ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ ଖୁବ୍ ଆଦର ଅଭ୍ୟର୍ଥନା କଲା । ଗଳ୍ପ କରୁ କରୁ ପ୍ରଫୁଲ୍ଲ ଭୂଷଣକୁ କହୁଥାଏ ସେ କିପରି ଅନ୍ୟମାନଙ୍କୁ ହଇରାଣ କରେ ।
ପ୍ରଫୁଲ୍ଲର ସବୁକଥା ଶୁଣିବା ପରେ ଭୂଷଣ କହିଲା, “ତୁମେ ଯେଉଁ କଥା ସବୁ କହିଗଲ, ସେସବୁ ଶୁଣି ମୋତେ ତ କାହିଁ ଯମା ହସ ମାଡୁ ନାହିଁ । ବରଂ କୁହ ଦୁଃଖ ଲାଗୁଛି । ମାତ୍ର ମୁଁ ଏକଥା ବୁଝିପାରୁନାହିଁ ଯେ ଅନ୍ୟର କଷ୍ଟରେ ତୁମେ କାହିଁକି ବା ହସୁଛ?”
ପ୍ରଫୁଲ୍ଲ କହିଲା “ହାସ୍ୟରସ ଏକ ରସ ଓ ଏକ କଳା । ଏହା ସମସ୍ତେ ବୁଝିପାରିବେ ନାହିଁ । କାଲି ସଭାକୁ ଆସ ଦେଖିବ ଏବେ ଯେଉଁ କଥା ସବୁ ତୁମକୁ କହିଲି ସଭାସଦ୍ମାନେ କିପରି ସେହିକଥା ଶୁଣି ହସି ହସି ଗଡିବେ ।”
ପରଦିନ ପ୍ରକୃତରେ ସଭାସଦ୍ମାନେ ସେହିକଥାକୁ ନେଇ ବହେ ହସିଲେ । ଭୂଷଣ ସଭାସଦ୍ଙ୍କ ସ୍ୱଭାବ ଦେଖି ଭାରି ଆଶ୍ଚର୍ଯ୍ୟ ହେଲା । ଘରକୁ ଫେରି ସେ ଉର୍ମିଳାକୁ ଏହାର କାରଣ ପଚାରିଲା । ସେ କହିଲା, “ହସିବେ ନାହିଁ ତ ଆଉ କ’ଣ କରିବେ? ଯିଏ ନ ହସିବ ତାକୁ ଚାବୁକରେ ପିଟା ହେବ । ଅର୍ଥାତ୍ ନହସିବାର ଦଣ୍ଡ ଭୋଗିବାକୁ ପଡିବ ।”
ଭୂଷଣ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ତୋ ସ୍ୱାମୀ କ’ଣ ମହାରାଜ? ଚାବୁକରେ ମାରିବାରୁ ସଭାସଦ୍ ଚୁପ୍ ଚାପ୍ ସବୁ ସହିଯା’ନ୍ତି?”
ଉର୍ମିଳା କହିଲା “ସେହି ସଭାସଦ୍ମାନେ ଗରିବ । ଗାଳି ଶୁଣିବାରୁ ଓ ସହିବାରୁ ଇଏ ତାଙ୍କୁ ଧନ ଦିଅନ୍ତି । ସେ ଯାହା କହିବେ ସେକଥା ସମସ୍ତିଙ୍କୁ ଶୁଣିବାକୁହିଁ ପଡିବ । ଯିଏ ଏହି କଥାରେ ସମ୍ମତ କେବଳ ସେହିଁ ସଭା ମଧ୍ୟରେ ପ୍ରବେଶ କରିପାରିବ । ନହେଲେ ନାହିଁ । ଏ ସବୁକିଛି ସେହି ଧନର ମହିମା ।”
ଏସବୁ ଖବର ସଂଗ୍ରହ କରିବା ପରେ ଭୂଷଣ ପ୍ରଫୁଲ୍ଲକୁ କହିଲା, “ମନେହେଉଛି ହାସ୍ୟରସ କ’ଣ ତାହା ତୁମକୁ ଆଦୌ ଜଣା ନାହିଁ । ତୁମ ପରି ବ୍ୟକ୍ତି ସହିତ ରହିବା ଯୋଗୁଁ ତୁମର ସ୍ତ୍ରୀ ଓ ତୁମର ଚାକରବାକର ସର୍ବଦା ଦୁଃଖରେ ଅଛନ୍ତି, ଏହା ତୁମେ ଜାଣ ତ?”
ପ୍ରଫୁଲ୍ଲ କହିଲା “ସେମାନଙ୍କ କଥା ଛାଡ । ତାଙ୍କ ଚେହେରା ତ ସେଇପରି । ସେମାନଙ୍କ ମୁହଁରୁହିଁ ଦୁଃଖର ଭାବ ଝରୁଛି । ତୁମେ ନିଜେ ତ ସଭାକୁ ଆସି ଦେଖିଲ ମୋର ହାସ୍ୟରସକୁ ସେମାନେ କିପରି ବୁଝୁଛନ୍ତି? ମୋ କଥା ଶୁଣିବା ମାତ୍ରେହିଁ ସେମାନେ ହସିହସି ବେଦମ ହେଉଛନ୍ତି ।”
ଭୂଷଣ କହିଲା “ହାସ୍ୟରସ ଧନ ଦେଇ ହୁଏ ନାହିଁ । ହାସ୍ୟ ଅର୍ଥ ଯାହା ଶୁଣି ଶୁଣି ମଣିଷ ନିଜର ସମସ୍ତ ଦୁଃଖ ଭୁଲିଯାଇ ହସିପକାଏ ।” ଏକଥା ଶୁଣିବା ମାତ୍ରେ ପ୍ରଫୁଲ୍ଲର ମୁହଁ ସେହିକ୍ଷଣି ଫିକା ପଡିଗଲା । ସେ କହିଲା, “ତେବେ ତୁମେ ଅସଲ କଥା ଜାଣିପାରିଛ? ଆଚ୍ଛା କ’ଣ ତୁମେ ଧନ ଦେଇ କାହାକୁ ହସାଇ ପାରିବ?”
ଭୂଷଣ କହିଲା “ମୁଁ ନିଜେ ହସି ପାରିବି, ହେଲେ କାହାକୁ ହସାଇ ପାରିବି ନାହିଁ । କାହିଁକିନା ଏହି ହସାଇବା ହେଉଛି ଏକ ବଡ କଳା । ଆମ ଗ୍ରାମରେ ଚତୁର ନାମକ ଜଣେ ବ୍ୟକ୍ତି ଅଛି । ସେ କଥା କହିଲେ, ହସି ହସି ଆଖିରୁ ଆନନ୍ଦାଶ୍ରୁ ବୋହିଯାଏ ।”