ପୋତନମ ନଗରୀର ଶାସକ ରାଜା ସୋମଚନ୍ଦ୍ର ଥିଲେ । ତାଙ୍କ ସ୍ତ୍ରୀ ଧାରିଣୀ ଅତ୍ୟନ୍ତ ପତିବ୍ରତା ଥିଲେ । ସେମାନଙ୍କର ପୁଅଟିଏ ଥାଏ । ତା’ର ନାମ ପ୍ରସନ୍ନଚନ୍ଦ୍ର ।
ଦିନେ ରାଣୀ ରାଜାଙ୍କର କେଶଗୁଚ୍ଛ ସଜାଡି ଦେଉଥିଲେ । ସେ ଦେଖିଲେ ତାଙ୍କ ସ୍ୱାମୀ ତଥା ରାଜାଙ୍କର କେତୋଟି କେଶ ଧଳା ହୋଇ ଯାଇଛି । ରାଣୀ ରାଜାଙ୍କୁ ପରିହାସରେ କିଛି କଥା କହିଲେ; କିନ୍ତୁ ରାଜା କହିଲେ, “ଦେଖ, ଏହା ମୋର ବାର୍ଦ୍ଧକ୍ୟର ସୂଚନା ଦେଉଛି ଅର୍ଥାତ୍ ମୋ ଜୀବନ କାଳ ଆଉ ଖୁବ୍ ଅଳ୍ପ । ତେଣୁ ମୁଁ ସେଇ ସମୟର ସଦୁପଯୋଗ କରିବି । ମୁଁ କେବେ ମଧ୍ୟ ରାଜ୍ୟ ଓ ଐଶ୍ୱର୍ଯ୍ୟମୟ ଜୀବନ ପ୍ରତି ଆସକ୍ତ ନ ଥିଲି । ଏବେ ଠିକ୍ ସମୟ ଆସିଛି ମୁଁ ମୋ ପୁଅକୁ ରାଜ୍ୟଭାର ଦେଇ ବନଗମନ କରିବି ଓ ସେଠାରେ ତପସ୍ୱୀଙ୍କପରି ଜୀବନ ଯାପନ କରିବି ।”
ସ୍ୱାମୀଙ୍କର ଏଭଳି କଥା ଶୁଣି ପତିବ୍ରତା ସ୍ତ୍ରୀ ଧାରିଣୀ କହିଲେ, “ମହାରାଜ ମୁଁ ବି ଆପଣଙ୍କ ସହିତ ବନଗମନ କରିବି । ଆପଣ ଏଠାରୁ ଚାଲିଗଲା ପରେ ମୋର ବା ରାଜ୍ୟରେ ରହିବାରେ ଆଉ କି ଆନନ୍ଦ ରହିବ?”
ରାଜା ସୋମଚନ୍ଦ୍ର ତାଙ୍କ ପୁତ୍ର ପ୍ରସନ୍ନଚନ୍ଦ୍ରଙ୍କର ଅଭିଷେକ କରି ରାଣୀ ଧାରିଣୀଙ୍କୁ ନେଇ ବନଗମନ କଲେ । ସେତେବେଳେ ରାଣୀ ଆସନ୍ନପ୍ରସବା ଥିଲେ । ଯଥା ସମୟରେ ତାଙ୍କର ପୁଅଟିଏ ଜନ୍ମ ହେଲା । ରାଜା ତା’ର ନାମ “ବଳ୍କଲଚୀର” ରଖିଲେ । ବର୍ଷେ ନ ପୁରୁଣୁ ସେ ରାଣୀଙ୍କର ମୃତ୍ୟୁ ହେଲା । ରାଜା ତାଙ୍କ ପୁତ୍ରକୁ ଖୁବ୍ ଯତ୍ନରେ ଲାଳନ ପାଳନ କରୁଥା’ନ୍ତି । କ୍ରମେ ସେ ବଡ ହେଲା । ସେ ନିଜର ପିତା ଓ ଅନ୍ୟ ମୁନିଋଷିଙ୍କ ବ୍ୟତୀତ ଆଉ କାହାକୁ ଦେଖି ନଥାଏ । ପୁଣି ପିଲାଦିନରୁ ନାନା ପ୍ରକାର ଯୋଗାଭ୍ୟାସ କରି ସେ ଏକ ଆଦର୍ଶ ଯୁବକ ଭାବରେ ଜୀବନଯାପନ କରୁଥା’ଏ ।
ରାଜା ପ୍ରସନ୍ନଚନ୍ଦ୍ର ଏସବୁ କଥା ବିଷୟରେ ଖବର ପାଇଲେ । ସେ ଚାହିଁଲେ ଯେ ତାଙ୍କ ସାନଭାଇଙ୍କୁ ରାଜଭବନକୁ ଆଣି ରାଜବିଦ୍ୟାରେ ଶିକ୍ଷା ଦେବେ, ସେ ଯୁବାବୟସରେ କାହିଁକି ବଣଜଙ୍ଗଲରେ କଷ୍ଟ ସହି ବୁଲିବ । କାଳେ ସେ ଆସିବାକୁ ମଙ୍ଗିବ ନାହିଁ ସେଥିପାଇଁ ରାଜା ପ୍ରସନ୍ନଚନ୍ଦ୍ର କେତେଜଣ ସୁନ୍ଦରୀ ନର୍ତ୍ତକୀଙ୍କୁ ଡାକି କହିଲେ, “ତୁମେମାନେ ତାକୁ ଆକର୍ଷିତ କରି ନେଇଆସ ।”
ନର୍ତ୍ତକୀମାନେ ତପସ୍ୱିନୀ ବେଶ ଧରି ବଳ୍କଲଚୀର ସହିତ ଏକାନ୍ତରେ ଯାଇ ଦେଖା କଲେ ଓ ତାକୁ ନାନା ମିଠାଇ ସବୁ ଅର୍ପଣ କଲେ । ଏସବୁ ବଳ୍କଲଚୀର ପାଇଁ ଅଭିନବ ଅନୁଭୁତି ଥିଲା ସେ ଏ ନର୍ତ୍ତକୀମାନଙ୍କୁ ତପସ୍ୱିନୀ ଭାବି ସେମାନଙ୍କର ବହୁତ ସମ୍ମାନ ମଧ୍ୟ କଲେ । ନର୍ତ୍ତକୀମାନଙ୍କୁ ସେମାନଙ୍କ ଆଶ୍ରମ କେଉଁଠି ପଚାରନ୍ତେ ସେମାନେ ଉତ୍ତର ଦେଲେ, “ଆମ ଆଶ୍ରମ ହେଉଛି ପୋତାନମ ନଗରୀ । ସେଠାରେ ସବୁ ପ୍ରକାର ସୁଖସୁବିଧା ରହିଛି । ତମେ ଆମ ସହିତ ସେଠାକୁ ଚାଲ ।
ସୁନ୍ଦରୀ ନର୍ତ୍ତକୀମାନଙ୍କର ମୋହପୂର୍ଣ୍ଣ କଥା ଶୁଣି ବଳ୍କଲଚୀରଙ୍କ ମନରେ ସେ ପୋତନମ ଆଶ୍ରମ ଦେଖିବାକୁ ଭାରି ଆଗ୍ରହ ହେଲା । ଇତିମଧ୍ୟରେ ସୋମଚନ୍ଦ୍ରଙ୍କ ଆଗମନର ସୂଚନା ପାଇ ନର୍ତ୍ତକୀମାନେ ଚୁପ୍ଚାପ୍ ବଣ ମଧ୍ୟରେ ଯାଇ ଲୁଚିଗଲେ ।