କୋଙ୍କଣ ରାଜ୍ୟର ସୀମାରେ ଏକ ପାହାଡ ଥାଏ । ତାକୁ ଭୂତ ପାହାଡ ବୋଲି କୁହାଯାଉଥାଏ । ଏହି ପାହାଡ ସମ୍ପର୍କରେ ଅନେକ ଗଳ୍ପ ଗୁଜ୍ଜବ ଥାଏ । ତେଣୁ ନିକଟବର୍ତ୍ତୀ ଗ୍ରାମବାସୀମାନେ ଭୟରେ ସେ ପାହାଡଠାରୁ ନିଜକୁ ସଦା ସର୍ବଦା ଦୂରରେ ରଖିଥା’ନ୍ତି । ପାର୍ଶ୍ଵବର୍ତ୍ତୀ ପ୍ରାନ୍ତରରେ ଗାଈ ଚରାଇବାକୁ ନେଲେ ଅକସ୍ମାତ୍ ଯଦି ଗାଈଟିଏ ସେ ଭୂତ ପାହାଡ ଆଡେ ଚାଲିଯାଏ, ତେବେ ଜାଣ ସେ ସବୁଦିନ ପାଇଁ ଗଲା । କେହି ଗାଈକୁ ଖୋଜିବାକୁ ମଧ୍ୟ ସେ ପଟକୁ ଯାଏ ନାହିଁ । ଆଗରୁ କୌଣସି ଗାଈଆଳ ପିଲା ସେଠାକୁ ଯାଇ ଲେଉଟି ନାହିଁ ବୋଲି କେହି ସାହସ କରି ସେପଟକୁ ଯାଆନ୍ତି ନାହିଁ ।
କିନ୍ତୁ ସେହି ପାହାଡ ଉପରେ ଗୁଡିଏ ଗୋରୁ ଥା’ନ୍ତି । ସେମାନେ ନିଜେ ବାହାରକୁ ଚରିବାକୁ ଆସି ପୁଣି ସେଠାକୁ ଫେରିଯା’ନ୍ତି । କିନ୍ତୁ ସେମାନଙ୍କୁ କିଏ ସେଠାରେ ରଖିଛି ସେକଥା କେହି ବି କହିପାରନ୍ତି ନାହିଁ । ଦୂରରୁ ଦେଖାଯାଏ ସେ ପାହାଡ ଉପରେ ଗୋଟାଏ ଘର ଅଛି । ମଝିରେ ମଝିରେ ସେଥିରୁ ଧୁଆଁ ମଧ୍ୟ ଉଠୁଥାଏ । କିନ୍ତୁ କିଏ ଅଛି ସେକଥା କେହି ବି ଜାଣନ୍ତି ନାହିଁ ।
ଶୁଣାଯାଏ ସେ ପାହାଡରେ ଗୋଟିଏ ଭୂତ ଥାଏ । ଥରେ ଥରେ ସେ ତଳେ ଚରୁଥିବା ଗୋରୁମାନଙ୍କ ମଧ୍ୟରୁ ଗୋଟାକୁ ଉଠାଇ ନିଏ । କୌଣସି ଗାଈଆଳ ଗୋରୁ ଖୋଜି ଉପରକୁ ଗଲେ ତାକୁ ସେ ମାରି ପକାଏ ।
ଥରେ ସତ୍ୟପାଳ ନାମରେ ଏକ ଯୁବକ ଗାଈଆଳ ପାହାଡ ତଳ ପଡିଆରେ ଗାଈ ଚରାଉଥାଏ । ସମସ୍ତେ ତାକୁ ସେ ପାହାଡ ବିଷୟରେ ଭୟାନକ କାହାଣୀମାନ ଶୁଣାଇ ସେଠାକୁ ନ ଯିବା ପାଇଁ ସାବଧାନ କରାଇ ଦେଲେ । ସେ କିନ୍ତୁ ନିର୍ଭିକ ଥିଲା । ତଳେ ବସି ବସି ପାହାଡ ଉପରର ସବୁ କିଛି ଲକ୍ଷ୍ୟ କରି ସେ ଦେଖୁଥାଏ । ଦିନେ ସେ ଭାବୁଥାଏ ସେଠାକୁ ଯିବ ।
ସତ୍ୟପାଳ କାଳେ କୌତୁହଳବଶତଃ ସେଠାକୁ ଚାଲିଯିବ ସେଥିପାଇଁ ଅନ୍ୟ ଗାଈଆଳମାନେ ତାକୁ କହିଲେ, “ଯଦି ବି କେବେ ଭୁଲ୍ବଶତଃ ସେଠାକୁ ତୁ ଯିବୁ, ତେବେ ସେ ଘର ଭିତରକୁ କଦାପି ଯିବୁ ନାହିଁ । କାରଣ କେହି ପ୍ରାଣ ନେଇ ସେଠାରୁ ଫେରି ନାହିଁ ।
ସତ୍ୟପାଳ ସବୁ ଶୁଣି ନୀରବ ରହିଲା । ତା’ ପରଦିନ ସକାଳୁ ଉଠି ସେ ତା’ର ସମସ୍ତ ନିତ୍ୟକର୍ମ ସାରି ଗାଈମାନଙ୍କୁ ପଡ଼ିଆରେ ଛାଡିଦେଇ କେହି ନ ଜାଣିବା ଭଳି ସୁଯୋଗ ଦେଖି ଭୂତପାହାଡ ଉପରକୁ ସେ ଚଢିଲା । ପାହାଡ଼ ଉପରେ ପହଁଚି ସେ ଦେଖିଲା ସେଠାରେ କୌଣସି ବିଶେଷତ୍ୱ ନାହିଁ । ଚାରିଆଡେ ଚୁପ୍ଚାପ୍ । ତା’ପରେ ସେ ଘର ଆଡକୁ ଗଲା । ଘର ଭିତର ଦେଖି ତା’ର ମନେହେଲା କୌଣସି ମନୁଷ୍ୟ ସେଠାରେ ହୁଏତ ରହୁଛି ।
ସତ୍ୟପାଳ ଚିତ୍କାର କରି ପଚାରିଲା, “ଘରେ କେହି ଅଛ?” କିନ୍ତୁ କୌଣସି ଉତ୍ତର ସେ ପାଇଲା ନାହିଁ ।
ଭୟ ଓ ସଂକୋଚ ତ୍ୟାଗ କରି ସେ ଘର ଭିତରେ ପ୍ରବେଶ କଲା । ଦେଖିଲା ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ହୋଇ ରହିଛି । ଆଉ ଗୋଟିଏ କଡକୁ ଗୋଟିଏ ବଡ ପଲଙ୍କ ପଡିଛି । ସେଥିରେ ଶେଯ ବିଛା ହୋଇ ରହିଛି ।