ଗୋବର୍ଦ୍ଧନ ପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଅତି ସରଳ ଭଦ୍ର ଓ ଉପକାରୀ ଥିଲେ । ସେ କାହାକୁ ଉତ୍ସାହ ଦିଅନ୍ତି ତ, କାହାକୁ ସେବା କରନ୍ତି, କିମ୍ବା ଧନ ସାହାଯ୍ୟ ଦିଅନ୍ତି । ତେଣୁ ସାରା ଗ୍ରାମରେ ତାଙ୍କୁ ସମସ୍ତେ ଦେବତା ବୋଲି ପୂଜା କରନ୍ତି ।
ଯାହାର ଯାହା ଦରକାର ସେ ଗୋପାଳଙ୍କ ପାଖକୁ ଧାଇଁଲା । ସେମାନେ ପୁଣି କହନ୍ତି, “ତୁମ ଭରସାରେ ତ ଆମେ ଏଠାକୁ ଆସିଛୁ । ତୁମେ ‘ନା’ କରିଦେଲେ, ଘରକୁ ଫେରିଯିବୁ । ଆଉ କାହା ପାଖକୁ ଯିବୁ?”
ଆଉ କେତେକ ଲୋକ ତାଙ୍କଠାରୁ ସବୁ ପ୍ରକାର ସାହାଯ୍ୟ ନେବା ପରେ, ତାଙ୍କ ପଛରେ ବହୁ ପ୍ରକାର ସମାଲୋଚନା କରନ୍ତି, ଇର୍ଷ୍ୟାରେ ଜଳିଯା’ନ୍ତି । କେହିକେହି ଏପରି କହନ୍ତି, “ଏହି ଗୋପାଳ ପାଖରେ ବହୁତ ପଇସା ଅଛି । ନିଜ ପାଇଁ ଖର୍ଚ୍ଚ ନକରି ନାମ, ପ୍ରତିଷ୍ଟା ବଢାଇବା ପାଇଁ ଅଳ୍ପ କିଛି କାହାକୁ ଦେଉଛି । ସେ ଯଦି ବେଶି ଧନ ଦିଅନ୍ତା ତେବେ ଗରିବ ହୋଇ ଯାନ୍ତା ନାହିଁ, ଅଥଚ ଆହୁରି ବହୁତ ଲୋକ ସାହାଯ୍ୟ ପାଇ ପାରନ୍ତେ ।”
ଏତେ କିଛି କରିବା ପରେ ଏପରି କଥା ଶୁଣି ସେ ବଡ ଦୁଃଖୀ ହେଲେ । ଦିନେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, “ଦେଖ, ମୁଁ ଏତେ ସବୁ କରିବା ପରେ କି ପ୍ରକାର ଫଳ ମୋତେ ମିଳୁଛି । ମୁଁ ସେମାନଙ୍କୁ ସାହଯ୍ୟ କରୁଛି, ତଥାପି ସେମାନେ ସନ୍ତୁଷ୍ଟ ନୁହଁନ୍ତି । ଯାହାକୁ ନ କରୁଛି ସେ ରାଗୁଛି । ମୁଁ ଏପରି ପରିସ୍ଥିତିରେ ପହଁଚିଲିଣି କି ଭବିଷ୍ୟତରେ ମୁଁ ଆଉ କାହାକୁ କୌଣସି ପ୍ରକାରରେ ମଧ୍ୟ ସାହଯ୍ୟ କରିପାରିବି ନାହିଁ ।”
ଗୋପାଳଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ହସି ହସି କହିଲେ, “ବିଚ୍ଛାକୁ ତମେ ସାହାଯ୍ୟ କଲେ, ସେ ତୁମକୁ କାମୁଡିବ ସେଇଟା ତ ତା’ର ସ୍ୱଭାବ । ଗଛକୁ ପଥର ମାରିଲେ ସେ ତମକୁ ଫଳ ଦେବ ସେଇଟା ତା’ର ସ୍ୱଭାବ । ତୁମର ମଧ୍ୟ ସ୍ୱଭାବ ହେଲା କିଏ ଦୁଃଖ କଷ୍ଟରେ ପଡିଥିଲେ ତାକୁ ସାହାଯ୍ୟ କରିବ । ପ୍ରକୃତରେ ତୁମର ମାନସିକ ଶାନ୍ତି ଆବଶ୍ୟକ । ତେଣୁ ତୁମ ପାଇଁ ସବୁଠାରୁ ଭଲ କାମ ହେଲା, କିଛି ଦିନ ବାହାରେ ତୀର୍ଥ କରି ବୁଲି ଆସ ।”
କିନ୍ତୁ ଗୋପାଳ ଉଦାସ ସ୍ୱରରେ କହିଲେ, “ଭଲ ସ୍ୱଭାବ ବା ଭଲ କାର୍ଯ୍ୟ ଉପରେ ମୋର ବିଶ୍ୱାସ ଥିଲା, ଭଗବାନଙ୍କୁ କାହିଁକି ମୁଁ ତା’ଭିତରକୁ ଟାଣିବି? ତୀର୍ଥଯାତ୍ରା କରି କିଛି ଲାଭ ହେବନାହିଁ ।”
ଗୋପାଳଙ୍କ ସ୍ତ୍ରୀ ସୁଜାତା କହିଲେ “ତୁମେ ଭଗବାନ୍ଙ୍କୁ ସମସ୍ତ କାର୍ଯ୍ୟ ମଧ୍ୟକୁ ନ ଆଣି ବଡ ଭୁଲ୍ କରିଛ; ସେପରି ହେଲେ ଶାନ୍ତି ଅବଶ୍ୟ ତୁମକୁ ମିଳିଥା’ନ୍ତା ।”
କିନ୍ତୁ ଏ କଥାରେ ଗୋପାଳ ଆଦୌ ସହମତ ନଥିଲେ । ସେ କହିଲେ, “ମୋ ମତରେ ଜଣେ ଜୀବନ୍ତ ମଣିଷ, ମନ୍ଦିରର ଶିଳା ମୂର୍ତ୍ତି ଅପେକ୍ଷା ଅଧିକ ମହାନ୍ ।”