ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ ।
ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ କହିଲେ, “ପୁନର୍ବାର ଯେପରି ମିଛସତ ନ ଲେଖିବ–ଲେଖିଲେ ତୁମକୁ ଆଉ କ୍ଷମା କରାଯିବ ନାହିଁ ।” ଲୋକମାନେ ଜାଣନ୍ତି ରାଜା ଭ୍ରଷ୍ଟାଚାରଙ୍କ ପାଇଁ କଡା ଦଣ୍ଡ ଦିଅନ୍ତି । କିନ୍ତୁ ରାଜା କିପରି ବୀରଭଦ୍ରଙ୍କୁ କ୍ଷମା କଲେ? ଏପରି ସନ୍ଦେହ ଲୋକଙ୍କ ମନରେ ଆସିଲା ପୁଣି ମହାରାଣୀଙ୍କ ମନରେ ମଧ୍ୟ ତାହା ଆସିବାରୁ ସେ ସିଧା ରାଜାଙ୍କୁ ଏହାର କାରଣ ପଚାରିଲେ ।
ଏକଥା ଶୁଣି ରାଜା ହସିହସି କହିଲେ, “ବୀରଭଦ୍ର ଦୁଇଟି ଝିଅଙ୍କୁ ବିବାହ ଦେଇଛି । ରହିବା ପାଇଁ ଭଲ ଘରିଏ ତୋଳିଛି । ଏବେ ତାର ବୟସ ହେଲାଣି । ଚାକିରୀରୁ ବାହାର କରିଦେଲେ ତାକୁ ଆଉ ଚାକିରୀ ମିଳିବ ନାହିଁ । ସେଥିପାଇଁ ଏତେଦିନ ଧରି ମୁଁ ସବୁ ଦେଖୁଥିଲେ ମଧ୍ୟ ନଦେଖିଲା ପରି ରହିଥିଲି; କିନ୍ତୁ ଥରେ ମୁଁ କହିବା ପରେ ସେ ଆଉ ଟଙ୍କା ଓ ହିସାବରେ ଗୋଳମାଳ କରିବ ନାହିଁ । ଏପରି ଅବସ୍ଥାରେ ହଠାତ୍ ଜଣେ ନୂଆ ଲୋକକୁ କୋଷାଧ୍ୟକ୍ଷ କଲେ ସେ ମଧ୍ୟ ସେଇ ଏକହିଁ କାମ କରିବ । ହିସାବ ଗୋଳମାଳ କରିବ; କିନ୍ତୁ ବୀରଭଦ୍ର ନିଜ ଭୁଲ୍ ସୁଧାରି ନେବ । ତେଣୁ କୁହ ମୁଁ ଠିକ୍ କରିଛି ନା ନାହିଁ? ରାଣୀ କହିଲେ, “ନିଶ୍ଚୟ, ଆପଣଙ୍କ କାର୍ଯ୍ୟ ଅତ୍ୟନ୍ତ ଯୁକ୍ତିଯୁକ୍ତ ।”