ଶିବପୁରୀ ନଗରୀକୁ ସବୁଦିନ ସକାଳେ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ଅଭିପ୍ରାୟରେ ରାଜା ଚତୁର୍ଦ୍ଦିଗରେ ଗୋଟାଏ ମଜ୍ବୁତ୍ ପ୍ରାଚୀର ନିର୍ମାଣ କଲେ । ପ୍ରାଚୀରର ଯେଉଁ ଦ୍ୱାର ରଖାଗଲା, ତାହା ଲୁହାରେ ନିର୍ମିତ ହେଲା । ତହିଁ ଉପରକୁ ତୋପ ଚଳାଗଲା । ସେଥିରେ ପ୍ରାଚୀର ଓ ଲୌହ କବାଟର ମୋଟେ କିଛି କ୍ଷତି ହେଲାନାହିଁ । ଏସବୁ ଘଟଣା ଦେଖି ସେ ରାଜା ଖୁବ୍ ଆନନ୍ଦରେ କହିଲେ, “ଆମର ଏ ନଗରୀ ଦୁର୍ଭେଦ୍ୟ ।”
ରାଜାଙ୍କ ଏଭଳି କଥାରେ ମନ୍ତ୍ରୀ ହସି ନିମ୍ନ କଣ୍ଠରେ କହିଲେ, “ମହାରାଜ, ତୋପ ଆଗରେ ସିନା ଦୁର୍ଭେଦ୍ୟ, କିନ୍ତୁ ତୋପଠୁଁ ବଳି ଶକ୍ତି ତ ପୁଣି କିଛି ରହିଛି!” ମନ୍ତ୍ରୀଙ୍କ ଏପ୍ରକାର କଥାରେ ସେ ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତୋପଠୁଁ ବଳି ସେ ଶକ୍ତି କ’ଣ?” ମନ୍ତ୍ରୀ ପରେ କହିବେ ବୋଲି କହିଲେ । ଏହି ଘଟଣାର ପ୍ରାୟ ଛଅମାସ ପରେ ଦିନେ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜା ଓ ମନ୍ତ୍ରୀ ଛଦ୍ମବେଶ ପକାଇ ନଗରୀ ବାହାରକୁ ଗଲେ । ଆସିଲା ବେଳକୁ ସୂର୍ଯ୍ୟାସ୍ତ ହୋଇଗଲାଣି ଓ ନଗରୀର ଲୌହ କବାଟ ବନ୍ଦ ହେଲାଣି । ଛଦ୍ମବେଶୀ ରାଜା ଦ୍ୱାରରକ୍ଷୀକୁ କହିଲେ “ଭାଇ, କବାଟ ଖୋଲ!”
ଦ୍ୱାରରକ୍ଷୀ କହିଲା “ସୂର୍ଯ୍ୟାସ୍ତ ପରେ ନଗରୀ ସଚୀବଙ୍କ ଆଦେଶ ବିନା କବାଟ ଖୋଲାଯାଏ ନାହିଁ ।”
“ଆରେ ଭାଇ, ଆମର ବହୁତ ଜରୁରୀ କାମ ଅଛି ।” ଏହା କହି ମନ୍ତ୍ରୀ ତା ହାତରେ ସୁନା ମୋହର ଭର୍ତ୍ତି ଥଳିଟିଏ ଧରାଇ ଦେଲେ । ଦ୍ୱାରରକ୍ଷୀ ସଙ୍ଗେସଙ୍ଗେ ଦ୍ୱାର ଖୋଲିଦେଲା । ମନ୍ତ୍ରୀ ରାଜାଙ୍କୁ କହିଲେ, “ଏଥର ବୁଝିଲେ ତ ଆଜ୍ଞା ତୋପଠୁଁ ବଳି ସେ ଅସ୍ତ୍ର କ’ଣ? ଉତ୍କୋଚ । ଆମ ଲୋକଙ୍କ ଚରିତ୍ର ଦୁର୍ବଳ ଥିଲେ ଯେତେ ଟାଣୁଆ ପ୍ରାଚୀର ଉଠାଇଲେ ବି ଆମେ କେବେବି ନିରାପଦ ନୋହୁଁ ।”