ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି ରାଜୁ ଯାଇ ଜ୍ଞାନ-ବିଜ୍ଞାନ ରାଜ୍ୟରେ ପହଁଚିଗଲା । ସେ ରାଜ୍ୟର ବକ୍ର-ଦାଢୀବନ୍ତ ପୁରୋହିତ ତା’ଉପରେ ବିରକ୍ତ ହୋଇ ତାକୁ ଧରିବା ପାଇଁ ସିପାହୀମାନଙ୍କୁ ନିର୍ଦେଶ ଦେଲା । ରାଜୁ ଦୌଡି ପଳାଇ ଯାଉ ଯାଉ ଗୋଟିଏ ପାହାଡ ଉପରେ ଲୋମହର୍ଷକ ଦୃଶ୍ୟଟିଏ ଦେଖି ହଠାତ୍ ରହିଗଲା ।              ତା’ପରେ…

ରାଜୁ ଦେଖିଲା, ପାହାଡ ଉପରେ ସୁକୁମାର ବାଳକଟିଏ ସତେ ଅବା ମନ୍ତ୍ରମୁଗ୍ଧ ହୋଇ ଅଚଳ ଭାବରେ ଠିଆ ହୋଇ ରହିଛି । ଗୋଟାଏ ଭୀଷଣାକୃତି ସର୍ପ-ଦାନବ ସେ ବାଳକ ଆଖିରେ ଦୃଷ୍ଟି ନିବଦ୍ଧ କରି ଧିରେ ଧିରେ ତା’ ଆଡେ ଅଗ୍ରସର ହେଉଛି । “ସର୍ବନାଶ! ଆଜି କ’ଣ ସର୍ପ-ଦାନବ ଖୋଦ୍ ରାଜପୁତ୍ରଙ୍କୁ ଭକ୍ଷଣ କରିବ?” ଦୁଇ ପ୍ରହରୀଙ୍କ କଣ୍ଠରେ ଆତଙ୍କ ଓ ଆଶ୍ଚର୍ଯ୍ୟ ଫୁଟିଲା ।

                ରାଜୁ ନିଜ ତରବାରୀ ଉପରେ ହାତ ପକାଇ ପ୍ରଶ୍ନ କଲା “ତମେ ଦୁହେଁ ତ ବଡ ଅଜବ ପ୍ରହରୀ! ଯଦି ସର୍ପ-ଦାନବ ତମ ରାଜପୁତ୍ରଙ୍କୁ ଗିଳିଦେବ ବୋଲି ଜାଣୁଛ, ତେବେ ତାଙ୍କୁ ରକ୍ଷା କରିବାକୁ ଆଗଭର କାହିଁକି ହେଉନ?”

ତା’ର ଏଭଳି କଥାଶୁଣି ସେ ପ୍ରହରୀମାନେ ଏମିତି ଭାବରେ ରାଜୁ ଆଡେ ଅନାଇଲେ, ସତେ ଅବା ସେ ଗୋଟାଏ ନିହାତି ଅବାନ୍ତର କଥା କହୁଛି!

ଠିକ୍ ସେତିକିବେଳେ ସେଠାରେ ଗୋଟିଏ ରଥ ଆସି ପହଁଚିଗଲା । ତାକୁ ଯୋଡିଏ ବଳିଷ୍ଠ ମଣିଷ ଟାଣୁଥିଲେ । ଯେପରି କ୍ଷୀପ୍ର ଗତିରେ ସେମାନେ ଦୌଡୁଥିଲେ, ତାହା ଦେଖିଲେ ଘୋଡାମାନେ ବି ଲଜ୍ଜିତ ହୁଅନ୍ତେ ।

“ମହାରାଜ!” ଏତକ ଉଚ୍ଚାରଣ କରି ପ୍ରହରୀମାନେ ମୁଣ୍ଡ ନୁଆଁଇଲେ । ରାଜା ପାହାଡ ଉପରେ ସର୍ପ-ଦାନବ ଦ୍ୱାରା କବଳିତ ରାଜପୁତ୍ର ଆଡେ ଅନାଇ ଖାଲି ଏତକ କହିଲେ, “ହାୟ ମୋ ପୁଅ!”

ଅଧୈର୍ଯ୍ୟ ଭାବରେ ରାଜୁ ପ୍ରଶ୍ନ କଲା “ମହାରାଜ! ସର୍ପ-ଦାନବକୁ ଦମନ କରିବା ନିମନ୍ତେ ଏ ପ୍ରହରୀ ଦୁହିଁଙ୍କୁ ଆପଣ କାହିଁକି ଆଦେଶ ଦେଉନାହାଁନ୍ତି?”

ଏକଥା ଶୁଣି ରାଜା ଥରେ ରାଜୁଆଡେ ବିସ୍ମିତ ଭାବରେ ଅନାଇ ତା’ପରେ ପୁଅ ଉପରେ ନିଜ ଦୃଷ୍ଟି ନିବଦ୍ଧ ରଖି କାନ୍ଦିବାରେ ସେ ମନଦେଲେ । ସର୍ପ-ଦାନବ ଓ ରାଜପୁତ୍ର ଭିତରେ ସେତେବେଳେ ମାତ୍ର ଗଜେ ଦୁଇଗଜ ବ୍ୟବଧାନ ।

ରାଜୁ ଲମ୍ପଦେଇ ପାହାଡ ଉପରକୁ ଉଠିଗଲା । ସେତେବେଳକୁ ସର୍ପ-ଦାନବର ଲହଲହ ଜିଭ ଥରେ ବିଜୁଳି ଭଳି ଚହଟି ଯାଇ ରାଜପୁତ୍ରକୁ ଆୟତ କରିବାକୁ ଚେଷ୍ଟା କରି ସାରିଥାଏ । ଖିଏ ବ୍ୟବଧାନରେ ରାଜପୁତ୍ର ବର୍ତ୍ତି ଯାଇଥିଲେ । ସର୍ପ-ଦାନବର ଜିଭ ଦ୍ୱିତୀୟଥର ନିଷ୍କାସିତ ହେବା ପୂର୍ବରୁ ରାଜୁର ତରବାରୀ ତା’ର ମୁଣ୍ଡକାଟ କଲା ।

ବତ୍ର-ଦାଢୀବନ୍ତ ସେତିକିବେଳେ ରାଜାଙ୍କ ପାଖରେ ଆବିର୍ଭୁତ ହେଲା ।

“ଆରେ ଟୋକା, ତୁ ଏ କ’ଣ କଲୁ!” ଏତିକି କହି ସେ ଆର୍ତ୍ତନାଦ କଲା ।

ରାଜୁ କହିଲା “କ’ଣ କଲି? ରାଜପୁତ୍ରଙ୍କୁ ଗିଳିବାକୁ ଯାଉଥିବା ସର୍ପ-ଦାନବକୁ ମାରିଦେଲି! ତା’ ରକ୍ତରୁ ତ କାହିଁ ଆଉ ଗଣ୍ଡାଏ ଛଅଟା ସର୍ପ-ଦାନବ ଜାତ ହେଉ ନାହାଁନ୍ତି! ଅତଏବ ଆମେ ନିରାପଦ । ରାଜାଙ୍କର କର୍ତ୍ତବ୍ୟ ମୋତେ ଅଧା ରାଜ୍ୟ ଓ ରାଜକନ୍ୟା ଉପହାର ଦେବା । ତେବେ ମୋର ଅବଶ୍ୟ ସେସବୁ ଲୋଡା ନାହିଁ!”

ବତ୍ର-ଦାଢୀ ହୁକୁମ୍ ଦେଲା “ଏ ଟୋକାକୁ ବାନ୍ଧ!”

“ହଁ, ହଁ, ବାନ୍ଧ ।” ରାଜା ବି ସେ ହୁକୁମ୍କୁ ସମର୍ଥନ କଲେ ଓ କହିଲେ, “ତେବେ ତାକୁ ସାଧାରଣ କାରାଗାରରେ ନରଖି ତାକୁ ଆମ ନଅର ଅଭ୍ୟନ୍ତରବର୍ତ୍ତି କାରାକକ୍ଷରେ ରଖ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ