ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି ।
ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ ପାଖରୁ ବିଭିନ୍ନ ପ୍ରକାରର ତରବାରୀ ଚାଳନା ଓ ତାହାର ସୂକ୍ଷ୍ମ କୌଶଳମାନ ଶିଖିବାକୁ ଲାଗିଲେ । ତଥାପି ମଧ୍ୟ ସେ କୌଣସି ବୀରଙ୍କୁ ହରାଇ ପାରି ନଥିଲେ । ସର୍ବଦା ନିଜେହିଁ ହାରିଯାଉଥିଲେ ।
ଏଭଳି ପରିସ୍ଥିତିରେ ଜଣେ ବୈରାଗୀ ତାଙ୍କୁ କହିଲେ, “ମୋତେ ଯିଏ ପେଟ ପୁରାଇ ଖୁଆଇବ ମୁଁ ସନ୍ତୁଷ୍ଟ ହେଲେ ତାହାର ଯେ କୌଣସି ଇଚ୍ଛାକୁ ନିଶ୍ଚୟ ମୁଁ ପୂର୍ଣ୍ଣ କରିବି । ତାଙ୍କର ଏହି କଥାକୁ କେହିବି ଆଦୌ ଧ୍ୟାନ ଦେଲେ ନାହିଁ । କିନ୍ତୁ ମହାନନ୍ଦ କହିଲେ, “ଆପଣଙ୍କୁ ପେଟଭରା ନଖୋଇଲେ କ’ଣ ମଣିଷର ଇଚ୍ଛା ପୂର୍ଣ୍ଣ ହେବନାହିଁ?”
ତା’ର ଏକଥା ଶୁଣି ବୈରାଗୀ କହିଲେ, “ରୁଚିକର ଫଳ ଦେଉଥିବା ବୃକ୍ଷ ପାଇଁ ପାଣି ଦରକାର । ସେହି ପାଣି ମନୁଷ୍ୟ ଦେବ । ମନୁଷ୍ୟ ତ ଆଉ ନିଜେ ଫଳ ଉପୁଜାଇ ପାରିବ ନାହିଁ, କିନ୍ତୁ ପାଣି ଦେଇ ଗଛ ମାଧ୍ୟମରେ ଫଳ ଫଳାଇବାକୁ ହେବ । ମଣିଷମାନଙ୍କ ମଧ୍ୟରେ ଭଲମଣିଷ ମାନେ ଠିକ୍ ଫୁଲଗଛ ପରି । ମୁଁହିଁ ସ୍ୱୟଂ ସେହିପରି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।”
ଏହାପରେ ମହାନନ୍ଦ ବୈରାଗୀଙ୍କୁ ପେଟ ଭରି ଖୁଆଇଲେ । ଏବଂ ନିଜର ଗୋପନ ଇଚ୍ଛା ତାଙ୍କ ଆଗରେ ପ୍ରକାଶ କଲେ । ବୈରାଗୀ ତାଙ୍କ ଝୁଲାମୁଣିରୁ କିଛି ବୁଟି ବାହାର କରି ମହାନନ୍ଦଙ୍କ ହାତରେ ଦେଇ କହିଲେ, “ଏହିଟିକୁ ନିଅ । ଏହାକୁ ଚୋବାଇ ଖାଇ ନିଅ । ଦେଖିବ ତୁମେ କିଛି ନୂତନ ଶକ୍ତି ଭିତରେ ଲାଭ କରିବ । ତା’ପରେ ତୁମକୁ କେହି ହେଲେ ମଧ୍ୟ ହରାଇ ପାରିବେ ନାହିଁ । ପ୍ରଥମେ ତୁମେ ଜଣେ ବଡ ବୀରକୁ ହରାଇବ । ତା’ପରେ ସମସ୍ତିଙ୍କୁ ଅତି ସହଜରେ ହରାଇ ଦେଇ ପାରିବ ।”
ମହାନନ୍ଦ ଭାବିବାକୁ ଲାଗିଲେ, “ଉଗ୍ରସେନଙ୍କଠାରୁ ବଳି ଆଉ ବଡ ବୀର କେହିବି ନାହିଁ । ଯଦି ମୁଁ ତାଙ୍କୁ ହରାଇଦିଏ ତ ତେବେ ଆଉ କୌଣସି ବୀର ମୋତେ ହରାଇ ପାରିବେ ନାହିଁ । କିନ୍ତୁ ଉଗ୍ରସେନଙ୍କୁ ହରାଇବା କ’ଣ ସମ୍ଭବ?”
ବୈରାଗୀ ମହାନନ୍ଦଙ୍କର ସନ୍ଦେହକୁ ଦୂର କରିବା ପାଇଁ କହିଲେ, “ଯଦି ନିଜ ଶକ୍ତି ଦ୍ୱାରା ଉଗ୍ରସେନଙ୍କୁ ହରାଇବ, ତେବେ ସେ ଆଉ କେବେ ମଧ୍ୟ ତୁମ ସହିତ ଲଢିବାକୁ ଚାହିଁବେ ନାହିଁ । କୌଣସି ପ୍ରକାରରେ ତାଙ୍କୁ ପ୍ରଲୋଭିତ କରି ବା ଯେ କୌଣସି ଉପାୟ ଅବଲମ୍ବନ କରି ତାଙ୍କୁ ଥରେ ହରାଇଲେ, ପରେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୀର ତୁମ ପାଖରେ ହାରିବେ । କିନ୍ତୁ ଉଗ୍ରସେନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କରି ଯଦି ତୁମେ ହାରିଯିବ ତେବେ ଏହି ବୁଟି କୌଣସି କାମ କରିବ ନାହିଁ । ଅର୍ଥାତ୍ ଏହା ନିରର୍ଥକ ବୋଲି ପ୍ରମାଣିତ ହେବ ।”
ମହାନନ୍ଦ କହିଲେ, “ମୁଁ ତ କାହିଁ ଭାବିପାରୁ ନାହିଁ ଯେ ଉଗ୍ରସେନଙ୍କୁ ହରାଇ ପାରିଲେ, ମୁଁ ଅନ୍ୟ ସମସ୍ତ ବୀରଙ୍କୁ ମଧ୍ୟ ହରାଇ ପାରିବି ।”
ତାଙ୍କ କଥାରେ ବୈରାଗୀ ଅଳ୍ପ ହସି କହିଲେ, “ଔଷଧ ବା ବରଦାନ ଏ ଦୁଇଟିର ସଫଳତା କେବଳ ବିଶ୍ୱାସ ଉପରେ ହିଁ ନିର୍ଭର କରେ । ଅବିଶ୍ୱାସ ରହିଲେ ତ ତାହା ଆଦୌ କାମ ଦେବ ନାହିଁ । ତୁମେ ଏଇ ଥରକ ପାଇଁ ବିଜୟ ଲାଭ କଲେ, ତୁମ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ତୁମ ମଧ୍ୟରେ ନୂତନ ଶକ୍ତି ଆସିବା ସେହି ଆତ୍ମ ବିଶ୍ୱାସ ଯୋଗୁଁ ଏହା ବୁଝି ତୁମେ କାମ କରିବ । ଫଳରେ ତୁମେହିଁ ସର୍ବଦା ବିଜୟୀ ହେବ ।
ମହାନନ୍ଦ ବୈରାଗୀଙ୍କର ବୁଟିକୁ ଚୋବାଇ ଖାଇଦେଲେ; ସଙ୍ଗେ ସଙ୍ଗେ ମନ ମଧ୍ୟରେ ନୂତନ ଉତ୍ସାହ ଭରି ଗଲା; ସେ ତରବାରୀ ନେଇ ଉଗ୍ରସେନଙ୍କ ପାଖକୁ ଧାଇଁଲେ । ବାଟରେ ଜଣେ ବୃଦ୍ଧଙ୍କ ସହିତ ତାଙ୍କର ଦେଖା ହେଲା । ସେ କହିଲେ, “ତୁମକୁ ଦେଖିଲେ ମନେହୁଏ ତୁମେ ଉଗ୍ରସେନଙ୍କୁ ଯୁଦ୍ଧରେ ଆହ୍ୱାନ କରିବାକୁ ଯାଉଛ । ତୁମେ କ’ଣ ଜାଣ ନାହିଁ କି ତାଙ୍କୁ ହରାଇବା ପାଇଁ ବୋଧହୁଏ ଏହି ପୃଥିବୀରେ କେହି ମଧ୍ୟ ଜନ୍ମ ହୋଇ ନାହାଁନ୍ତି ।”
ମହାନନ୍ଦ କହିଲେ, “କେବଳ ଥରେ, ଥରେ ମାତ୍ର ମୁଁ ତାଙ୍କୁ ହରାଇବାକୁ ଚାହେଁ, ଅବଶ୍ୟ ତା’ପରେ ମୋତେ କେହି ମଧ୍ୟ ହରାଇ ପାରିବେ ନାହିଁ ।”
ଦୃଢସ୍ୱରରେ ମହାନନ୍ଦ ଏକଥା କହିବାରୁ ବୃଦ୍ଧ ହଠାତ୍ ଚକିତ ହୋଇଗଲେ । ସେ ତାଙ୍କଠାରୁ ସବୁକଥା ଶୁଣିବା ପରେ କହିଲେ, “ଉଗ୍ରସେନଙ୍କୁ ଥରେ ମାତ୍ର ହରାଇବା କ’ଣ ସହଜ ଭାବିଛ? କେବଳ ମୁଁହିଁ ତାଙ୍କର ଭଲମନ୍ଦ ଜାଣେ । ତୁମେ ଯଦି ମୋତେ ଏକ ହଜାର ମୁଦ୍ରା ଦେବ, ତେବେ ମୁଁ ତୁମକୁ ଅସ୍ତ୍ରଚାଳନାରେ ଏପରି ଶିକ୍ଷା ଦେବି ଯେ ତୁମେ ନିଶ୍ଚୟ ତାଙ୍କୁ ହରାଇ ପାରିବ ।”