ସଦାନନ୍ଦ ଅନେକ ପ୍ରକାର ବିଦ୍ୟା ଶିଖିଲା । କିନ୍ତୁ କେଉଁଥିରେ ହେଲେ ବି ସେ ପ୍ରବୀଣ ହୋଇ ପାରିଲା ନାହିଁ । ତେଣୁ ତା’ ବାପମା’ଙ୍କର ଥିବା ଜମିରେ ଚାଷ କରି ସେ ନିଜ ଜୀବିକାର୍ଜ୍ଜନ କଲା ।
ଥରେ ସଦାନନ୍ଦର ଗୁରୁ ତାକୁ ଦେଖିବାକୁ ଆସିଲେ । ସଦାନନ୍ଦ ଚାଷକାମ କରୁଥିବାର ଦେଖି ସେ ଭାରି ଖୁସି ହେଲେ । କିନ୍ତୁ ସଦାନନ୍ଦ ଅସନ୍ତୋଷ ପ୍ରକାଶ କରି କହିଲା, “ଗୁରୁଦେବ, ଆପଣ ପଢାଇଥିବା ସମସ୍ତ ବିଦ୍ୟା, ମୋର ମନେହୁଏ ନିରର୍ଥକ ଗଲା । ଚାଷବାସରେ ମୋର ଏତେ ଇଚ୍ଛା ନାହିଁ; କିନ୍ତୁ ମୁଁ ଏବେ ନିରୁପାୟ ।”
ତା’ କଥାରେ ଗୁରୁ ଅଳ୍ପ ହସି କହିଲେ, “ତୁମ କଥା ନିରାଟ ସତ୍ୟ । କିନ୍ତୁ ତୁମ ପରି ଭୋଳା ଲୋକ ପାଇଁ ଚାଷ ହିଁ ଉପଯୁକ୍ତ କାର୍ଯ୍ୟ ।”
ସଦାନନ୍ଦ କହିଲା “ଆଜ୍ଞା ମୋର ସ୍ମରଣ ଶକ୍ତି ତ ବହୁତ ଭଲ । ମୁଁ ଯଦି କେଉଁ ବିଦ୍ୟାରେ ଦକ୍ଷତା ହାସଲ କରି ନପାରିଲି, ତାହା ଆପଣଙ୍କ ବିଦ୍ୟାଦାନରେ ଭୂଲ୍ ଥାଇପାରେ ।”
ଗୁରୁ କହିଲେ “ମୁଁ ମୋର ସମସ୍ତ ବିଦ୍ୟାର ସାରାଂଶକୁ ଏକ ଛୋଟ ଖାତାରେ ଲେଖି ଦେଇଥିଲି ସେଇଟି ନେଇ ଆସ ତ ।”
ସଦାନନ୍ଦ କହିଲା “ସେହି ଖାତାଟି ତ ମୋର ଆଉ କୌଣସି କାମରେ ଲାଗିବ ନାହିଁ, ଏହା ଭାବି ମୁଁ ତାକୁ ମୋର ଜଣେ ସାଙ୍ଗକୁ ଦେଇଦେଲି ।”
ଗୁରୁ କହିଲେ “ସେଇଟି ପାଖରେ ଥିଲେ, ମୁଁ ତୁମକୁ ଅନେକ ସାହାଯ୍ୟ କରିପାରିଥା’ନ୍ତି । ଖାତାଟି ଫେରିପାଇବାର ସମ୍ଭାବନା ମଧ୍ୟ ନାହିଁ । ଥରେ ହାତରୁ ଗଲେ ଆଉ କ’ଣ ସେ କେବେ ଆସିବ?”
ଗୁରୁଙ୍କ ଏଭଳି ତାତ୍ସଲ୍ୟଭରା କଥା ଶୁଣି ସଦାନନ୍ଦ ହସି ହସି କହିଲା, “ମୁଁ ଜାଣେ ଯେ ଖାତାଟି ଫେରି ପାଇବା ପାଇଁ କି ଉପାୟ ଅବଲମ୍ବନ କରାଯାଇପାରେ ।”
“ଆଛା, ଚାରିଦିନ ପରେ ମୁଁ ଏଇବାଟେ ପୁଣି ଫେରିବି । ତୁମେ ମୋର ସେ ଖାତାଟି ଆଣି ରଖିଥିବ ।” ଗୁରୁ ଏତିକି କହି ସେଠାରୁ ଚାଲିଗଲେ ।
ସେହିଦିନହିଁ ସଦାନନ୍ଦ ତା’ର ବନ୍ଧୁ ଶ୍ରୀଧର ପାଖକୁ ଯାଇ କହିଲା, “ଗୁରୁଦେବ ସମସ୍ତ ବିଦ୍ୟାକୁ ସଂକ୍ଷେପରେ ଲେଖି ଯେଉଁ ଖାତାଟି ମୋତେ ଦେଇଥିଲେ, ମୁଁ ସେଇଟି ତୁମକୁ ଦେଇଥିଲି । ସେଇଟି ପାଂଚଦିନ ପାଇଁ ମୋତେ ଦେବ?”
ଶ୍ରୀଧର ଅଳ୍ପସମୟ ଭାବିବା ପରେ କହିଲା, “ମୁଁ ତୁମଠାରୁ କୌଣସି ଖାତା ନେଇଯିବା କଥା ମୋର ତ କାହିଁ ଆଦୌ ମନେ ନାହିଁ । ତେବେ ଯଦି ନେଇଥିବି, ଆଜି ଖୋଜି ଦେଖେ କାଲିକି କହିବି ।”
ପରଦିନ ଶ୍ରୀଧର କହିଲା, “ଭାଇ, ବହୁତ ଖୋଜିଲି, କିନ୍ତୁ ସେପରି ଖାତା ତ କାହିଁ କେଉଁଠାରେ ହେଲେ ବି ମୁଁ ପାଇଲି ନାହିଁ ।”