ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ଓ ଘଡଘଡିର ଶବ୍ଦର ବିରତିବେଳେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।
ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଅଗ୍ରସର ହେବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ତମେ ତମର କୌଣସି ବନ୍ଧୁର ଅଭିଷ୍ଟ ସିଦ୍ଧି ନିମନ୍ତେ ଏ ଦୂର୍ଯ୍ୟୋଗପୂର୍ଣ୍ଣ ରାତିରେ ଏଭଳି ଦୁଃସାହସିକ କାମ ହାତକୁ ନେଇଛ ପରା! ତେବେ ତମେ ଜାଣିରଖିବା ଆବଶ୍ୟକ ଯେ ଆଜିର ବନ୍ଧୁ କାଲିକି ଶତ୍ରୁ ହୋଇଯାଇ ପାରେ । ଶତ୍ରୁ ପୁଣି ଖାଲି ବନ୍ଧୁ ନୁହେଁ, କେହି ଆତ୍ମୀୟ ବି ହୋଇଥାଇ ପାରେ । ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତୁମେ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”
ଏଥିଉତାରେ ସେ ବେତାଳ ଗପିଲା : ଅନେକ ଦିନ ତଳର କଥା । ରାଜା ବିଷ୍ଣୁଭଦ୍ର ଚନ୍ଦ୍ରଗିରି ଉପରେ ରାଜୁତି କରୁଥିଲେ । ସେ ଜଣେ ବିବେକୀ ଶାସକ ଥିଲେ । ତେବେ ବୃଦ୍ଧାବସ୍ଥାରେ ସେ ରାଜକାର୍ଯ୍ୟରେ ଆଗ୍ରହ ହରାଇ ବିଶ୍ରାମ ନେବାକୁ ମନସ୍ଥ କଲେ । ଭାଗ୍ୟକୁ ତାଙ୍କର ପୁତ୍ର ଯୁବରାଜ ଆଦିତ୍ୟକୁମାର ଜଣେ ବୁଦ୍ଧିମାନ୍ ଓ ସାହସୀ ଯୁବକ ଥିଲେ । ରାଜା ତାଙ୍କର ଅଭିଷେକ କରାଇଲେ ।
ଯୁବକ ରାଜା ଆଦିତ୍ୟକୁମାର ଶାସନ କାର୍ଯ୍ୟରେ ଗଭୀର ମନୋନିବେଶ କଲେ । ପ୍ରଜାଙ୍କ ହିତ ସାଧନ ପାଇଁ ସେ ନାନା ପ୍ରକାର ଉଦ୍ୟମ କଲେ ଓ ସେଥିରେ ସଫଳ ବି ହେଲେ । ସେ ଲୋକଙ୍କ ଶ୍ରଦ୍ଧାଭାଜନ ହେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଖୁବ୍ ସନ୍ତୋଷ ଲାଭ କଲେ ।
ଦିନେ ସେ ରାଜ୍ୟ ସୀମାରେ ଥିବା ଅରଣ୍ୟ ଭିତରେ ମୃଗୟା କରୁ କରୁ ବହୁତ ଦୂରକୁ ଚାଲିଗଲେ । ହଠାତ୍ ତାଙ୍କ ଆଖିରେ ଗୋଟିଏ ସୁନ୍ଦର ଉପତ୍ୟକା ପଡିଲା । କୁଳୁକୁଳୁ ନାଦିନୀ ଝରଣାଟିଏ ସାଙ୍ଗକୁ ସେ ଉପତ୍ୟକା ଅସଂଖ୍ୟ ପୁଷ୍ପଶୋଭିତ ବୃକ୍ଷଲତାରେ ଭରି ରହିଥିଲା । ଏଡେ ସୁନ୍ଦର ଅଂଚଳ ସେ ତ ଆଗରୁ କେବେବି ଦେଖି ନଥିଲେ ।
ସେ ମନ୍ତବ୍ୟ ଦେଲେ “ଆମ୍ଭ ରାଜ୍ୟରେ ଏଡେ ମନୋରମ ଉପତ୍ୟକା ରହିଥିଲା!”
ଏକଥା ଶୁଣି ତାଙ୍କ ସାଥିରେ ଥିବା ତାଙ୍କର ଜଣେ ପ୍ରବୀଣ ଅମାତ୍ୟ କହିଲେ, “ମହାରାଜ! ଏ ଉପତ୍ୟକା ଚନ୍ଦ୍ରଗିରି ରାଜ୍ୟର ଅନ୍ତର୍ଭୁକ୍ତ ନୁହେଁ । ଏହା ଆମର ପଡୋଶୀ ରାଜ୍ୟ ରୁଦ୍ରପୁର ଭିତରେ ଅବସ୍ଥିତ ।”