ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ ।
ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ ବାବାଜୀଙ୍କ ଉପରେ ତା’ ଆଖି ପଡିଲା । ବାବାଜୀ ତା’ ଆଡକୁ କଟମଟ କରି ଅନାଇ ଚାଲିଗଲେ । ନମସ୍କାର ନ ପାଇବାରୁ ସୁବଳ ଚିଡି ଯାଇ କହିଲା, “ହଇରେ, ତୁ କିଏ? ବାବାଜୀ ବେଶରେ ଖଂଟହୋଇଥିବୁ ପରା!”
ବାବାଜୀ ପଚାରିଲେ “ତମେ କିଏ?”
“ମୁଁ ରାଜା । କ’ଣ ମୋତେ ଦେଖି ପାରୁ ନାହଁ?” ସୁବଳ ଏହି ଉତ୍ତର କଡା ଭାବରେ ଦେଲା ।
ବାବାଜୀ ତାକୁ ଆଉ ଥରେ ଚାହିଁ ଦେଇ ବୁଲି ପଡି ସେଠାରୁ ଚାଲିଗଲେ । ହଠାତ୍ ସୁବଳ ବୁଝି ପାରିଲା, ସେ ବାବାଜୀ ଜଣକ ଆଉ କେହି ନୁହେଁ, ଛଦ୍ମବେଶୀ ଖୋଦ୍ ରାଜା ନିଜେ । ଏହାପରେ ସେ ଭୟରେ ଥରଥର ହେଲା । ସେ ହଠାତ୍ ଯାଇ ଉକ୍ତ ବାବାଜୀଙ୍କ ଗୋଡତଳେ ପଡିଯାଇ କହିଲା, “ବାବା! ଆପଣ ଜଣେ ସିଦ୍ଧ ପୁରୁଷ!”
ଛଦ୍ମବେଶୀ ରାଜା ପ୍ରଶ୍ନକଲେ “ ତୁମେ ଏହା କିପରି ଜାଣିଲ?”
“ଆପଣ ଖାଲି ଥରେ ଚାହିଁଦେଇ ବୁଝିଗଲେ କି ମୁଁ ରାଜା ନୁହେଁ । ସେଥିପାଇଁ ତ ମୋତେ ଆପଣ ଆଦୌ ଖାତିର୍ କଲେ ନାହିଁ । ପ୍ରକୃତରେ ମୁଁ ରାଜାଙ୍କର ଜଣେ ସେବକ । ଆପଣଙ୍କ ଦିବ୍ୟଦୃଷ୍ଟି ଆଗରେ ଆଜି ମୁଁ ଧରା ପଡିଗଲି ।”
ଏହି ଘଟଣା ପରେ ରାଜା ହସିଦେଇ ସେଠାରୁ ଚାଲିଗଲେ ।