ନିଃସନ୍ତାନ ଦ୍ରୁପଦ ସନ୍ତାନ ପ୍ରାପ୍ତିର ଇଚ୍ଛା ନେଇ ଅନେକ ଆଶ୍ରମ ବୁଲିଲେ । ଅନେକ ମୁନିଙ୍କର ସେ ସେବାକଲେ । ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ପ୍ରାପ୍ତ କରିବାର ଆକାଂକ୍ଷା ଥିଲା । ଦ୍ରୋଣଙ୍କ ସହ ପୂର୍ବ ଶତ୍ରୁତା ଯୋଗୁଁ ସେ ଚାହିଁଥିଲେ କି ତାଙ୍କର ଏପରି ଏକ ପୁତ୍ର ହେବ ଯିଏକି ଦ୍ରୋଣଙ୍କୁ ମାରି ପାରିବ । ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଦ୍ରୋଣ ଅର୍ଜୁନଙ୍କ ନିକଟରୁ ଗୁରୁଦକ୍ଷିଣା ସ୍ୱରୂପ ଦ୍ରୁପଦଙ୍କର ଅର୍ଦ୍ଧରାଜ୍ୟ ପାଇଥିଲେ, ଅର୍ଜୁନଙ୍କର ପରାକ୍ରମ ଦେଖି ଦ୍ରୁପଦ ତାଙ୍କୁ କନ୍ୟାଦାନ କରିବାକୁ ଅଭିଳାଷୀ ଥିଲେ ।
ଏହିପରି ବୁଲୁବୁଲୁ ଗଙ୍ଗାନଦୀ ତଟରେ ଥିବା ଏକ ଆଶ୍ରମରେ ସେ ଯାଇ ପହଁଚିଲେ । ସେଠାରେ ୟାଜ ଓ ଉପୟାଜ ନାମକ ଦୁଇଭାଇ ସାରାଦିନ ଧରି ବେଦପାରାୟଣ କରୁଥିଲେ ଓ ସୂର୍ଯ୍ୟଙ୍କର ଆରାଧନା କରୁଥିଲେ । ସେମାନେ କାଶ୍ୟପ ଗୋତ୍ରର ଥିଲେ । ଦ୍ରୁପଦଙ୍କର ମନେହେଲା ଉପୟାଜ ଅଧିକ ତପୋବଳ ସମ୍ପନ୍ନ । ସେ ସେହିଠାରେ କିଛି ଦିନ ରହିଲେ ଓ ବଡ ଶ୍ରଦ୍ଧା ଓ ଭକ୍ତିର ସହିତ ଋଷିଙ୍କର ସେବା କଲେ ।
ଦିନେ ଉପୟାଜଙ୍କର ପଦ ସେବା କରିବା ବେଳେ ଏକାନ୍ତରେ ଦ୍ରୁପଦ କହିଲେ, “ମୁନିବର, ଦ୍ରୋଣ ମୋର ଘୋର ଅପମାନ କରିଛନ୍ତି । ପାଣ୍ଡବ ଓ କୌରବ ଉଭୟ ତାଙ୍କର ଶିଷ୍ୟ । ତେଣୁ ସେମାନଙ୍କୁ ପରାଭୂତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କାରଣ ଶିଷ୍ୟମାନେ ନିଜ ଗୁରୁଙ୍କ ପାଇଁ ଜୀବନ ସୁଧା ଉତ୍ସର୍ଗ କରିଦେବା ପାଇଁ ପ୍ରସ୍ତୁତ । ଯେତେଦିନ ପର୍ଯ୍ୟନ୍ତ ଅର୍ଜୁନ ତାଙ୍କ ସହିତ ଅଛନ୍ତି ତାଙ୍କୁ ତ ଏ ପୃଥିବୀର ଆଉ କେହି ମଧ୍ୟ ହରାଇ ପାରିବେ ନାହିଁ । ତେଣୁ ମୋତେ ଆପଣ ଏପରି ଏକ ପୁତ୍ର ଦିଅନ୍ତୁ ଯିଏକି ଦ୍ରୋଣଙ୍କୁ ପରାହତ କରିପାରିବ । ସେଇଥିପାଇଁ ମୁଁ ଆପଣଙ୍କୁ ଯଥେଷ୍ଟ ଦାନ ଦକ୍ଷିଣା ଦେବି । ଆପଣ କୃପା କଲେ, ମୋର ଏ ଜନ୍ମ ସାର୍ଥକ ହେବ । ମୁଁ ମୋର ଲକ୍ଷ୍ୟ ଅବଶ୍ୟ ସିଦ୍ଧି କରିବି ।”
ଉପୟାଜ କହିଲେ, “ଏ କ୍ଷେତ୍ରରେ ମୁଁ ତ ତୁମର ଆଦୌ କୌଣସି ସହାୟତା କରିପାରିବି ନାହିଁ । ଏପରି କାର୍ଯ୍ୟରେ ମୁଁ କେବେବି କାହାକୁ ସାହାଯ୍ୟ କରେ ନାହିଁ ।” ଏକଥା ଶୁଣି ଦ୍ରୁପଦ ସେ ମୁନିଙ୍କ କଥାରେ ଆଦୌ ନିରାଶ ହେଲେ ନାହିଁ । ବରଂ ସେ ଅଧିକ ଶ୍ରଦ୍ଧା ଓ ଭକ୍ତିର ସହିତ ତାଙ୍କର ସେବା କରିବାକୁ ଲାଗିଲେ । ଏମିତି ବର୍ଷେ କଟିଗଲା । ଦିନେ ମୁନି ଦ୍ରୁପଦଙ୍କୁ କହିଲେ, “ରାଜନ୍, ତୁମେ ବଡ ଶ୍ରଦ୍ଧା ଓ ଭକ୍ତିର ସହ ମୋର ସେବା କରି ଚାଲିଛ । କିନ୍ତୁ ତୁମର ଇଚ୍ଛା ଅନୁଚିତ୍ । କୌଣସି ସ୍ଥିତିରେ ବି ମୁଁ ଏହି କାର୍ଯ୍ୟ କରିବି ନାହିଁ । କିନ୍ତୁ ମୁଁ ଅବଶ୍ୟ ତୁମକୁ ଏବିଷୟରେ କିଛି ପରାମର୍ଶ ଦେଇପାରେ । ମୋର ଜ୍ୟେଷ୍ଠଭ୍ରାତା ଯାଜଙ୍କ ଆଶ୍ରମକୁ ଯାଇ ତାଙ୍କୁ ସନ୍ତୁଷ୍ଟ କର । ସେ ନିଶ୍ଚୟ ତୁମ କଥାରେ ସମ୍ମତ ହେବେ । ସେ ଯେ ଲୋଭୀ, ଏକଥାଟି ତ ତାଙ୍କ ପିଲାଟି ଦିନରୁ ସ୍ପଷ୍ଟ ଭାବେ ଜଣାପଡୁଥିଲା । ଆମେ ଦୁହେଁ ଗୁରୁକୂଳରେ ବିଦ୍ୟାଶିକ୍ଷା କରିବା ବେଳେ ସେ ଥରେ ଅତ୍ୟନ୍ତ ଅପବିତ୍ର ସ୍ଥାନରେ ପଡିଥିବା ଫଳକୁ ଖାଇଥିଲେ । ବିଦ୍ୟାଭ୍ୟାସ ସମୟରେ ସେ କେବେ ମଧ୍ୟ ଶୁଦ୍ଧତାକୁ ପାଳନ କରୁ ନଥିଲେ । ଜିହ୍ୱାକୁ ଯାହା ରୁଚିକର ମନେ ହେବ ତାହା ସେ ଖାଉଥିଲେ, ତାହା ପୁଣି ଯେଉଁଠାରେ ମିଳିଲେ ମଧ୍ୟ । ଏଥିରୁ ସ୍ପଷ୍ଟ ମନେହୁଏ ଯେ ସେ ଐହିକ ସୁଖକୁ ଖୁବ୍ ମନ ଦେଇ ପାଳନ କରନ୍ତି ।”
ଉପୟାଜଙ୍କ ପରାମର୍ଶ ଅନୁସାରେ ରାଜା ଯାଜଙ୍କ ନିକଟକୁ ଗଲେ ଓ ସେଠାରେ ପହଁଚି ସେ ତାଙ୍କର ସମସ୍ତ ଅଭିଳାଷ ବିଷୟ ନିବେଦନ କଲେ । ରାଜା ତାଙ୍କୁ ଅଶୀ ହଜାର ଗାଈ ମଧ୍ୟ ସମର୍ପଣ କଲେ । ଯାଜ ସଙ୍ଗେ ସଙ୍ଗେ ତାଙ୍କ ପ୍ରସ୍ତାବରେ ରାଜି ହେଲେ । ତା’ପରେ ଉପୟାଜଙ୍କୁ ସେ ନିଜର ସହାୟକ ଭାବରେ ନେଲେ ଓ ପୁତ୍ରେଷ୍ଟି ଯଜ୍ଞ କରାଇଲେ । ଯଜ୍ଞଶେଷରେ ହୋମର ଫଳକୁ ହାତରେ ଧରି ସେ ରାଣୀ କୋକିଳା ଦେବୀଙ୍କୁ ଡାକି କହିଲେ, “ନିଅ, ଏହି ଯଜ୍ଞ ଫଳ, ଏହାଦ୍ୱାରା ତୁମର ଏକ ପୁତ୍ର ଓ ଏକ କନ୍ୟା ଜନ୍ମ ହେବେ ।”
ରାଣୀ କୋକିଳା ଦେବୀ ସେତେବେଳେ ପ୍ରସ୍ତୁତ ନଥିଲେ; ସେ କହିଲେ, “ମୁନିବର, ମୁଁ ଏବେ ଶୁଦ୍ଧ ନୁହେଁ, ଅଳ୍ପସମୟ ଅପେକ୍ଷା କରନ୍ତୁ । ମୁଁ ସ୍ନାନକରି ଆସି ଏହାକୁ ଗ୍ରହଣ କରିବି ।”