ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ ତାଙ୍କ ରାତ୍ରୀ ଭୋଜନ ସାରିବା ପରେ ଯାହା ଖାଦ୍ୟ ପଦାର୍ଥ ବଳିଥାଏ, ସେ ଏକ ପାତ୍ରରେ ତାକୁ ରଖି ଏକ ଉଚ୍ଚ ଜାଗାରେ ଟାଙ୍ଗି ଦିଅନ୍ତି । ଏହାପରେ ସେ ଶୋଇବାକୁ ଯାଆନ୍ତି । ରାତିରେ ରଖିଥିବା ଖାଦ୍ୟକୁ ପ୍ରତିଦିନ ସକାଳେ ସେ ମନ୍ଦିର ଚାରିପାଖ ସଫା କରିବାକୁ ଆସୁଥିବା ଲୋକମାନଙ୍କୁ ଦେଇ ଦିଅନ୍ତି । ଏହିପରି ସାଧୁବାବା ଜଣକ ସୁଖରେ କାଳ କାଟୁଥାଆନ୍ତି ।
ଦିନେ ଗୋଟିଏ ମୂଷା ହିରଣ୍ୟକଙ୍କୁ ଯାଇ କହିଲା, ‘ହିରଣ୍ୟକ’! ସାଧୁବାବା ଜଣକ ଭୟଭୀତ ହୋଇ ପଡିଥାନ୍ତି । କାରଣ କାଳେ ଆମ୍ଭେମାନେ ତାଙ୍କ ଖାଦ୍ୟ ପଦାର୍ଥ ଆଣି ନଷ୍ଟ କରି ଦେବା । ତେଣୁ ସେ ତାଙ୍କ ଖାଦ୍ୟକୁ ଏକ ପାତ୍ର ମଧ୍ୟରେ ରଖି ଏକ ଉଚ୍ଚ ସ୍ଥାନରେ ଟାଙ୍ଗି ଦେଉଥାନ୍ତି । ଯାହାଫଳରେ ଆମ୍ଭେମାନେ ଆଉ ସେହି ସ୍ଥାନକୁ ଯାଇପାରିବା ନାହିଁ । କିନ୍ତୁ ଆମ୍ଭେମାନେ ତ’ ଡେଇଁବାରେ ଧୁରନ୍ଧର । ତେଣୁ ଆମର ଚିନ୍ତା କରିବାର କୌଣସି କାରଣ ନାହିଁ । ସିଏ ଯେତେ ଉପରେ ରଖିଲେ ମଧ୍ୟ ଆମେ ସେହି ସ୍ଥାନରେ ଅକ୍ଳେଶରେ ପହଁଚିପାରିବା । ତେଣୁ ଆମେ କାହିଁକି ଅଯଥାରେ ଅନ୍ୟ ସ୍ଥାନକୁ ଯାଇ ଖାଦ୍ୟ ସଂଗ୍ରହ କରିବା? ତୁମରି ସାହାଯ୍ୟରେ ଆମେ ସୁବିଧାରେ ଖାଦ୍ୟ ପାଇପାରିବା ।