ଭାସ୍କର ନାମକ ଜଣେ ଯୁବକ କବି ଥିଲେ । ରାଜସମ୍ମାନ ପାଇବାକୁ ତାଙ୍କର ବହୁତ ଇଚ୍ଛା । ସେଥିପାଇଁ ସେ ରାଜା ଚନ୍ଦ୍ରଭାନୁଙ୍କ ନାମରେ ଅନେକ ପ୍ରଶଂସାପୂର୍ଣ୍ଣ କାବ୍ୟ କବିତା ଲେଖିଥା’ନ୍ତି । କିନ୍ତୁ ସେସବୁ କିପରି ଓ କିଏ ଯାଇ ରାଜାଙ୍କୁ ଶୁଣାଇବ? ଏହି ବିଷୟରେ ଅନେକ ଚିନ୍ତା କରି, ସେ କୌଣସି ସମାଧାନ ନ ପାଇ ଶେଷରେ ଗ୍ରାମମୁଖିଆଙ୍କ ସହିତ ପରାମର୍ଶ କରିବାକୁ ଗଲେ ।
ମୁଖିଆ କହିଲେ, “ମୁଁ ଯେତେବେଳେ ମୋର କୌଣସି କାମରେ ରାଜଧାନୀ ଯାଏ ସେତେବେଳେ ମୁଁ ତଳ-କର୍ମଚାରୀଙ୍କ ସହିତ ଦେଖା କରି ସେମାନଙ୍କ ଦ୍ୱାରା ମୁଁ ନିଜର କାମ କରାଇ ନିଏ । ରାଜାଙ୍କ ସହିତ ଦେଖା କରିବା ତ ବହୁତ କଷ୍ଟ । ତେବେ ତୁମେ ରାଜଧାନୀ ଯାଇ ଚେଷ୍ଟା କର, ଦରବାରରେ ଥିବା କୌଣସି ସାହିତ୍ୟିକ ବା ଲେଖକକୁ ଧର, ତେବେ ଯାଇ ତୁମ କାମ ହୋଇଯାଇପାରେ ।”
ଭାସ୍କର ନିଜର କାବ୍ୟକବିତା ସବୁ ଧରି ରାଜଧାନୀକୁ ଚାଲିଲେ; ବାଟରେ ଜଙ୍ଗଲଟିଏ ପଡେ । ଯିବା ରାସ୍ତାରେ ଡାକୁଟିଏ ଆସି ତାଙ୍କ ପଥରୋଧ କରି କହିଲା, “ତୁମ ପାଖରେ ଯାହା ଅଛି ସବୁ ଦେଇଦିଅ ।”
ଭାସ୍କର ବିକଳ ହୋଇ କହିଲେ, “ମୋ ପାଖରେ ଏବେ କିଛି ନାହିଁ, ମୋର କାବ୍ୟ କବିତା ଶୁଣି ଯଦି ରାଜା କିଛି ଧନ ଦେବେ, ତେବେ ମୁଁ ଫେରିବା ବାଟରେ ତୁମକୁ ସେଥିରୁ ଅଧେ ନିଶ୍ଚୟ ଦେବି ।”
ତାଙ୍କର ଏଭଳି କଥାରେ ସେ ଡାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା, “ତୁମେ ଜଣେ କବି? ତେବେ ତ ତୁମେ ନିଶ୍ଚୟ ମୋ ଗୁରୁଙ୍କ ସହିତ ଦେଖା କରିବ । କାହିଁକିନା ସେ କବିମାନଙ୍କୁ ବଡ ଭଲ ପା’ନ୍ତି । ଏବେ ମୋ ସହିତ ତୁମେ ଚାଲ ।” ଏତିକି କହି ସେ ଭାସ୍କର ଆଖିରେ କଳା ପଟିଟିଏ ବାନ୍ଧିଦେଇ କିଛି ଦୂର ନେବାପରେ ତାଙ୍କ ଆଖିରୁ ପଟି ଖୋଲି ଦେଲା ।
ଭାସ୍କର ତାଙ୍କ ଆଖି ଖୋଲିବାମାତ୍ରେ ଜାଣିପାରିଲେ କି ସେ ପର୍ବତର ପାଦଦେଶରେ ଥିବା ଏକ ପ୍ରସାଦ ମଧ୍ୟରେ ଅଛନ୍ତି, ସେଠାରେ କେତେକ ଚୋର, ଅପରାଧୀ ପ୍ରଭୃତି ନାନା ପ୍ରକାର କାର୍ଯ୍ୟରେ ଲାଗିଛନ୍ତି । ସେମାନଙ୍କର ସ୍ୱାମୀ ବା କର୍ତ୍ତା ଖୁବ୍ ସୁନ୍ଦର ସଫାଧଳା ବସ୍ତ୍ର ପିନ୍ଧିଛନ୍ତି ଓ କାମ ଦାମ ଦେଖୁଛନ୍ତି । ଡାକୁ ତାଙ୍କୁ ଭାସ୍କର ବିଷୟରେ ସବୁ କହିଲା ।
ଗୁରୁ ଭାସ୍କରକୁ କହିଲେ, “ମୋର ନାମ ବିଦ୍ୟାଧର । କବିତା ଲେଖିବା ମୋ ଜୀବନର ପ୍ରଥମ କର୍ମ । କବିତା ଲେଖିବା ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଶାନ୍ତିପୂର୍ଣ୍ଣ ବାତାବରଣ ବଡ ଅନୁକୂଳ ସ୍ଥାନ । ଏଠାରେ କବିତା ଲେଖିଲେ ତାହା ଖୁବ୍ ପ୍ରଭାବ ଶାଳୀ ଓ ଉଚ୍ଚସ୍ତରର ହୁଏ । ତେଣୁ ତୁମେ ମଧ୍ୟ ମୋ ସହିତ ଏଠାରେ ରହିଯାଅ ।”