ରାମରାବଣ ଯୁଦ୍ଧ ଦେଖିବାକୁ ଦେବତା, ଯକ୍ଷ, ଗନ୍ଧର୍ବ, କିନ୍ନର ପ୍ରଭୃତି ଆସିଥିଲେ; ସେମାନେ ସମସ୍ତେ ଶ୍ରୀରାମଙ୍କର ପରାକ୍ରମ ଓ ବାନରମାନଙ୍କର ବୀରତ୍ୱ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ସେମାନଙ୍କର ଭୂରିଭୂରି ପ୍ରଶଂସା କରି ନିଜ ନିଜ ସ୍ଥାନକୁ ଫେରିଗଲେ । ତା’ପରେ ଶ୍ରୀରାମ ମାତଳୀଙ୍କର ବହୁ ପ୍ରଶଂସା କରି ରଥ ସହିତ ତାଙ୍କୁ ଇନ୍ଦ୍ରଙ୍କ ନିକଟକୁ ପଠାଇଦେଲେ ।
ତା’ପରେ ଶ୍ରୀରାମ, ଲକ୍ଷ୍ମଣ ଓ ସୁଗ୍ରୀବଙ୍କୁ ନେଇ ନିଜ ଶିବିରକୁ ଫେରିଲେ । ସେଠାରେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, “ଲକ୍ଷ୍ମଣ, ତମେ ତ ଜାଣ ବିଭୀଷଣ ଆମ ପାଇଁ କ’ଣ କ’ଣ ସବୁ ନ କରିଛନ୍ତି? ଧର୍ମ ରକ୍ଷା କରିବା, ଅନ୍ୟାୟର ବିରୋଧ କରିବା, ନିଜ ଲୋକ, ନିଜ ପରିବାର ସବୁ ତ୍ୟାଗ କରି, ସେ ଆସି ମୋ ସହିତ ମିଶିଥିଲେ । ସେ ଆମ ସହିତ ଥାଇ ନିଜ ଭାଇର ବିରୁଦ୍ଧରେ ଯୁଦ୍ଧ କରିଛନ୍ତି । ସମସ୍ତ ପ୍ରକାର ଭତ୍ସର୍ନା ସହ୍ୟ କରି ସେ ପରା ତାଙ୍କ ଧର୍ମ ରକ୍ଷା କରିଛନ୍ତି । ଆଜି ଆମର ଲକ୍ଷ୍ୟ ପ୍ରାପ୍ତି କେବଳ ତାଙ୍କ ଯୋଗୁହିଁ ସମ୍ଭବ ହୋଇପାରିଛି । ଏଣିକି ଆମେ ବିଭୀଷଣଙ୍କର ରାଜ୍ୟାଭିଷେକ ଯେପରି ଅତିଶୀଘ୍ର କରାଇବା । ସେଥିପାଇଁ ତୁମେ ଆବଶ୍ୟକ ମତେ ଉଦ୍ୟୋଗ କର ।”
ଲକ୍ଷ୍ମଣ ସମୁଦ୍ରରୁ ସୁବର୍ଣ୍ଣ କଳସରେ ସମୁଦ୍ରଜଳ ଅଣାଇଲେ । ତା’ପରେ ସେ ନିଜେ ବିଭୀଷଣକୁ ସିଂହାସନରେ ବସାଇଲେ ଓ ସମୁଦ୍ର ଜଳରେ ତାଙ୍କର ଅଭିଷେକ କଲେ । ବିଭୀଷଣଙ୍କ ମନ୍ତ୍ରୀ ଓ ଅନୁଗମନକାରୀ ସହୃଦୟ ବ୍ୟକ୍ତିମାନେ ଏକଥା ଶୁଣି ବଡ ଆନନ୍ଦରେ ଜୟ ଜୟକାର କଲେ । ବିଭୀଷଣ ସିଂହାସନ ପ୍ରାପ୍ତ କରି କହିଲେ ଯେ ତାଙ୍କର ଶାସନ ସମୟରେ ସେ ରାକ୍ଷସମାନଙ୍କ ଭୟ ଦୂର କରିବେ । ଲୋକହିତକର କାର୍ଯ୍ୟ କରିବା ବ୍ୟକ୍ତିଙ୍କୁ ବହୁତ ପୁରସ୍କାର ଦିଆଯିବ । ତା’ପରେ ସେ ସମସ୍ତିଙ୍କୁ ବୁଝାଇ ଦେଲେ ଯେ, ନିଜ ଭାଇ ରାବଣର ବିରୋଧ ସେ କାହିଁକି କଲେ ଓ ଶ୍ରୀରାମଙ୍କ ସହିତ ଯାଇ କାହିଁକି ସେ ମିଳିତ ହେଲେ । ସେ କହିଲେ, “ରାବଣ ଅଧର୍ମ ମାର୍ଗରେ ଚାଲୁଥିଲା । କାମ, କ୍ରୋଧ, ମୋହ, ଧର୍ମ ଅଧର୍ମ ଯୋଗୁଁ ତା’ର ପତ୍ତନ ହୋଇଥିଲା । ତେଣୁ ସେ ସେଥିରୁ ନିଜକୁ ଉଦ୍ଧାର କରିପାରି ନଥିଲା । ତା’ ହୃଦୟରେ ସୂର୍ପଣଖାକୁ ଅପମାନ ଦେବାର ଅଗ୍ନି ଜଳୁଥିଲା । କିନ୍ତୁ ସେ ସେତେବେଳେ ଏକଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲା ଯେ ସବୁଦୋଷ ଆମ ଭଉଣୀର ହିଁ ଥିଲା, ଶ୍ରୀରାମ ଓ ଲକ୍ଷ୍ମଣଙ୍କର ନୁହେଁ । ପୁଣି ସେ ଛଳନା କରି, କୌଶଳ କରି ସତ୍ୱୀ, ସାଧୀ, ସୀତାଙ୍କୁ ଲଙ୍କାକୁ ନେଇ ଆସିଲା; ପୁଣି ତାଙ୍କୁ ସେ ନିଜର ସ୍ତ୍ରୀ କରି ରଖିବାକୁ ବି ଚାହୁଁଥିଲା । ମୁଁ ଯେତେବେଳେ ତାକୁ ବାରମ୍ବାର ଚେତାବନୀ ଦେଉଥିଲି । ସେତେବେଳେ ସେ ମୋ କଥା ଟିକିଏ ହେଲେବି ଶୁଣିଲା ନାହିଁ । ସେ କ’ଣ ଜାଣି ନଥିଲା ଯେ ଏହି ଯୁଦ୍ଧର ଶେଷ ପରିଣତି କ’ଣ ହେବ ବୋଲି । ଲୋଭରେ ପଡି ସେ ଏପରି କଲା ଓ ମୋତେ ବହୁତ ଗାଳି ବି ଦେଲା । କିନ୍ତୁ ଶେଷକୁ ସେ ମୋତେ ପଦାଘାତ କରି ସେଠାରୁ ସିଧା ବାହାର କରିଦେଲା ।”
ତା’ପରେ ସେ କୃତଜ୍ଞ ବିଭୀଷଣ ଭଗବାନ୍ ଶ୍ରୀରାମଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କଲେ । ଅନେକ ଉପଢୌକନ ଆଦି ତାଙ୍କୁ ସେ ଦେଲେ । ଶ୍ରୀରାମ ସେସବୁ କିଛି ବିଭୀଷଣଙ୍କ ଖୁସି ପାଇଁ ଗ୍ରହଣ କରି ପୁଣି ସେମାନଙ୍କୁ ସେ ବାଂଟିଦେଲେ । ନିକଟରେ ମହାବୀର ହନୁମାନ ଥିଲେ, ଶ୍ରୀରାମ ତାଙ୍କୁ କହିଲେ, “ହନୁମାନ, ରାଜା ବିଭୀଷଣଙ୍କ ଅନୁମତି ନେଇ ତୁମେ ଏବେ ଲଙ୍କା ଭିତରେ ପ୍ରବେଶ କର ଓ ସୀତାଙ୍କୁ ଯାଇ କୁହ ଯେ ତାଙ୍କ ପାଇଁ ମୁଁ ରାବଣ ବଧ କରିଛି ଏବଂ ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ସହିତ ମୁଁ ଏଠାରେ ଅଛି । ଏହି ଶୁଭ ସମାଚାର ଶୁଣାଇ ତାଙ୍କଠାରୁ ବାର୍ତ୍ତା ନେଇ ତୁମେ ଯଥାଶୀଘ୍ର ଫେରିଆସ ।”
ରାସ୍ତାରେ ରାକ୍ଷସମାନଙ୍କ ଆଦର ସତ୍କାର ପାଇ ସେ ହନୁମାନ ଲଙ୍କାରେ ଯାଇ ପହଁଚିଲେ । ତା’ପରେ ରାଜ ନଅରରେ ପ୍ରବେଶ କରି ସେ ସିଧା ସୀତାଙ୍କ ପାଖକୁ ଗଲେ । ସେଠାରେ ଯାଇ ସେ ଦେଖିଲେ ରାକ୍ଷସ ସ୍ତ୍ରୀମାନଙ୍କ ମଧ୍ୟରେ ସୀତା ଚିନ୍ତିତା ହୋଇ ବସିଛନ୍ତି । ହନୁମାନ ସୀତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ହାତଯୋଡି ଠିଆ ହୋଇ ରହିଲେ । ପ୍ରଥମେ ସୀତା ଅବାକ୍ ହୋଇ ତାଙ୍କୁ ଚାହିଁ ରହିଲେ ଓ ପରେ ହନୁମାନଙ୍କୁ ସେ ଠିକ୍ ଚିହ୍ନିପାରି ବଡ ହର୍ଷୋଫୁଲ୍ଲ ହୋଇ ଉଠିଲେ । ତା’ପରେ ହନୁମାନ କହିଲେ, “ମା, ଭଗବାନ୍ ଶ୍ରୀରାମ କୁଶଳରେ ଅଛନ୍ତି । ଆପଣଙ୍କ ପାଇଁ ସେ ରାବଣକୁ ବଧ କରିଛନ୍ତି । ରାବଣ ଓ ତା’ର ବଂଶର ବଡବଡ ବୀରଙ୍କୁ ମାରିବାରେ ଶ୍ରୀରାମଙ୍କୁ ସୁଗ୍ରୀବ, ବିଭୀଷଣ, ଲକ୍ଷ୍ମଣ ତଥା ବାନର ସୈନ୍ୟମାନେ ବହୁତ ସାହାଯ୍ୟ କରିଛନ୍ତି । ଶ୍ରୀରାମ କହିଛନ୍ତି “ଏବେ ଦୁଃଖିତ ହେବାର ଆଉ କୌଣସି କାରଣ ନାହିଁ । ଲଙ୍କାର ରାଜା ବିଭୀଷଣ । ସେ ଆମର ମିତ୍ର । ତେଣୁ ନିଜ ମନରୁ ସମସ୍ତ ଦୁଃଖ ତ୍ୟାଗ କରି ନିଜ ଘର ପରି ତୁମେ ଏଠାରେ ରହିଥିବ । ତୁମର ପତିବ୍ରତ୍ୟ ଧର୍ମ ପାଳନ କରି ତୁମେ ନିଜକୁ ଏଯାବତ ବଂଚାଇ ରଖିଛ । ହେ କଲ୍ୟାଣୀ, ଏବେ ଆମ ଦୁର୍ଭାଗ୍ୟର ସମୟର ଅନ୍ତ ହୋଇଛି । ତୁମର ଅବମାନନାର ପ୍ରତିଶୋଧ ନେବାପାଇଁ ମୁଁ ରାବଣ ବଧ କରିବାକୁ ଶପଥ କରିଥିଲି । ଅଧୁନା ତାହା ତ ସଫଳ ହୋଇଛି । ବିଭୀଷଣ ତୁମକୁ ସେଠାରୁ ସମମ୍ମାନେ ଆଣିବାର ସମସ୍ତ ବନ୍ଦୋବସ୍ତ ଶୀଘ୍ରାତି ଶୀଘ୍ର କରୁଛନ୍ତି । ସେଥିପାଇଁ ତୁମେ ଏଠାରେ ନିଶ୍ଚିନ୍ତ ହୋଇ ଥାଅ ।”