ୍ଧା ତାକୁ ସାଥିରେ ଧରି ତଳ ମହଲାକୁ ଓହ୍ଲାଇ ଗଲା । ତଳେ ପାଲିଙ୍କି ପ୍ରସ୍ତୁତ ହୋଇ ଥାଏ । ମାଳିନୀ କିଛି ଭାବି ପାରିଲା ନାହିଁ । ସେ ଧୀର ସ୍ୱରରେ ବୁଢୀକୁ ପଚାରିଲା, “ଏଥିରେ କ’ଣ ମୁଁ ବସିବି?”

                ତହୁଁ ସେ ବୃଦ୍ଧା ପରିଚାରିକା କହିଲା “ହଁ, କିନ୍ତୁ ତୋତେ କୁଆଡେ ନିଆହେବ ସେକଥା ତୋର ଜାଣିବାର କୌଣସି ଆବଶ୍ୟକତା ନାହିଁ । ପାଲିଙ୍କିର ପଛେ ପଛେ ମୁଁ ଚାଲୁଥିବି । ଏଣୁ ତୋର ଡରିବାର କୌଣସି କାରଣ ନାହିଁ । ଭାବିନେ ଯେ ଏହାହିଁ ମାଲିକଙ୍କର ଆଦେଶ ।”

                ଏହାପରେ ମାଳିନୀ ଯାଇ ପାଲିଙ୍କିରେ ବସିଲା । ପରଦା ପକାଗଲା । ବାହକମାନେ ତୁରନ୍ତ ପାଲିଙ୍କି ଉଠାଇ ଚାଲିଲେ । ପାଲିଙ୍କି ରାଜପ୍ରାସାଦ ଛାଡି ଜଙ୍ଗଲକୁ ଗଲା, ବୃଦ୍ଧା ବି ସେମିତି ସେ ପାଲିଙ୍କିର ପଛେପଛେ ଚାଲିଥାଏ ।

                ଏଣେ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ରାଜପ୍ରାସାଦ ଛାଡି ବାହାରକୁ ଆସି ଦେଖିଲେ ଗୋଟିଏ ସରୁ ବାଟଚଲା ରାସ୍ତା ଦେଖା ଯାଉଛି । ସେମାନେ ବଡ ସାବଧାନତା ସହକାରେ ଚାଲିଥାନ୍ତି । କୌଣସି ଶବ୍ଦ ଶୁଭିଲେ ଦୁଇଜଣ ଚମକି ପଡି ଚାହାଁନ୍ତି ଓ ପତ୍ର ବହଳରେ ଯାଇ ଲୁଚିଯା’ନ୍ତି । କିଛି ସମୟ ପରେ ପାଲିଙ୍କି ବାହକଙ୍କର ଶବ୍ଦ ଶୁଭିଲା । ସେମାନେ ଚଟ୍କରି ବୁଦା ଉଢାଳରେ ଯାଇ ଲୁଚିଗଲେ । ସେଠାରୁ ଥାଇ ସେମାନେ ଦେଖିଲେ ଯେ ପାଲିଙ୍କି ପଛରେ ବୁଢି ଚାଲିଥାଏ । ମହେନ୍ଦ୍ରନାଥ ଓ ବିଦ୍ୟାବତୀ ବୁଝିପାରିଲେ ନାହିଁ ଯେ ସେ ପାଲିଙ୍କିରେ କିଏ ଯାଉଛି । ମହେନ୍ଦ୍ରନାଥ କହିଲେ “ରାଜକୁମାରୀ, ଆମେ ବହୁତ ସତର୍କ ରହିବା ଆବଶ୍ୟକ, ଭଲ ହୁଅନ୍ତା ଯଦି ଆମେ ଏଠାରୁ ଛଦ୍ମବେଶରେ ଯାଆନ୍ତେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ