ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ଅଜଣା ପାହଡମାଳା ଓ ଉପତ୍ୟକା ଭିତରେ ବୁଲୁ ବୁଲୁ ଚନ୍ଦ୍ରବର୍ମା ଗୋଟିଏ କୁଡିଆରେ ଯାଇ ପଶିଲେ । ପରେ ପରେ ସେ ଯେଉଁ ବୁଢାକୁ ସେଠାରେ ଭେଟିଲେ, ସେ ବୁଢା ପାଖରେ ରହସ୍ୟମୟ ଧୂସର ଦୁର୍ଗରେ ପହଁଚିବାର ମାନଚିତ୍ର ଥିଲା । ତାକୁ ରାଜାଙ୍କ ଲୋକେ ଖୋଜୁଥିଲେ । ରାଜସୈନ୍ୟମାନେ ଆସିବାର ଜାଣି ବୁଢା ସେଠୁ ଖସି ଚାଲିଗଲା । ଚନ୍ଦ୍ରବର୍ମା କବାଟ ଖୋଲିଲେ । ତା’ପରେ…

କୁଡିଆ ଭିତରୁ ଚନ୍ଦ୍ରବର୍ମା ବାହାରି ଆସିବାର ଦେଖି ସୈନିକମାନଙ୍କ ସର୍ଦ୍ଦାର ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ସେ ଓ ତା’ ଅନୁଚରମାନେ ସେଠି ବୁଢାକୁ ପାଇବେ ବୋଲି ଦୃଢ ନିଶ୍ଚିତ ଥିଲେ । ବୁଢାକୁ ବନ୍ଦୀ କରି ରାଜାଙ୍କ ପାଖକୁ ନେଇଗଲେ ପ୍ରଚୁର ପୁରସ୍କାର ମିଳିବା କଥା । ଚନ୍ଦ୍ରବର୍ମାଙ୍କୁ ଦେଖି ସର୍ଦ୍ଦାରଙ୍କ ମୁହଁରେ ହଠାତ୍ ବିରକ୍ତି ଓ ହତାଶା ଫୁଟି ଉଠିଲା । ସେ ତାଙ୍କୁ ଥରେ କଟମଟ କରି ଅନାଇ ଦେଖିନେଲା ।

                “ତମେ କିଏ? ସେ ବୁଢା କାହିଁ? ଜବାବ୍ ଦିଅ!” ଏହି ପ୍ରଶ୍ନ କରି ସୈନ୍ୟ ସର୍ଦ୍ଦାର ନିଜ ତରବାରୀ ବାହାର କଲା ।

                ସଙ୍ଗେ ସଙ୍ଗେ ଚନ୍ଦ୍ରବର୍ମା ମଧ୍ୟ ନିଜ ତରବାରୀ ବାହାର କଲେ ଓ ଜବାବ୍ ଦେଲେ, “ତୁମେ କେଉଁ ବୁଢା କଥା କହୁଛ ତା ତ ମୁଁ ଜାଣେନା । ଆଉ ମୁଁ କିଏ ଯଦି ସେକଥା ଜାଣିବାକୁ ଚାହଁ, ତେବେ ପ୍ରଥମେ କୁହ ତୁମେ କିଏ!”

ଚନ୍ଦ୍ରବର୍ମାଙ୍କ ସାହସପୂର୍ଣ୍ଣ ଉତ୍ତର ଓ ତରବାରୀ-ନିଷ୍କାସନ ଦେଖି ସୈନ୍ୟ-ସର୍ଦ୍ଦାର କାବା ହୋଇଗଲା । ସେ ବୁଝିପାରିଲା ଯେ ଚନ୍ଦ୍ରବର୍ମା ଜଣେ ସାଧାରଣ ଯୋଦ୍ଧା ନୁହଁନ୍ତି ।

ସୈନ୍ୟ-ସର୍ଦ୍ଦାର ସଙ୍କୋଚ ଅନୁଭବ କରୁଛି ବୋଲି ବୁଝିପାରି ଚନ୍ଦ୍ରବର୍ମା ନିଜ କଣ୍ଠସ୍ୱର ଟିକିଏ କୋମଳ କରି କହିଲେ, “ତମେମାନେ କାହାର ସୈନିକ ସେକଥା ମୁଁ ଜାଣିବାକୁ ଚାହେଁ । ଆଉ କିଛି ନୁହେଁ । ମୁଁ ତୁମମାନଙ୍କର କୌଣସି ପ୍ରକାର ଅନିଷ୍ଟ କରିନାହିଁ । ଯଦି ମୋତେ ଆକ୍ରମଣ କରିବ, ତେବେ ପରିଣତି ପାଇଁ ପ୍ରସ୍ତୁତ ରୁହ । ଅସୀଚାଳନା ସକାଶେ ମୋ ହାତ ସର୍ବଦା କଲବଲ କରୁଥାଏ ।”

ଏଥିରୁ ସେ ସୈନ୍ୟ-ସର୍ଦ୍ଦାର ବୁଝିପାରିଲା ଯେ ଏହି ଯୁବକଙ୍କୁ ଆକ୍ରମଣ କରି ପରାସ୍ତ କରିବା ମୋଟେ ସହଜ କଥା ନୁହେଁ । ସେ ନିଶ୍ଚୟ କୁଶଳୀ ଯୋଦ୍ଧା ହୋଇଥିବେ । ତା’ଛଡା ସେ କୁଡିଆର ଦ୍ୱାର ଆଗରେ ଠିଆ ହୋଇଥିଲେ । ପଛକୁ ପାଦେ ଚାଲିଗଲେ ସେ ତିନିଦିଗରୁ ସୁରକ୍ଷିତ ହୋଇଯିବେ । ତେଣିକି ତାଙ୍କୁ ଏକାଥରେ ମାତ୍ର ଜଣେ ଆକ୍ରମଣ କରିପାରିବ । ସେ ଜଣକୁ ପରାସ୍ତ କରିବା ଯୁବକଙ୍କ ପକ୍ଷରେ ଅତି ସହଜ ହେବ ।

“ଭଦ୍ର ଯୁବକ! ଆପଣ ଜଣେ କୁଶଳୀ ଯୋଦ୍ଧା ଭଳି ମନେ ହେଉଛନ୍ତି । ଆପଣଙ୍କ ସହ ଲଢି ଆମର କିଛିବି ଲାଭ ନାହିଁ । ଆମେ ଏଠାରେ ଜଣେ ବୁଢାକୁ ଖୋଜୁଥିଲୁ । ସେ ଏଇ କୁଡିଆରେ ମିଳିବ ବୋଲି ଆମେ ଆଶା କରୁଥିଲୁ । କିନ୍ତୁ ସେ ଯେତେବେଳେ ନାହିଁ, ଆମେ ଆମ ବାଟରେ ଯିବୁ; ଏଥର ଆପଣ ମଧ୍ୟ ଆପଣଙ୍କ ବାଟରେ ଯାଇ ପାରନ୍ତି ।”

ଏହା କହି ସର୍ଦ୍ଦାର ଲେଉଟି ଯିବାକୁ ଉଦ୍ୟତ ହେବାରୁ ଚନ୍ଦ୍ରବର୍ମା ପଚାରିଲେ, “ଆଚ୍ଛା, ଆପଣଙ୍କ ରାଜା କିଏ?”

ସର୍ଦ୍ଦାର ବୁଲିପଡି କହିଲା, “କି ଆଶ୍ଚର୍ଯ୍ୟ! ଏ ରାଜ୍ୟରେ ରହି ପୁଣି ରାଜାଙ୍କ ନାମ ନ ଜାଣିବା ଲୋକ ମଧ୍ୟ ଅଛନ୍ତି ।”

ତାଙ୍କ କଥାରେ ଚନ୍ଦ୍ରବର୍ମା ହସିଲେ ଓ କହିଲେ, “ବାବୁ! ମୁଁ ଏ ରାଜ୍ୟର ଲୋକ ବୋଲି କାହିଁକି ଧରିନେଲ? ମୁଁ କେତେ ରାଜ୍ୟ ବୁଲିଲିଣି । କେତେବେଳେ ଗୋଟାଏ ରାଜ୍ୟର ସୀମା ଅତିକ୍ରମ କରି ମୁଁ ଆଉ ଏକ ରାଜ୍ୟରେ ପହଁଚି ଯାଉଛି, ତା’ର ହିସାବ ରଖିପାରୁ ନାହିଁ । ମୋ ଗୁରୁଦେବ ଦେହ ଛାଡିବା ପୂର୍ବରୁ ଜଣେ ରାଜାଙ୍କୁ ଭେଟିବା ନିମନ୍ତେ ମୋତେ ସେ ନିର୍ଦେଶ ଦେଇଥିଲେ । ସେ ରାଜାଙ୍କ ନାମ ଶିବସିଂହ । ମୁଁ ତାଙ୍କୁ ଖୋଜୁଛି । ହେଲା । ତମେ ଏବେ ଏଠୁ ଯାଅ ।”

ଚନ୍ଦ୍ରବର୍ମାଙ୍କ କଥା ଶୁଣି ସୈନ୍ୟମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡେ ଅନାଇଲେ । କୁଡିଆ ଭିତରକୁ ପଶିଯାଉଥିବାର ଅଭିନୟ କରୁଥିବା ଚନ୍ଦ୍ରବର୍ମାଙ୍କୁ ଅଟକାଇ ସୈନ୍ୟ-ସର୍ଦ୍ଦାର କହିଲା, “ଯୁବକ! ଆପଣଙ୍କ ଗୁରୁ ଯେଉଁ ରାଜା ଶିବସିଂହକୁ ଭେଟିବାକୁ ଆପଣଙ୍କୁ ନିର୍ଦେଶ ଦେଇଛନ୍ତି, ସେହି ଶିବସିଂହହିଁ ଏ ରାଜ୍ୟର ରାଜା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ