ପୂର୍ବ ସିଂହଳ ଦେଶରେ ଜଣେ ବଣିକ ରହୁଥିଲେ । ସମୁଦ୍ରରେ ବାଣିଜ୍ୟ କରି ସେ ଅଜସ୍ର ଅର୍ଥ ଉପାର୍ଜନ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁତ୍ର ହସ୍ତରେ ବ୍ୟବସାୟ ଅର୍ପଣ କରିବା ସମୟରେ ତାଙ୍କୁ ଉପଦେଶ ଦେଇଥିଲେ, “ପୁତ୍ର, ତୁମେ ମୋ ପରି ସାମୁଦ୍ରିକ ବାଣିଜ୍ୟରେ ସଫଳ ହେବ, କିନ୍ତୁ ଭୁଲ୍ରେ ମଧ୍ୟ କେବେବି ସେ ଠକ ନଗରୀରେ ପାଦ ରଖିବ ନାହିଁ ।”
ପିତାଙ୍କ ମୃତ୍ୟୁ ପରେ ଜୟପାଳ ସାମୁଦ୍ରିକ ବାଣିଜ୍ୟର ଶୁଭାରମ୍ଭ କଲେ । ତାଙ୍କ ପାଖରେ ତ ଚାରୋଟି ନୌକା ଥିଲା । ପିତା ତାଙ୍କୁ ଠକ ନଗରୀ ଯିବା ପାଇଁ ବାରଣ କରିବା ଦିନ ଠାରୁ ତାଙ୍କ ମନରେ କୌତୁହଳ ଜାତ ହୋଇଥାଏ ଯେ କାହିଁକି ସେଠାକୁ ଯିବା ପାଇଁ ପିତା ବାରଣ କରୁଛନ୍ତି । ତେଣୁ ସେ ସ୍ଥିର କଲେ ଠକ ନଗରୀ ଯିବେ ଓ ସେହିଠାରୁ ବ୍ୟବସାୟ ଆରମ୍ଭ କରିବେ । ତାଙ୍କର ନିଜର ଚତୁରତା ଓ ବୁଦ୍ଧିମତା ଉପରେ ଖୁବ୍ ଆସ୍ଥା ଥାଏ । ତେଣୁ ସେ ଭାବିଲେ, ମୋତେ କେହି ଠକିବା ପାଇଁ ଚାହିଁଲେ, ମୁଁ ତାକୁ ମୋ ବୁଦ୍ଧିର କୌଶଳରେ ପରାଜିତ କରିପାରିବି । ସୂର୍ଯ୍ୟୋଦୟ ସମୟରେ ଚାରୋଟି ନୌକା ସହିତ ସେ ଯାଇ ସେହି ନଗରୀର ତଟ ଦେଶରେ ପହଁଚିଲେ । ହାତରେ ଧନୁଶର ଧରି ଶିକାର ଉଦ୍ଧେଶ୍ୟରେ ସେ ତଟ ନିକଟରେ ବୁଲୁଥିବା ସମୟରେ ଏକ ବଗ ବସିଥିବାର ସେ ଦେଖିଲେ । ବଗ ସମୁଦ୍ରରୁ ମାଛ ଧରିବା ପାଇଁ ଧ୍ୟାନସ୍ଥ ହୋଇ ବସିଥିବା ବେଳେ ସେ ଲକ୍ଷ୍ୟ କରି ତୀର ଚଳାଇଲେ । ତା’ପରେ ସେ ବଗଟି ମରି ପାଣିରେ ପଡିଗଲା ।
ନିକଟରେ ମାଛ ମାରିବା କାମରେ ଲାଗିଥିବା ଜଣେ ଧୀବର ଏହା ଦେଖି ଦୌଡି ଦୌଡି ଆସି ସେଠାରେ ପହଁଚିଲା । ସେ ଜୟପାଳଙ୍କୁ ଦେଖୁ ଦେଖୁ ଚିତ୍କାର କରି କହିଲା, “କିଏ ତମେ? ତୁମେ ଏ କଣ କଲ? ମୋର ପିତାଙ୍କୁ ତୁମେ ମାରି ପକାଇଲ? ମୁଁ ତୁମ ବିରୁଦ୍ଧରେ ରାଜାଙ୍କ ନିକଟରେ ଅଭିଯୋଗ କରିବି ।”
ଜୟପାଳ ବିସ୍ମିତ ହୋଇ ପ୍ରଶ୍ନ କଲେ, “କ’ଣ ଏଇ ବଗ ତୁମର ପିତା?”
ଧୀବର କହିଲା “ହଁ, ପୂର୍ବଜନ୍ମରେ ସେ ମୋର ପିତା ଥିଲେ । ଏବେ ଜଳପକ୍ଷୀ ରୂପରେ ମାଛ ମାରିବା କାମରେ ସେ ମୋତେ ସହାୟତା କରୁଛନ୍ତି ।”
ଜୟପାଳ ତା’ର ଏଭଳି କଥାକୁ ଆଦୌ ବିଶ୍ୱାସ କଲେ ନାହିଁ, ଓଲଟି ଧମକ ଦେଇ ସେ କହିଲେ, “ଯା, ଯା, ଯେଉଁଠାରେ ଇଚ୍ଛା ତୁ ମୋ ବିରୁଦ୍ଧରେ ଅଭିଯୋଗ କରିବା କଥା କର ।” ଧୀବର ଆଉ ଅଧିକ କିଛିବି ନ କହି ଚୁପ୍ଚାପ୍ ସେଠାରୁ ଚାଲିଗଲା ।
ଏହା ପରେ ଜୟପାଳ ନଗର ମଧ୍ୟରେ ପ୍ରବେଶ କଲେ ।
ଜଣେ ଲୋକ ଆସି ତାଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ବହୁଦିନ ପରେ ତୁମର ଦେଖା ମିଳିଲା । ଅନେକ ଦିନ ତଳେ ମୁଁ ମୋର ଡାହାଣ କାନ ତୁମ ପିତାଙ୍କ ନିକଟରେ ବଂନ୍ଧାରଖି ଦଶଟଙ୍କା କରଜ ନେଇଥିଲି । ଏବେ ମୁଁ ସେ ଟଙ୍କା ତୁମକୁ ଫେରାଇ ଦେଉଛି । ମୋର କାନ ମୋତେ ଦେଇଦିଅ ।”
ତା’ କଥା ଶୁଣି ଜୟପାଳ ସ୍ତମ୍ଭିତ ହୋଇଗଲେ । ସେ ଲୋକଟିକୁ ନୀରିକ୍ଷଣ କରିବାରେ ଲାଗିଲେ । ପ୍ରକୃତରେ ତା’ର କେବଳ ବାମ କାନ ଥିଲା । ସେ ଲୋକଟିକୁ କହିଲେ, “ମୋର ପିତା ତ କାହିଁ ତୁମର କାନ ସମ୍ବନ୍ଧରେ ମୋତେ କିଛି କହିନାହାଁନ୍ତି ।”
“ତୁମ ପିତା ଏ ବିଷୟରେ କିଛି ନ ଜଣେଇଥିଲେ, ମୋର ସେଥିରେ ଯାଏ ଆସେ କେତେ? ତାଙ୍କର ପୁତ୍ର ହିସାବରେ ତୁମର କର୍ତ୍ତବ୍ୟ, ବଚନ ପାଳନ କରିବା ଉଚିତ୍ । ମୋତେ ମୋର କାନ ଫେରାଇଦିଅ ନଚେତ୍ ମୁଁ ତୁମ ବିରୁଦ୍ଧରେ ରାଜାଙ୍କ ନିକଟରେ ଅଭିଯୋଗ କରିବି ।” ଏପରି କହି ଲୋକଟି ସେଠାରୁ ଚାଲିଗଲା ।