ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାହା ପାଇଁ ଯିଏ

ପ୍ରଜାପତି ଘଟସୂତ୍ର କରାଇବାରେ ଦୀକ୍ଷିତ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ବରକନ୍ୟା ଯୁଟାଇବାରେ ସେ ବଡ ଦକ୍ଷ । ନିଜର ବାକ୍ ଚାତୁରୀରେ ସେ ବରପକ୍ଷ ବା କନ୍ୟାପକ୍ଷକୁ ଭଲ ଭାବରେ ପ୍ରଭାବିତ କରି ଦୁଇପକ୍ଷରୁ ନିଜର ପାଉଣା ଆଦାୟ କରୁଥିଲେ ।

                ସେହି ଗ୍ରାମର କମଳ ପଣ୍ଡାଙ୍କର ନୀଳାମ୍ବରୀ ନାମରେ ଝିଅଟିଏ ଥାଏ, ତା’ଲାଗି ନାନାଆଡୁ ବିବାହ ପ୍ରସ୍ତାବ ଆସୁଥାଏ । ପଣ୍ଡାଙ୍କର ଶାସ୍ତ୍ର ପୁରାଣରେ ଅଗାଧ ଜ୍ଞାନ । କିନ୍ତୁ ନୀଳାମ୍ବରୀ ତାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ଅଧିକ ଆଦର ପାଇ ସେ ବେଶି ଅଧିକ ପଢାପଢି କରି ନଥାଏ । ଦେଖିବାକୁ ସେ ଅତି ସୁନ୍ଦର ନୁହେଁ, ଚଳନୀୟ । ଏପରି ସ୍ଥଳେ ପିତା କମଳ ପଣ୍ଡାଙ୍କର ଇଚ୍ଛା ଯେ ତାଙ୍କ ଝିଅ ପାଇଁ ଜଣେ ସୁନ୍ଦର ଓ ଜ୍ଞାନୀ ବର ହେବା ଆବଶ୍ୟକ । ସେ ଏହି ଦାଇତ୍ତ୍ଵ ଦୀକ୍ଷିତଙ୍କୁ ଦେଲେ ।

                ଇତିମଧ୍ୟରେ ନୀଳାମ୍ବରୀ ପାଇଁ ନାନା ପ୍ରସ୍ତାବ ଆସୁଥାଏ । କିନ୍ତୁ କମଳପଣ୍ଡା କିଛି ନା କିଛି ସାମାନ୍ୟ ତ୍ରୁଟି ଦେଖାଇ ପ୍ରସ୍ତାବ ଭାଙ୍ଗି ଦିଅନ୍ତି । ଦିନେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ତାଙ୍କୁ କହିଲେ, “ମୋ କଥା ତ ତୁମକୁ ଭଲ ଲାଗିବ ନାହିଁ । କିନ୍ତୁ ନକହି ମଧ୍ୟ ମୁଁ ରହିପାରୁ ନାହିଁ । ମୋ ବାପଘରର ପରିବାର ସହିତ ଜଣେ ବ୍ୟକ୍ତି ଖୁବ୍ ଘନିଷ୍ଠ; ତାଙ୍କ ପୁତ୍ର ରାଘବଟି ବଡ ଶାନ୍ତ ସୁଧାର ପିଲାଟିଏ, ଦେଖିବାକୁ ମଧ୍ୟ ସେ ଖୁବ୍ ଭଲ, ଅବଶ୍ୟ ଧନୀ ନୁହେଁ କିନ୍ତୁ ସେ ତା’ ବାପମାଙ୍କର ଗୋଟିଏ ବୋଲି ପୁଅ । ମୁଁ ଭାବୁଛି ତାକୁ ବିବାହ କଲେ ଆମ ଝିଅ ଗୋଟିଏ ବୋଲି ବୋହୁ ହେବ, ତେଣୁ ତାକୁ ସେମାନେ ବହୁତ ଆଦର କରିବେ । ଆମ ଝିଅ ଯେଉଁଠି ଶାନ୍ତି ଆନନ୍ଦରେ ରହିବ ତାହାହିଁ ଆମର ଦେଖିବା କଥା । ଦେଖିବାକୁ ଦୁହେଁ ବଡ ସୁନ୍ଦର ଯୋଡି, ବରକନ୍ୟା ବଡ ଶୋଭା ପାଇବେ । ଏଥିରେ ତୁମର ମତ କ’ଣ? ମୁଁ ଶୁଣିଲି କେହି କଥା ପ୍ରସଙ୍ଗରେ ଏ ପ୍ରସ୍ତାବ କରିବାରୁ ରାଘବ ରାଜି ହୋଇଛି ।”

                କମଳ ପଣ୍ଡା ଲକ୍ଷ୍ମୀଙ୍କ କଥାକୁ କାଟି ଦେଇ କହିଲେ, “ରାଘବ ଭଲ ପିଲାଟିଏ ସତ, ହେଲେ ତା’ର ଗୁଣ ବା ଧନ ଏପରି କିଛି ଅସାଧାରଣ ଅଛି କି ଯେଉଁଥିରେ କି ମୁଁ ତାକୁ ମୋ ଝିଅ ଦେବି? ସେ ଦେଖିବାକୁ ଭଲ ନୁହେଁ । ତାଳଗଛ ପରି ଉଚ୍ଚ । ମୁଁ ନ ଭାବି ନ ଚିନ୍ତି ସେଠାରେ ବିବାହ ଦେବି ନାହିଁ ।”

                ଲକ୍ଷ୍ମୀ କହିଲେ, “ତୁମେ ଥରେ ଭାବି ଦେଖ । କହିଲ ଯେ ସେ ଉଚ୍ଚ । ଆମ ଝିଅଟି ତ ପୁଣି ଡେଙ୍ଗୀ । ତେଣୁ ଭଲ ହେବ । ଆଉ ବରବାଛିବା ପାଇଁ ସେଇଟା କ’ଣ ଏକ ଦୋଷ? ପିଲାଟି ଭଲ ହେଲେ ତ ସବୁ ଭଲ । ଆମର ଝିଅଟି ଗେହ୍ଲା ହୋଇ ଯେପରି ଏକ ଯିଦିଆ ହୋଇଛି ତାକୁ ଭଲ ସ୍ନେହୀ ପିଲାଟିଏ ହେଲେ ତ ଯାଇ ତାକୁ ସେ ସମ୍ଭାଳିବ । ଏସବୁ ତମେ କାହିଁକି ଦେଖୁନାହଁ? ତା’ପରେ ସେ କମଳ ପଣ୍ଡା କହିଲେ, “ମୁଁ ଜଣେ ପଣ୍ଡିତ ଲୋକ । ମୋର ଗୋଟିଏ ବୋଲି ଝିଅର ବର ନିର୍ବାଚନ ମୁଁ ତମ କଥାରେ ପଡି କରିବି ବୋଲି ତମେ କାହିଁକି ଭାବୁଛ?”


ଗପ ସାରଣୀ

ତାଲିକାଭୁକ୍ତ ଗପ